ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଜି ଠାରୁ ମରାଳ ମାଳିନୀ ନୀଳାମ୍ବୁ ଚିଲିକାରେ ଆରମ୍ଭ ହେବ ଡଲଫିନ ଗଣନା । ଚିଲିକା ଫରେଷ୍ଟ ଡିଭିଜନ ତରଫରୁ ଏହି ଡଲଫିନ୍ ଗଣନା କରାଯିବ । ସେଥିପାଇଁ ମଙ୍ଗଳବାର ବନ୍ୟପ୍ରାଣୀ ବିଭାଗ କାର୍ଯ୍ୟାଳୟରେ ଏକ ପ୍ରଶିକ୍ଷଣ ଶିବିର ହୋଇଥିଲା । ଚିଲିକା ବନ୍ୟପ୍ରାଣୀ ଡିଭିଜନର ୨ ଟି ରେଞ୍ଜ ବାଲୁଗାଁ ଓ ସାତପଡ଼ାକୁ ୧୮ ଭାଗରେ ବିଭକ୍ତ କରାଯାଇଛି । ଆଜି ସକାଳ ୬ ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଏହି ଗଣନା ଚାଲିବ । ଚଳିତ ବର୍ଷ ଡଲଫିନ ଗଣନା କାମରେ ୧୮ ଟି ଟିମ୍ ନିୟୋଜିତ ହୋଇଛନ୍ତି । ବାଲୁଗାଁରେ ୧୦ ଟି ଏବଂ ସାତପଡ଼ା ରେଞ୍ଜ ଅଧୀନରେ ମୋଟ୍ ୮ ଟି ଟିମ୍ ଗଠନ ହୋଇଛି । ଗୋଟିଏ ଟିମ୍ରେ ୫ ରୁ ୬ ଜଣ ସଦସ୍ୟ ନିୟୋଜିତ ହେବେ । ଏହି ଟିମ୍ରେ ଓୟୁଏଟି ଛାତ୍ରଛାତ୍ରୀ, ବନ ବିଭାଗ କର୍ମଚାରୀ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ), ସ୍ୱେଚ୍ଛାସେବୀ ସଙ୍ଗଗଠନ ସଦସ୍ୟ ଏବଂ ପରିବେଶବିତ୍ ମାନେ ସାମିଲ ହୋଇଛନ୍ତି । ବୋଟରେ ଚିଲିକା ଭିତରକୁ ଯାଇ ଜିପିଏସ ମାଧ୍ୟମରେ ଲାଇନଟ୍ରାକ୍ ଓ ବାଇନକୁଲାର ମାଧ୍ୟମରେ ସର୍ଭେ ଓ ଗଣନା କରାଯିବ । ଗତବର୍ଷ ଚିଲିକାରେ ୧୬୪ ଟି ଇରାୱାଡି ଡଲଫିନ ଥିବା ଚିହ୍ନଟ ହୋଇଥିଲା । ୩ ଦିନ ଧରି (ଡିସେମ୍ୱର ୨୧, ୨୨, ୨୩ ତାରିଖ ) ଏହି ଡଲଫିନ୍ ଗଣନା ହେବ ବୋଲି ଚିଲିକା ବନ୍ୟପ୍ରାଣୀ ଡିଭିଜନର ଏସିଏଫ ପ୍ରଶାନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି ।