ନୟାଗଡ ପୁରୁଣା ଜେଲ ଜମିରେ ପ୍ରସ୍ତାବିତ ବହୁତଳ ମାର୍କେଟ କଂପ୍ଲେକ୍ସ ନିର୍ମାଣ ନିଷ୍ପତ୍ତି ପ୍ରତ୍ୟାହାର ଦାବୀ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଟ୍ରାଫିକ ମୁକ୍ତ ସୁନ୍ଦର ସହର ପାଇଁ ପୁରୁଣା ଜେଲ ଜମିରେ ପ୍ରସ୍ତାବିତ ବହୁତଳ ମାର୍କେଟ କଂପ୍ଲେକ୍ସ ନିର୍ମାଣ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଦାବୀ କରିଛି ନୟାଗଡ ଜିଲ୍ଲା କଂଗ୍ରେସ . ଏହି ଜମିକୁ ସର୍ବସାଧାରଣ ପାର୍କିଂ ସ୍ଥଳ ଭାବେ ବ୍ୟବହାର କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଛି । ନୟାଗଡ ବିଧାୟକ ଡ. ଅରୁଣ କୁମାର ସାହୁ ଙ୍କୁ ଚିଠି ଲେଖି ଟ୍ରାଫିକ ସମସ୍ୟା ସମ୍ପର୍କରେ ଅବଗତ କରାଇଲେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଞ୍ଜିତ ଦାସ । ନୟାଗଡ ସହରର କେନ୍ଦ୍ର ସ୍ଥଳରେ ଏ.୦.୬୩ଡିସିମିଲ ପରିମିତ ପୁରୁଣା ଜେଲ ଜମିରେ ପୌର ପରିଷଦ ପ୍ରସ୍ତାବିତ ବହୁତଳ ମାର୍କେଟ କଂପ୍ଲେକ୍ସ ନିର୍ମାଣ ନିଷ୍ପତ୍ତି ପ୍ରତ୍ୟାହାର କରାଯାଇ ଏବଂ ଏହି ଜାଗାକୁ ସର୍ବସାଧାରଣ ପାର୍କିଂ ସ୍ଥଳ ଭାବେ ବ୍ୟବହାର କରାଯାଉ । ନୟାଗଡ ବଜାର କ୍ରମଶଃ ବଢିବା ସହ ଅନୁରୂପ ଜନ ଗହଳି ମଧ୍ୟ ହେବାରେ ଲାଗିଛି । ବଜାର ମଧ୍ୟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥଳ ନଥିବାରୁ ରାସ୍ତା ଉପରେ ଯାନବାହାନ ରଖିବା ପାଇଁ ଲୋକେ ବାଧ୍ୟ ହେଉଛନ୍ତି , ଯାହା ଫଳରେ ବେଆଇନ ପାର୍କିଂ ପାଇଁ ପ୍ରତ୍ୟେହ ପୁଲିସ ୫୦୦ ଟଙ୍କା ଲେଖାଏଁ ଜୋରିମାନା ଆଦାୟ ମାସିକ ୧୦ ଲକ୍ଷ ଟଙ୍କାର ରେକର୍ଡ ହେଲାଣି । ପୁରୁଣା ଜେଲ ଜମି ହେଉଛି ନୟାଗଡ ବଜାର ମଧ୍ୟରେ ଗୋଟିଏ ମାତ୍ର ଖୋଲା ସ୍ଥାନ ପୁଣି ଯଦି ଏହି ଜାଗା କୁ ମାର୍କେଟ କମ୍ପ୍ଲେକ୍ସ କରାଯାଏ ବଜାର ରେ ଟ୍ରାଫିକ ସମସ୍ୟା ଅସମ୍ଭାଳ ହୋଇ ପଡିବ । ଯେତେବେଳେ ଏହି ଜେଲ ଜମିରେ କୋର୍ଟ କମ୍ପ୍ଲେକ୍ସ ହେବା ପାଇଁ ବିଚାର ବିଭାଗର ପ୍ରସ୍ତାବ ଥିଲା ସେତେବେଳେ ସେହି ସ୍ଥାନରେ କୋର୍ଟ କରାନଯାଇ ତାହାକୁ ପାର୍କିଂ ସ୍ଥଳ କରିବା ପାଇଁ ନୟାଗଡ ବିକାଶ ପରିଷଦ , ବଣିକ ସଂଘ ତତ୍କାଳୀନ ଏନଏସି ପାରିଷଦ ବୃନ୍ଦ ଏବଂ ବିଭିନ୍ନ ଗଣ ସଂଗଠନ ମାନେ ମିଳିତ ଭାବେ ରାଜରାସ୍ତାକୁ ଓଲ୍ଲାଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ ଏବଂ ପରେ ପରେ ଆଉ ପାଦେ ଆଗେଇ “ନୟାଗଡ ବନ୍ଦ” ମଧ୍ୟ କରିଥିଲେ । ନୟାଗଡ ବିକାଶ ପରିଷଦ ସହ ସମସ୍ତ ଗଣ ସଂଗଠନ ପୁରୁଣା ଜେଲ ଜମିରେ ଖୋଲା ପାର୍କିଂ ପାଇଁ ତଥ୍ୟ ଭିତ୍ତିକ ଯୁକ୍ତି ମଧ୍ୟ ଦର୍ଶାଉଥିଲେ କିନ୍ତୁ ଆଜି ପରିବର୍ତ୍ତିତ ପରିସ୍ଥିତିରେ ଏହି ପାର୍କିଂ ପ୍ରସ୍ତାବକୁ ଭୁଲି ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ସ୍ଵର ବଦଳାଇବା ପଛରେ କି ପ୍ରକାର ବ୍ୟକ୍ତିଗତ ସ୍ଵାର୍ଥ ରହିଛି ତାହା ପ୍ରତ୍ୟକ ନୟାଗଡ ବାସୀଙ୍କର ଜାଣିବାର ହକ ରହିଛି । ନୟାଗଡ ବଜାରରେ ବିଜୁ ମାର୍କେଟ, ରାଜୀବ ମାର୍କେଟ, ଜୁବୁଲି ମାର୍କେଟ, ଅମରେନ୍ଦ୍ର ମାର୍କେଟ ଏବଂ ପାର୍କ ସାମ୍ନା ପ୍ରିୟଦର୍ଶିନୀ ମାର୍କେଟ ପାଇଁ ନିର୍ଦ୍ଦିଷ୍ଟ ପାର୍କିଂ ପ୍ଳାନ ନଥାଇ ମାର୍କେଟ କମ୍ପ୍ଲେକ୍ସ ପ୍ଳାନ ମଞ୍ଜୁର କରାଯାଇ ମସ୍ତବଡ ଭୁଲ କରାଯାଇଛି , ଯାହାର କୁପରିଣାମ ଏବେ ସମସ୍ତେ ଅନୁଭବ କରୁଛନ୍ତି । ସେହି ଭୁଲର ପୁନାରାବୃତ୍ତି ଆଉ କରାନଯାଉ । ତେଣୁ ନୟାଗଡ ବାସୀଙ୍କ ସମୂହ ସ୍ଵାର୍ଥ ଏବଂ ଟ୍ରାଫିକ ମୁକ୍ତ ସୁନ୍ଦର ସହର ଗଠନ ପାଇଁ ପୁରୁଣା ଜେଲ ଜମିରେ ପ୍ରସ୍ତାବିତ ବହୁତଳ ମାର୍କେଟ କମ୍ପ୍ଲେକ୍ସ ନିଷ୍ପତି ପ୍ରତ୍ୟାହାର କରାଯାଇ ସେଠାରେ ପୌରପରିଷଦ ପରିଚାଳିତ ସର୍ବସାଧାରଣ ବ୍ୟବହାର ପାଇଁ ପାର୍କିଂ ବ୍ୟବସ୍ଥା କରାଗଲେ ନୟାଗଡ ବଡ ହେବ ।

Leave a Reply

Your email address will not be published. Required fields are marked *