ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଅବ୍ୟବସ୍ଥା ଘେରରେ ଅସୁରେଶ୍ଵର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ! ଓଡ଼ିଶା ସରକାର 5T ଜରିଆରେ ସ୍ବାସ୍ଥ୍ୟ ବ୍ୟବସ୍ଥା ରେ ଉନ୍ନତ ମାନର ସେବା ଯୋଗାଇ ଦେବା ଲକ୍ଷ୍ୟରେ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ଡିଣ୍ଡିମ ପିଟା ଯାଉଥିବା ବେଳେ କିନ୍ତୁ ବାସ୍ତବ ଚିତ୍ର ସମ୍ପୁର୍ଣ୍ଣ ଅଲଗା । ହଁ ଦର୍ଶକ ବନ୍ଧୁ ଆମେ ଆପଣଙ୍କୁ ଯାହା କହୁଛୁ ତାହା କେଉଁ ଅପହଞ୍ଚ ଅଞ୍ଚଳର ଦୃଶ୍ୟ ନୁହେଁ ! ଖୋଦ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଅଧିନସ୍ଥ ଅସୁରେଶ୍ଵର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର ଅବସ୍ଥା । ଅସୁରେଶ୍ଵର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ସର୍ବ ପୁରାତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । ଏହି ସ୍ଵାସ୍ଥ୍ୟ କେନ୍ଦ୍ର ଉପରେ ସ୍ଵାସ୍ଥ୍ୟ ଗତ ସମସ୍ୟା କୁ ନେଇ ୧୦ ରୁ ଅଧିକ ପଞ୍ଚାୟତ ର ୫୦ ହଜାର ଲୋକ ନିର୍ଭର କରନ୍ତି ! କିନ୍ତୁ ଏବେ ଏହି ସ୍ଵାସ୍ଥ୍ୟ କେନ୍ଦ୍ର କେବଳ ନାଁ କୁ ମାତ୍ର ଚାଲୁଅଛି । ଦୀର୍ଘ ଏକ ବର୍ଷ ପୁର୍ବରୁ ଇଂଗ୍ରେଜ ଅମଳରୁ ଥିବା ସ୍ଵାସ୍ଥ୍ୟ କେନ୍ଦ୍ରର 0PD ଗୃହ କୁ ନବିକରଣ ନିମନ୍ତେ ଭାଙ୍ଗି ଦିଆଯାଇଥିଲା , ଯାହାକି ଅଧାପନ୍ତରିଆ ହୋଇ ଛଅ ମାସ ହେବ ନିର୍ମାଣ କାମ ବନ୍ଦ ହୋଇ ପଡ଼ିରହିଛି ! ତାହା ଏବେ ସ୍ଵାସ୍ଥ୍ୟ କେନ୍ଦ୍ରର ସୌନ୍ଦର୍ଯ୍ୟ ବଢ଼ାଉଛି , ନାଁ ଅଛି ଡାକ୍ତର ବସିବା ନିମନ୍ତେ OPD ଗୃହ, ନାଁ ଅଛି ରୋଗି ଶୋଇବା ପାଇଁ ଶଯ୍ୟା , ନାଁ ଅଛି ଯଥେଷ୍ଟ ପରିମାଣର ଔଷଧ କି ଇଂଜେକସନ ।ଏଠି ଖାଲି ନାଇଁ ନାଇଁ ରେ ଚାଲିଛି ସ୍ଵାସ୍ଥ୍ୟ କେନ୍ଦ୍ର । ସତେକି ଏଠି ସ୍ଵାସ୍ଥ୍ୟ କେନ୍ଦ୍ର ନିଜେ ରୋଗୀ ପାଲଟି ଯାଇଛି । ସ୍ଵାସ୍ଥ୍ୟ କେନ୍ଦ୍ର ପରିସର କଥା ନ କହିବା ଭଲ । ସ୍ଵାସ୍ଥ୍ୟ କେନ୍ଦ୍ର ଭିତରେ ପାଣି ନିଷ୍କାସନ ବ୍ୟବସ୍ଥା ନଥିବାରୁ ଏଠି ଅସରାଏ ବର୍ଷା ହେଲେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଯାଉଛି । ଏହି ସ୍ବାସ୍ଥ୍ୟ କେନ୍ଦ୍ରର ଚାରିପାଖରେ ପ୍ରାଚୀର ନଥିବାରୁ ଏଠି ଦିନରେ ଗୋରୁ ଗାଈ ସଂଧ୍ୟା ପରେ ମଦ୍ୟପ ଙ୍କ ଆଡ୍ଡାସ୍ଥଳୀ ପାଲିଟି ଯାଉଛି । ସବୁ ଠାରୁ ଦୁଃଖଦାୟକ ଘଟଣା ଏହା ପୁଣି ହାଇ ପ୍ରୋଫାଇଲ୍ ମାହାଙ୍ଗା ନିର୍ବାଚନମଣ୍ଡଳୀ ରେ ଅବସ୍ଥିତ । ଏନେଇ ସ୍ଥାନୀୟ ଜନସାଧାରଣ ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଯଥା ପୂର୍ବ , ତଥା ପର । ଦେଖିବାକୁ ବାକି ରହିଲା କେବେ ବଦଳୁଛି ସ୍ଵାସ୍ଥ୍ୟ କେନ୍ଦ୍ର ର ଭାଗ୍ୟ ।
ଅବ୍ୟବସ୍ଥା ଘେରରେ ଅସୁରେଶ୍ଵର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର !!!

