ବାଣପୁର ଥାନା ସମୁଖରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ : ପୁଲିସ ନାକେଦମ୍ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସମୁଖରେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ଯମ କରିବା ଘଟଣା ନେଇ ଜୋର ଧରିଛି ଚର୍ଚ୍ଚା ! ତେବେ ପୁଲିସ ତାଙ୍କୁ ଉଦ୍ଧାର କରିଥିଲା । ସେତେବେଳକୁ ଯୁବକ ଜଣଙ୍କ ପୁଲିସକୁ ପାଣି ପିଆଇ ଦେଇଥିଲେ । ସୂଚନା ଯୋଗ୍ୟ ଯେ ମଧ୍ୟାହ୍ନରେ ଜଣେ ୩୦ ରୁ ୩୫ ବର୍ଷୀୟ ଯୁବକ ଥାନା ସମୁଖ ରାସ୍ତାରେ ଏଣେତେଣେ ବୁଲୁଥିଲେ । ତେବେ କିଛି ସମୟ ପରେ ହଠାତ୍ ଥାନା ମୁଖ୍ୟ ଫାଟକ ନିକଟରେ ଥିବା ବିଦ୍ୟୁତ ଖୁଣ୍ଟରେ ଚଢ଼ି ଯାଇ ପିନ୍ଧିଥିବା ପ୍ୟାଣ୍ଟ ରେ ଝୁଲି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଘଟଣା ସମ୍ପର୍କରେ କିଛି ବୁଝି ନପାରି ସ୍ଥାନୀୟ ଦୋକାନୀଙ୍କ ସହ ରାସ୍ତାରେ ଯାଉଥିବା ଲୋକମାନେ ସେଠାରେ ଜମା ହୋଇ ଯାଇଥିଲେ । ତେବେ ବାଣପୁର ଥାନା ଅଧିକାରୀ ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ କର୍ମଚାରୀଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କ ବୁଝାଶୁଝା କରିଥିଲେ ମଧ୍ୟ ଯୁବକ ଜଣଙ୍କ ନିଜ ଜିଦରେ ଅଟଳ ରହିଥିଲେ । ଏ ମଧ୍ୟରେ ଥାନା ଅଧିକାରୀ ଙ୍କ ଇସାରାରେ ଦୁଇଜଣ ପୁଲିସ କର୍ମଚାରୀ ଖୁଣ୍ଟରେ ଚଢ଼ି ଯୁବକଙ୍କୁ କାବୁ କରି ଥାନାକୁ ନେଇଥିଲେ । ତେବେ ଉଦ୍ଧାର ସମୟରେ ଯୁବକଙ୍କ ଆକ୍ରମଣରେ ଜଣେ କର୍ମଚାରୀ ସାମାନ୍ୟ ଆହତ ହୋଇଥିଲେ । ତଦନ୍ତରୁ ଜଣା ପଡ଼ିଛି ଯୁବକ ଜଣଙ୍କ ଗଞ୍ଜାମ ଜିଲ୍ଲା ଜରପଢା ଗ୍ରାମର କୃଷ୍ଣ ଚଟି ଏବଂ ସେ ସାମାନ୍ୟ ମାନସିକ ବିକୃତ ଅଟନ୍ତି । ଏଣୁ ତାଙ୍କୁ ସୁରକ୍ଷିତ ଭାବେ ଗ୍ରାମରେ ପହଞ୍ଚାଇବା ପାଇଁ ଥାନା ଅଧିକାରୀ ଜୟ ପ୍ରକାଶ ପରିଡା ଦୁଇଜଣ ପୁଲିସ କର୍ମଚାରୀଙ୍କୁ କାମରେ ଲଗାଇଛନ୍ତି । ଏମାନେ ମଧ୍ୟ କୃଷ୍ଣ ସହ ତାଙ୍କ ଗାଁକୁ ଯାଇଛନ୍ତି । ଏହି ଘଟଣା କିନ୍ତୁ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *