ଦଲାଲି ଓ ଠକେଇ କେନ୍ଦ୍ରରେ ପରିଣତ ହୋଇଛି ନୟାଗଡ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ !!!

0
213

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟ ତା’ ର ମୂଳ ଲକ୍ଷ୍ୟରୁ ହଟି ଏକ ଦଲାଲୀ କେନ୍ଦ୍ରରେ ପରିଣତ ହୋଇଛି ବୋଲି ସି.ଆଇ.ଟି.ୟୁ. ଜିଲ୍ଲା ସଭାପତି ବିଶ୍ବନାଥ ମହାପାତ୍ର ଅଭିଯୋଗ କରିଛନ୍ତି । ନୟାଗଡ ଜିଲ୍ଲାର ହଜାର ହଜାର ଯୁବକ କାମ ଖୋଜିବା ଲକ୍ଷ୍ୟରେ ଅଞ୍ଚଳ ଛାଡି ବାହାର ରାଜ୍ୟକୁ ଛୁଟି ଚାଲିଛନ୍ତି , ଆଉ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି – ତା’ର ହିସାବ କିମ୍ବା ଦାୟବଦ୍ଧତା ଶ୍ରମ ବିଭାଗ ପାଖରେ ନାହିଁ । ଶ୍ରମିକ ଦଲାଲ ମାନଙ୍କୁ ଲାଇସେନ୍ସ ଯୋଗାଣରେ ବ୍ୟସ୍ତ ଶ୍ରମ ଅଫିସ୍ କର୍ମଚାରୀ ! ଶ୍ରମିକ ମାନଙ୍କ ସମସ୍ୟା, ସେମାନଙ୍କ ପ୍ରାପ୍ଯ ସମ୍ବନ୍ଧୀୟ ମୋକଦ୍ଦମା ବୁଝିବାକୁ ବେଳ ପାଆନ୍ତି ନାହିଁ ସେମାନେ । ହଜାର ହଜାର ନିର୍ମାଣ ଶ୍ରମିକଙ୍କୁ ପରିଚୟପତ୍ର ନଦେଇ ଵର୍ଷ ଵର୍ଷ ଧରି ଭୂତାଇ ଚାଲିଛନ୍ତି । କୌଣସି ସହାୟତା ରାଶି ପ୍ରଦାନ ନକରି ସେମାନଙ୍କ ଠାରୁ ନବୀକରଣ ଫିସ ନାମରେ ପ୍ରତିବର୍ଷ ପାଣ୍ଠି ଆଦାୟ ଚାଲିଛି । ଦଲାଲ ଜରିଆରେ ଅଣ ଶ୍ରମିକଙ୍କୁ ପରିଚୟପତ୍ର ବିକ୍ରୀ ଚାଲୁ ରହିଛି । ମୃତ୍ଯୁ ଜନିତ ସହାୟତାରେ ଆଖିବୁଜା ଲୁଟ ଚାଲିଛି । ଶ୍ରମିକ ମାନଙ୍କ ଐକ୍ୟବଦ୍ଧ ସଂଗ୍ରାମକୁ ଦୁ୍ର୍ବଳ କରିବା ପାଇଁ ବିଭାଗୀୟ ସହାୟତାରେ ନିଜ ହାତଗଢା ୟୁନିଅନ ମାନଙ୍କୁ ହାତ ବାରିଶି କରାଯାଉଛି । ବିକ୍ଷୁବ୍ଧ ଶ୍ରମିକ ମାନଙ୍କ ନଜର ଏଡାଇବା ପାଇଁ ଏଠି ଡି.ଏଲ.ଓ. ବଦଳି ପାଲା ଦୀର୍ଘକାଳ ହେଲା ଚାଲୁ ରହିଛି । ଅସଙ୍ଗଠିତ ଶ୍ରମିକ , ଆଶାକର୍ମୀ, ମଧ୍ୟାହ୍ଣ ଭୋଜନ ପାଚିକା, କୃଷକସାଥୀ, ଅଙ୍ଗନୱାଡି କର୍ମୀ, ଗ୍ରାମସାଥୀ ପ୍ରଭୃତି ସ୍କିମ୍ ଶ୍ରମିକ ମାନଙ୍କୁ ସ୍ବଳ୍ପ ପାରିଶ୍ରମିକ ଦେଇ ଗୋତି ଖଟାଉ ଥିବାବେଳେ ସେମାନଙ୍କୁ ନ୍ଯାୟସଙ୍ଗତ ପ୍ରାପ୍ଯ ମିଳିବାରେ ଶ୍ରମ ଅଫିସ୍ ତା’ ର କି ଭୂମିକା ପାଳନ କରୁଛି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । ଶ୍ରମ ଦପ୍ତର ଦାୟିତ୍ଵକୁ ହେୟ ମନେକରି, ଏହାକୁ ଉପଯୁକ୍ତ ସରକାରୀ କ୍ଷେତ୍ରରେ ସ୍ଥାପନ ନକରି ଯେଭଳି ଏକ ସଂକୀର୍ଣ୍ଣ ଭଡାଘରେ କାମଚଳା ହେଉଛି ଏହା ଅତ୍ଯନ୍ତ ଦୁଖଦାୟକ ଘଟଣା । ଶ୍ରମ କାର୍ଯ୍ୟାଳୟ ଯଦି ନିର୍ମାଣ ଶ୍ରମିକ ତଥା ଅନ୍ୟାନ୍ୟ ଅସଙ୍ଗଠିତ ଓ ସ୍କିମ୍ ଶ୍ରମିକ ମାନଙ୍କ ସମସ୍ୟା ସମାଧାନ ନ କରି ଦଲାଲି କେନ୍ଦ୍ରରେ ପରିଣତ ହୁଏ, ତେବେ ସି.ଆଇ.ଟି.ୟୁ.ଆନ୍ଦୋଳନ ଜରିଆରେ ୟାର ଦୃଢ ଜବାବ ଦେବ ବୋଲି ଶ୍ରୀ ମହାପାତ୍ର ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here