ପରିବେଶ ସଚେତନତା ଓ ବୃକ୍ଷ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ଗ୍ରାମର ପ୍ରସିଦ୍ଧ ଶୈବପୀଠ କପିଳେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ନୃତ୍ୟ ଓ ସଂଗୀତ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା । ତୁଳସୀପୁର ଗ୍ରାମର ବିଶିଷ୍ଟ ପରିବେଶବିତ୍ ପ୍ରସନ୍ନ କୁମାର ସାହୁଙ୍କ ପରିଚାଳନାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଶେଷ କରି ବନ୍ୟା, ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟରୁ କିପରି ରକ୍ଷା ମିଳି ପାରିବ ସେ ସଂପର୍କରେ ଉଦାହରଣ ମାଧ୍ୟମରେ ଓ ଦୈନନ୍ଦିନ ଜୀବନର କାର୍ଯ୍ୟକ୍ରମକୁ କିପରି ସରସ ସୁନ୍ଦର କରାଯାଇ ପାରିବ ସେ ସଂପର୍କରେ ଶ୍ରୀ ସାହୁ ଉଲ୍ଲେଖ କରିଥିଲେ । ମୁଖ୍ୟ ଅତିଥି ଭାବରେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ପରିବେଶ କିପରି ସରସ ସୁନ୍ଦର ହୋଇ ପାରିବ ସେ ସଂପର୍କରେ ଆଲୋକପାତ କରିବା ସହିତ ସମସ୍ତେ ନିଜ ବାଡି ବଗିଚାରେ ବୃକ୍ଷରୋପଣ କରିବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଆର୍ତ୍ତବନ୍ଧୁ ବିଶ୍ୱାଳ, ସମାଜସେବୀ ମନୋଜ କୁମାର ସାହୁ, କବି ଲଲାଟେନ୍ଦୁ ପଣ୍ଡା, ପ୍ରକୃତି ବନ୍ଧୁ ଦୀପକ କୁମାର ସାମନ୍ତରା, ଦୁଷ୍ମନ୍ତ ଛାଟୋଇ, ଭ୍ରମରବର ରାଉତ, ସୁଦର୍ଶନ ସାହୁ, ପ୍ରମୋଦ କୁମାର ସାହୁ ପ୍ରମୁଖ ଯୋଗଦାନ କରି ପରିବେଶ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ତୁଳସୀପୁର ରଙ୍ଗଣୀ ସାହିର ଯୁବ ସାଂସ୍କୃତିକ ପରିଷଦ ତରଫରୁ ପରିବେଶ ସମ୍ବନ୍ଧୀୟ ନୃତ୍ୟ ପରିବେଶଣ କରାଯାଇଥିଲା ଏବଂ ବିଜୟ ପରିଡା, କବିତା ରଣା ଓ ଦ୍ରୌପଦୀ ସାହୁ ପ୍ରମୁଖ ପରିବେଶ ସମ୍ବନ୍ଧୀୟ ଗୀତ ପରିବେଶଣ କରିଥିଲେ । ଶେଷରେ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ବିଭିନ୍ନ ପ୍ରକାରର ଫଳ ଓ ଔଷଧିୟ ବୃକ୍ଷ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କଳାପଥର ଗ୍ରାମର ବହୁ ମହିଳା ଓ ଜନସାଧାରଣ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

 

Leave a Reply

Your email address will not be published. Required fields are marked *