ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ କୁ ସ୍ମରଣ ଊଦ୍ଦେଶ୍ୟରେ ସାରା ରାଜ୍ୟରେ ଗତ ୧୫ ଅଗଷ୍ଟରୁ ଅହିଂସା ରଥ ପରିକ୍ରମା କରୁଛି । ଏହି କ୍ରମରେ ବୁଧବାର ପୂର୍ବାହ୍ନରେ ୨ ଗୋଟି ଅହିଂସା ରଥ ଗଜପତି ଜିଲ୍ଲାରେ ପହଞ୍ଚିବ । ଗାନ୍ଧିଜୀଙ୍କ ପରିଦର୍ଶନ ସ୍ଥାନ ପାରଳାଖମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ କରାଯିବା ପରେ ଜିଲ୍ଲାର ୭ ଗୋଟି ବ୍ଲକ୍ ଓ ପାରଳାଖମୁଣ୍ଡି ପୌର ପରିଷଦ ଓ କାଶୀନାଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପରିକ୍ରମା କରିବା ସହ ସ୍ୱାଧୀନତା ସଂଗ୍ରାମର ଗାଥା ଚଳଚିତ୍ର ମାଧ୍ୟମରେ ପ୍ରସାର କରିବ । ସ୍ୱାଧୀନତା ସଂଗ୍ରାମ ସହ ଜଡିତ ଅଂଚଳରେ ବିଶେଷ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବା ସହ ବୁଧବାର ଠାରୁ ଗୁରୁବାର ଦୁଇ ଦିନ ଧରି ଏହି ରଥ ଜିଲ୍ଲା ପରିକ୍ରମା କରିବ । ରହଣି ସ୍ଥାନରେ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ସହ ଭିଡିଓ ପ୍ରଦର୍ଶନ, ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏ ନେଇ ଆବଶ୍ୟକ ପ୍ରସ୍ତୁତି ତଥା ଅହିଂସା ରଥ ଯାତ୍ରାକୁ ସୁଗମ ଓ ଶୃଙ୍ଖଳିତ କରିବାକୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟକ୍ରମରେ ଜନ ପ୍ରତିନିଧି, ଅଙ୍ଗନୱାଡି କର୍ମୀ , ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱେଚ୍ଛାସେବୀ ଓ ଛାତ୍ରଛାତ୍ରୀଙ୍କୁ ସାମିଲ ହେବାକୁ ନିବେଦନ କରାଯାଇଛି । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇ ସ୍ୱାଧୀନତାର ୭୫ ତମ ବର୍ଷ ପୂର୍ତ୍ତି ଆନନ୍ଦ ନେବା ସହ ଅହିଂସା ଓ ଦେଶପ୍ରେମରେ ଉଦବୁଦ୍ଧ ହେବାପାଇଁ ଜିଲ୍ଲା ପ୍ରଶାସନ ତରଫରୁ ନିବେଦନ କରାଯାଇଛି ।