ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର 33 ତମ ଶିଶୁକୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ଇଟାଲି ଦେଶର ଏକ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି । ପ୍ରାୟ 5 ବର୍ଷ ତଳେ ଏହି ପୁଅଟିକୁ ମୋହନା ଅଞ୍ଚଳରୁ ଅସହାୟ ଅବସ୍ଥାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଚାଇଲଡ଼ଲାଇନ୍ ଉଦ୍ଧାର କରି ଡ଼େ ଷ୍ଟାର୍ ହୋମ୍, ଜରଉ, ମୋହନା ଶିଶୁ ଯତ୍ନ ଅନୁଷ୍ଠାନରେ ରଖି ତାହାର ସମସ୍ତ ଯତ୍ନ ଏବଂ ସୁରକ୍ଷା ଗଜପତି ଜିଲ୍ଲା ପ୍ରଶାସନ ଦେଇ ଆସୁଥିଲା । ପୁଅଟିର ପିତାଙ୍କ ମୃତ୍ୟୁ ପରେ ମାଆ ଅନ୍ୟତ୍ର ବାହା ହୋଇ ଛାଡ଼ି ଚାଲି ଯାଇଥିଲେ। ଶିଶୁଟି ଉଦ୍ଧାର ହେଲା ପରେ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ହସ୍ତକ୍ଷେପ ପରେ ମାଆ ଶିଶୁ ମଙ୍ଗଳ ସମିତି, ଗଜପତି ଆଗରେ ସମର୍ପିତ କରିଥିଲେ । ପରବର୍ତ୍ତି ମୁହୁର୍ତ୍ତରେ ଶିଶୁ ମଙ୍ଗଳ ସମିତି, ଗଜପତି ଆଇନତଃ ମୁକ୍ତ ଭାବେ ପ୍ରାୟ ଚାରି ବର୍ଷ ହେଲା ଘୋଷଣା କରିଥିଲେ। ପରବର୍ତ୍ତି ସମୟରେ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ନିଶାନ୍ ସାଲୋମ୍, ପାରଳାଖେମୁଣ୍ଡି ମାଧ୍ୟମରେ ପୁଅଟିକୁ ପୋଷ୍ୟ ସନ୍ତାନ ନିମନ୍ତେ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ଅପଲୋଡ଼ କରାଯାଇଥିଲା । ଯାହାଦ୍ବାରା ଶିଶୁଟି ପୋଷ୍ୟ ଭାବେ ଯେକୌଣସି ଦମ୍ପତ୍ତିଙ୍କ ପାଖକୁ ଯାଇପାରିବ, ତାହା ସମସ୍ତଙ୍କୁ ପୋର୍ଟାଲ୍ ମାଧ୍ୟମରେ ଜଣାଇ ଦିଆ ଯାଇଥିଲା !

ଚାରି ବର୍ଷ ଧରି ଏକ ପୋଷ୍ୟ ସନ୍ତାନ ପାଇଁ ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଇଟାଲୀୟ ଦମ୍ପତ୍ତିଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ । ଉପରୋକ୍ତ ଦମ୍ପତ୍ତି ଭିଡ଼ିଓ ମାଧ୍ୟମରେ ଶିଶୁକୁ ପସନ୍ଦ କରି ନେବା ପାଇଁ ସ୍ଥିର କରିଥିଲେ । ତାପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ଗଜପତି ପ୍ରସ୍ତୁତ କରିଥିଲେ। ସମସ୍ତ ଦସ୍ତାବିଜକୁ ଜିଲ୍ଲାପାଳ ଏବଂ ମାନ୍ୟବର କୋର୍ଟ ଯାଞ୍ଚ କରିବା ପରେ ଆଜି ଶିଶୁଟିକୁ ଇଟାଲୀୟ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରି ଦିଆଯାଇଥିଲା । ଏହି ଶିଶୁଟି ପୁତ୍ର ସନ୍ତାନ ହୋଇଥିଲା ବେଳେ ଏହାର ବୟସ ମାତ୍ର 12 ବର୍ଷ । ଶିଶୁଟିକୁ ପାଇ ଦମ୍ପତ୍ତି ବେଶ ଖୁସି ଥିବା ଲକ୍ଷ୍ୟ କରାଯାଇଥିଲା । ସାମ୍ବାଦିକ ମାନେ ଦମ୍ପତ୍ତିଙ୍କୁ ଯେତେବେଳେ ପଚାରିଲେ ଆପଣ ଭାରତରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ତାହାରି ଉତ୍ତରରେ ଦମ୍ପତ୍ତି କହିଥିଲେ ଭାରତ ଗୋଟିଏ ସୁନ୍ଦର ଦେଶ ଏବଂ ଭାରତର ସଂସ୍କୃତି ଓ ପରମ୍ପରା ଆମକୁ ବହୁତ ଭଲ ଲାଗେ । ଦମ୍ପତ୍ତିଙ୍କ ସହ ଆଫା, ନୂଆ ଦିଲ୍ଲୀରୁ ଶ୍ରୀ ହସମୁଖ୍ ଠକ୍କର ଉପସ୍ଥିତ ଥିଲେ ଯିଏକି ଆଫା ତରଫରୁ ଇଟାଲିକୁ ପ୍ରତିନିଧି କରୁଛନ୍ତି । ହସ୍ତାନ୍ତର ସମୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରୀପାଠୀ, ନିସାନ ସାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ପ୍ରତ୍ୟୁଷ କୁମାର ସୂର୍ଯ୍ୟ, ଡ଼େ-ଷ୍ଟାର ହୋମ୍, ଜରାଉ ର କର୍ମକର୍ତ୍ତା, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

