ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଦୀର୍ଘ ୫ ବର୍ଷ ଧରି ନୟାଗଡ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ମିଳୁନି, ମୃତ୍ୟୁ କାଳୀନ ସହାୟତା, ଝିଅ ବିବାହ, ପିଲାଙ୍କ ପାଠପଢା ସହାୟତା ମିଳୁନାହିଁ । ଅଣସଂଗଠିତ ଶ୍ରମିକଙ୍କ ମୃତ୍ୟୁ ସହାୟତା, ପରିଚୟ ପତ୍ର ଆଦି ପ୍ରଦାନ କରାଯାଉନାହିଁ । ଜିଲ୍ଲା ଶ୍ରମ ଅଧିକାରୀ ଅଫିସ୍ ଆସୁ ନାହାନ୍ତି । ଅଫିସ୍ ଭିତରେ ଘୋର ଅନିୟମିତତା ଲାଗିରହିଛି । ବହୁ ଆନ୍ଦୋଳନ ପରେ ଗତ ୨୭/୧୦/୨୦୨୨ ରିଖ ଦିନ ପ୍ରାୟ ୮ଶହ ଶ୍ରମିକ, ହିତାଧିକାରୀ, ଶ୍ରମିକ ସଂଗଠନ କର୍ମକର୍ତା ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଜିଲ୍ଲା ଶ୍ରମ ଅଧିକାରୀ ଏବଂ ଗ୍ରାମାଞ୍ଚଳ ଶ୍ରମ ନିରୀକ୍ଷକ ଏବଂ ପୋଲିସ୍ ବନ୍ଧୁ ମାନଙ୍କ ଉପସ୍ଥିତିରେ ଆସନ୍ତା ୧ ମାସ ମଧ୍ୟରେ ସମସ୍ତ ସହାୟତା ପ୍ରଦାନ ସହ ମାସକୁ ୧ ହଜାର ଲେଖାଏଁ , ନିର୍ମାଣ ଶ୍ରମିକ ପରିଚୟପତ୍ର ପ୍ରଦାନ କରିବାକୁ ଲିଖିତ ପ୍ରତିଶୃତି ପ୍ରଦାନ କରିଥିଲେ । ମାତ୍ର କୌଣସି ସୁଫଳ ନ ମିଳିବାରୁ ଶ୍ରମିକ ନେତା ବସୁଦେବ ମହାନ୍ତି ଏବଂ ଶ୍ରୀକାନ୍ତ ପଟ୍ଟନାୟକ ଜିଲ୍ଲାପାଳଙ୍କ ଅଫିସ୍ ସମୁଖରେ ଆମରଣ ଅନଶନ ଆରମ୍ଭ କରିଛନ୍ତି । ଅନଶନକୁ ସମାଜସେବୀ ପ୍ରଭାସିନୀ ନନ୍ଦ, ପ୍ରମୋଦ ପଟ୍ଟନାୟକ, ବରିଷ୍ଠ ସି.ଆଇ. ଟି.ୟୁ.ନେତା ବିଶ୍ବନାଥ ମହାପାତ୍ର, କଂଗ୍ରେସ ଜିଲ୍ଲା ସଭାପତି ରଣଜିତ ଦାସ, ଆଶାକର୍ମୀ ସଂଘ, ପାଚିକା ସହାୟିକା ସଂଘ, ଜିଲ୍ଲାର ୧୬ ଟି ଶ୍ରମିକ ସଂଗଠନ ପ୍ରମୁଖ ସମର୍ଥନ କରିଛନ୍ତି ।
ଶ୍ରମିକ ମାରଣନୀତି କୁ ବିରୋଧ କରି ଏବଂ ସହାୟତା ଦାବିରେ ଆମରଣ ଅନଶନ !!!

