ଆଧାର କାର୍ଡ ନମ୍ବର କୁ ନେଇ ଚାଲିଛି ଖେଳ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ବିନୀ କୁମାର ଦେବତା : ଆଧାର କାର୍ଡ ଏକ ବହୁମୁଖୀ ପରିଚୟପତ୍ର ଟିଏ । ଏହା ଏକ ସରକାରୀ ମାନ୍ୟତା ପ୍ରାପ୍ତ ଦସ୍ତାବିଜ । ଅନେକ ସରକାରୀ ଓ ବେସରକାରୀ ଯୋଜନାରେ ହିତାଧିକାରୀ ମାନେ ଲାଭ ପାଇବା ନିମନ୍ତେ ଏହି କାର୍ଡକୁ ସଂଯୋଗ କରାଯାଏ । ବ୍ୟାଙ୍କ, ରାସନ୍ କାର୍ଡ, ପକ୍କାଘର ତଥା ଜମି କିଣାବିକା ପାଇଁ ଏହି ଆଧାର କାର୍ଡ ଏକ ଜରୁରୀ ପରିଚୟପତ୍ର ଟିଏ । ଆଧାର ନିୟମରେ ଅଛି ଯେ ଜଣେ ବ୍ୟକ୍ତିକୁ ଗୋଟିଏ ନମ୍ବର ତଥା ଭିନ୍ନ ଭିନ୍ନ ବ୍ୟକ୍ତିଙ୍କୁ ଅଲଗା ଅଲଗା ନମ୍ବର ପ୍ରଦାନ କରିବା । କିନ୍ତୁ ଆଧାର କାର୍ଡକୁ ନେଇ ଏବେ ଏକ ସାଂଘାତିକ ଖବର ନଜରକୁ ଆସିଛି । ଏ ଖବର ହେଉଛି ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲ ଗ୍ରାମ ପଞ୍ଚାୟତର କେଶବପୁର ଗ୍ରାମର ସୁଶାନ୍ତ କୁମାର ସାହୁଙ୍କର । ତଥ୍ୟ ଅନୁଯାୟୀ ସୁଶାନ୍ତ ଙ୍କ ଆଧାର ନମ୍ୱର ହେଉଛି 589854065867 । ସେ ଦୀର୍ଘ ଦିନ ହେଲା ରାସନ୍ କାର୍ଡ ପାଇଁ , ପଞ୍ଚାୟତ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାରମ୍ବାର ଦୌଡ଼ି ହଇରାଣ ହେଉଛନ୍ତି । ଶେଷରେ ଆଧାର ନମ୍ୱର୍ ଦେଖି ବ୍ଲକ ଅଧିକାରୀ ଜାଣିବାକୁ ପାଇଲେ ଯେ ଆଠମଲ୍ଲିକ ବ୍ଲକରେ ଏହି ଆଧାର ନମ୍ୱର୍ ଜରିଆରେ ରାସନ୍ ସାମଗ୍ରୀ ଉଠାଯାଉଛି । ଏହା ଶୁଣିବା ମାତ୍ରେ ସୁଶାନ୍ତ ତାଜୁବ୍ ହୋଇଗଲେ । ସେଠାରୁ ନିରାଶ ହୋଇ ଫେରିଆସି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଆମ କଣିହାଁ ବ୍ଲକ ପ୍ରତିନିଧି ଙ୍କୁ ଯୋଗାଯୋଗ କଲେ । ଆମ ପ୍ରତିନିଧି ଅନେକ ଅନୁସନ୍ଧାନ କରିବା ପରେ ଜାଣିବାକୁ ପାଇଲେ ଯେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କମ୍ପଲା ପଞ୍ଚାୟତରେ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ ଡିଲର୍ କୋଡ଼ 0102W016 (ସସ୍ମିତା ଦନାୟକ) ଙ୍କ ଅଧୀନରେ ଥିବା ରାସନ୍ କାର୍ଡ ନମ୍ବର-01020511107 ରେ ଏହି ଆଧାର ନମ୍ୱରଟି ସଂଯୋଗ ହୋଇଛି । ସେହି ରାସନ୍ କାର୍ଡରେ ଥିବା ପରିବାର ବିବରଣୀରେ କେବଳ ସୁଶାନ୍ତ ଙ୍କ ନାମ ମିଶୁଥିବା ବେଳେ ସ୍ତ୍ରୀ ଓ ପୁଅର ନାମ ମିଶୁନାହିଁ । ଏହା ହୁଏତ ଗୋଟିଏ ଆଧାର ନମ୍ୱର୍ ଦୁଇଟି ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇ ଥାଇପାରେ । ଏହା କିପରି ସମ୍ଭବ ହେଲା, ତାହା ତଦନ୍ତ ସାପେକ୍ଷ । ଏପରି ହେବା ଯୋଗୁଁ ସୁଶାନ୍ତ ଅନେକ ସରକାରୀ ଯୋଜନାର ସୁଫଳ ପାଇପାରୁ ନାହାନ୍ତି । ଯଦି ଏହା ସତ ତେବେ ବଡ଼ ସାଂଘାତିକ ଘଟଣା । ଆଧାର କାର୍ଡର ସୁରକ୍ଷା ଉପରେ ଏହା ବଡ଼ ପ୍ରଶ୍ନବାଚୀ ? ତେବେ ସେ ଯାହାହେଉ ଆଧାର କାର୍ଡକୁ ନିର୍ଭୁଲ କରି ନ୍ୟାୟ ପ୍ରଦାନ କରିବା ନିମନ୍ତେ ପ୍ରଶାସନ ଦୃଷ୍ଟି ଦେଉ, ଏହା ସୁଶାନ୍ତ ଦାବି କରିଛନ୍ତି ।

 

Leave a Reply

Your email address will not be published. Required fields are marked *