ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ପାରାଦୀପରେ ଜଣେ ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ମାମଲାକୁ ନେଇ ଏବେ ରାଜନୀତି ସରଗରମ ହୋଇ ଉଠିଛି । ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ରକ୍ଷା କରିବା ପାଇଁ ପାରାଦୀପର ଜଣେ ରାଜନେତା ସାମିଲ ଥିବା ନେଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । କେବଳ ସେତିକି ନୁହେଁ ଏହି ଘଟଣାରେ ଗିରଫ ଅଭିଯୁକ୍ତ ମାନଙ୍କ ସହ ବାପି ସାର୍ଖେଲ୍ ଙ୍କ ଫଟୋ ମଧ୍ୟ ଯୁବ ମୋର୍ଚ୍ଚାର ସଦସ୍ୟ ମାନେ ଦେଖାଇଥିଲେ । ଏଣୁ ବାପି ସାର୍ଖେଲ୍ ଙ୍କୁ ପୁଲିସ ତଦନ୍ତ ପରିସରଭୁକ୍ତ କରୁ ବୋଲି ସେମାନେ ଦାବି କରିଛନ୍ତି ।

ପାରାଦୀପ ନିର୍ବାଚନ ମଣ୍ଡଳୀ ଯୁବମୋର୍ଚ୍ଚା ସଂଯୋଜକ ଅକ୍ଷୟ ଦାସ ଅଭିଯୋଗ କରିଥିଲେ ଯେ , ବିଜେପି ଯୁବମୋର୍ଚ୍ଚା ଏହି ଘଟଣାକୁ ନେଇ ଆଦୌ ରାଜନୀତି କରୁ ନାହିଁ କି କାହାକୁ ମିଛରେ ବଦନାମ୍ କରିବାକୁ ପ୍ରୟାସ ମଧ୍ୟ କରୁ ନାହିଁ । ଅତୀତର ଘଟଣାକୁ ଦେଖିଲେ , ଏହି ଚିତ୍ର ସ୍ପଷ୍ଟ ହୋଇଯିବ । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଯତୀନ ମଲିକଙ୍କ ସହ ଉକ୍ତ ନେତାଙ୍କର ଏକାଧିକ ଫଟୋ ରହିଛି । ଏଣୁ ତାଙ୍କ ସହ ଯତୀନର ଭୂମିକା କେତେ ନିବିଡ଼ ତାହା ସ୍ପଷ୍ଟ ହେଉଛି । ଫଳରେ ପୀଡ଼ିତାଙ୍କ ଉପରେ ଚାପ ପକାଇ ଓ ଭୟଭୀତ କରି ତାଙ୍କୁ ଟିଆଇ ପରେଡରୁ ଦୂରେଇ ରଖାଗଲା । ଏଣୁ ଉକ୍ତ ନେତାଙ୍କୁ ପୁଲିସ ତଦନ୍ତ ପରିସରଭୁକ୍ତ କରୁ , ତେବେ ଯାଇ ପୀଡିତା ନ୍ୟାୟ ପାଇ ପାରିବେ ।

