ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତ ଦୋଳ ଗୋବିନ୍ଦପୁର ଗ୍ରାମ ନୁଆସାହିରେ ରବିବାର ବିଳମ୍ବିତ ରାତ୍ରୀରେ ବିଦ୍ୟୁତ ସଟ୍ ସର୍କିଟ ଯୋଗୁଁ ଘଟିଛି ଏକ ଭୟାନକ ଅଗ୍ନିକାଣ୍ଡ । ଯେଉଁଥିରେ ଦୁଇଟି ପରିବାରର ତିନି ବଖରା ଚାଳଘର ସମେତ ଟଙ୍କା ପଇସା ଓ ବିଭିନ୍ନ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଖବର ନେବାରେ ଜଣାଯାଏ , ଦୋଳଗୋବିନ୍ଦପୁର ନୁଆସାହିର ସନିଆ ପ୍ରଧାନ ପ୍ରତିଦିନ ପରି ରବିବାର ରାତିରେ ରାତ୍ରୀ ଭୋଜନ ସାରି ନିଜ ପରିବାର ସହ ଶୋଇ ଯାଇଥିଲେ । ରାତ୍ରୀ ପ୍ରାୟ ୨ ଦୁଇଟା ପରେ କୈାଣସି କାରଣ ଯୋଗୁ ସର୍ଟ ସର୍କିଟ ହେବାରେ ସନିଆଙ୍କ ଚାଳ ଘରେ ନିଆଁ ଲାଗିଯାଇଥିଲା । ନିଆଁ ପ୍ରକୋପ ଏପରି ଥିଲା ଯେ , ଚାହୁଁଚାହୁଁ ସନିଆଙ୍କ ଦୁଇ ବଖରା ଘର ସମ୍ପୂର୍ଣ ପୋଡ଼ି ଧୂଳିସାତ ହୋଇଥିଲା ! ପଡୋଶୀ ସୁଦର୍ଶନ ପ୍ରଧାନଙ୍କ ଚାଳ ଘରକୁ ମଧ୍ୟ ନିଆଁ ଲାଗି ଯାଇଥିଲା । ଫଳରେ ଦୁଇ ପରିବାରଙ୍କ ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଘଟଣା ସମ୍ପର୍କରେ ବାଣପୁର ଅଗ୍ନିଶମ ବାହିନୀ ଖବର ପାଇ ସେଠାରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ସୁଦ୍ଧା , ସେତେବେଳକୁ ଉଭୟ ପରିବାରର ଘର ଓ ବହୁ ଆସବାବପତ୍ର ପୋଡ଼ି ପାଉଁଶ ହୋଇ ଯାଇଥିଲା । ତେବେ ସେମାନେ ଅତି ଗରିବ ଶ୍ରେଣୀର ଲୋକେ ହୋଇଥିବାରୁ ସେମାନଙ୍କୁ ସରକାରୀ ସହାୟତା ନିମନ୍ତେ ସାଧାରଣରେ ଦାବି ହେଉଛି ।
ଦୋଳଗୋବିନ୍ଦପୁର ଗ୍ରାମରେ ଅଗ୍ନିକାଣ୍ଡରେ ଦୁଇ ପରିବାର ର ଘର ପୋଡ଼ି ପାଉଁଶ !!!

