କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କେବଳ ଜିଲ୍ଲା ବା ରାଜ୍ୟରେ ନୁହେଁ ବରଂ ସମଗ୍ର ରାଷ୍ଟ୍ରରେ ହଜାର ବର୍ଷର ଐତିହାସିକ ସହର କଟକର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ରାଜ୍ୟର ପୂର୍ବତନ ରାଜଧାନୀ ତଥା ବ୍ୟବସାୟ ର ପେଣ୍ଠସ୍ଥଳ ପାଇଁ କଟକ ସହର ଯେତିକି ଖ୍ୟାତି ଅର୍ଜନ କରିଛି ନିଜର ଭାଇଚାରାକୁ ନେଇ ମଧ୍ୟ ଏହି ସହର ସେତିକି ଚର୍ଚ୍ଚିତ । ଇତିହାସ ସାକ୍ଷୀ ଯେବେବି କଟକରେ କିଛି ବଡ଼ବଡ଼ ସମସ୍ୟା ମୁଣ୍ଡ ଟେକିଛି ପ୍ରଶାସନ ସହ କାନ୍ଧକୁ କାନ୍ଧ ମିଶାଇ ଜାତି, ବର୍ଣ୍ଣ ଓ ଧର୍ମକୁ ପଛରେ ପକାଇ କଟକିଆ ସମାଧାନ ପାଇଁ ଗୋଡ କାଢ଼ିଛନ୍ତି । ତେବେ କଟକର ଏହି ଭାଇଚାରା କୁ ଆହୁରି ସୁଦୃଢ଼ କରିବାର ଦୀର୍ଘଦିନରୁ ପ୍ରୟାସ ଜାରି ରଖିଛି ମାଛୁଆବଜାର ପଞ୍ଚାୟତ କମିଟି । କମିଟି ପକ୍ଷରୁ ବୁଧବାର ଦିନ ଆୟୋଜିତ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ପ୍ରାୟ ୭ ସାହିର ମୁରବୀ, ବୁଦ୍ଧିଜୀବୀ ଓ ବିଶିଷ୍ଟ ବ୍ୟକ୍ତି ମାନେ ଏକତ୍ରିତ ହୋଇଥିଲେ ।

ଆୟୋଜିତ ବନ୍ଧୁ ମିଳନ ଉତ୍ସବରେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଅଦ୍ଭୁତ ଭଲପାଇବା, ସ୍ନେହଶ୍ରଦ୍ଧା ଓ ପରସ୍ପର ପ୍ରତି ସମ୍ମାନ ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ସହରରେ ପାର୍ବଣ ୠତୁ ଚାଲିଥିବା ବେଳେ ହିନ୍ଦୁଙ୍କ ବ୍ୟତୀତ ଏହାର ଶାନ୍ତିଶୃଙ୍ଖଳା ରକ୍ଷାରେ ଅନ୍ୟ ସମ୍ପ୍ରଦାୟର ସମାନ ଭୂମିକା ରହିଛି । ପାର୍ବଣ ହିନ୍ଦୁଙ୍କ ଉତ୍ସବ ହୋଇଥିବା ବେଳେ ଏଥିରେ ସାମିଲ ହେବାରେ ମୁସଲମାନ ମାନଙ୍କର ମଧ୍ୟ ହିନ୍ଦୁଙ୍କ ଭଳି ଅଧିକାର ରହିଛି ବୋଲି କମିଟି ପକ୍ଷରୁ କୁହାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମାଛୁଆବଜାର ସମେତ ମସ୍ତାନ ରୋଡ଼, କଂସେଇ ଲେନ, ବକ୍ସିବଜାର ଆଦି ଅଞ୍ଚଳରୁ ପ୍ରାୟ ୨ ଶହ ମୁସଲମାନ ଭାଇଙ୍କୁ ଉତ୍ତରୀୟ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଆଗାମୀ ଦିନରେ କଟକର ଏହି ଭାଇଚାରା ଆହୁରି ବୃଦ୍ଧି ପାଇବ ଏବଂ ଗୋଟିଏ ମଞ୍ଚରେ ଦଶହରା, ଇଦ ଭଳି ପର୍ବ ପାଳନ ହେବ ବୋଲି ସ୍ଥାନୀୟ ସମାଜସେବୀ କ୍ଷୀରୋଦ ସାହୁ କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାଛୁଆ ବଜାର ପଞ୍ଚାୟତ କମିଟି ସଭାପତି କୁଶ ସାହୁ, କାର୍ଯ୍ୟକାରୀ ସଭାପତି ବାମନ ଚରଣ ଆଚାର୍ଯ୍ୟ, କାର୍ଯ୍ୟକାରୀ ସମ୍ପାଦକ ସଞ୍ଜୟ ସାହୁଙ୍କ ସମେତ ବହୁ ମୁରବୀ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

