ରାସଗୋବିନ୍ଦପୁର ( ଆୱାଜ ମିଡ଼ିଆ ) – ଚନ୍ଦନ କୁମାର ଦାସ : ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଅମରଦା ପଞ୍ଚାୟତର ବାଶୂଳି ଚିରକୁଣି ପଦା ଗାଁ ର ଭୂପେନ ବେହେରା ଙ୍କ ବଡ଼ପୁଅ ବଳରାମ ବେହେରା ଦୀର୍ଘ ୨ ବର୍ଷ ହେବ ଆନ୍ଧ୍ର ପ୍ରଦେଶର ବିଜୟୱଡା ଅଞ୍ଚଳ ରେ ଏନ୍ଏସ୍ଏଲ୍ ଟେକ୍ସ୍ ଟାଇଲ କମ୍ପାନୀ ରେ କାମ କରୁଥିଲେ । ଘରେ ସ୍ତ୍ରୀ କିରଣବାଳା ଓ ୬ ବର୍ଷର ପୁଅ ରାଜଦିପ୍ ସହ ବୃଦ୍ଧା ବାପା ମା ରହୁଥିଲେ । ଗରିବ ପରିବାରର ହୋଇଥିଲେ ସୁଦ୍ଧା ପୁଅ ରାଜ୍ୟ ବାହାରେ କାମ କଲାରୁ ଅଭାବ ଅନଟନ ଦୂରେଇ ଯାଇଥିଲା । ହସ ଖୁସିରେ ଚାଲିଥିଲା ସଂସାର, ତେବେ ଗତ ରବିବାର ଦିନ ସାଢେ ୧୦ ଟାରୁ ୧୨ଟା ପର୍ଯ୍ୟନ୍ତ ସ୍ତ୍ରୀ ସମେତ ପରିବାର ଲୋକଙ୍କ ସହ ଭିଡ଼ିଓ କଲ କରି କଥା ହୋଇଥିଲେ । କଥା ହେଲା ବେଳେ ସେ ସମ୍ପୂର୍ଣ୍ଣ ଭଲରେ ଥିବା କହିଥିଲେ ଏବଂ ଘରର ଭଲ ମନ୍ଦ ହାଲଚାଲ ପଚାରି ବୁଝିଥିଲେ । ତେବେ ଦିନ ୧ ଟାରେ କମ୍ପାନୀ ରୁ କଲ ଆସିଲା ଯେ ବଳରାମ ର ହୃଦଘାତରେ ମୃତ୍ୟୁ ହୋଇଛି । ଏକଥା ପରିବାର ଲୋକେ ସହଜରେ ବିଶ୍ୱାସ କରିପାରୁ ନ ଥିଲେ ସୁଦ୍ଧା ଗତ କାଲି ଆନ୍ଧ୍ର ରୁ ଏକ ଆମ୍ବୁଲାନ୍ସ ଯୋଗେ ବଳରାମ ଙ୍କ ମର ଶରୀର ବାଶୂଳି ସ୍ଥିତ ବାସଭବନରେ ପହଞ୍ଚିଥିଲା । ଶୋକାକୁଳ ପରିବେଶ ଭିତରେ ପରିବାର ଲୋକ ଓ ଗ୍ରାମବାସୀ ବୃନ୍ଦ ଶବ ଗ୍ରହଣ ନକରି , ଆମ୍ବୁଲାନ୍ସ ଟିକୁ ଅଟକ ରଖିଥିଲେ । ମୟୂରଭଞ୍ଜ ଜିଲ୍ଲାର ଦିବ୍ୟାଙ୍ଗ ସଂଘ ସଭାପତି ଅରୁଣ କୁମାର ବେହେରା ଉପସ୍ଥିତ ହୋଇ ମୃତ ପରିବାର ବର୍ଗଙ୍କୁ ସହଯୋଗ କରିଥିଲେ । ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବାରୁ ଏବଂ ଶବ ବ୍ୟବଚ୍ଛେଦ କମ୍ପାନୀ ତରଫରୁ କରାଯାଇ ନ ଥିବାରୁ ହତ୍ୟା ସନ୍ଦେହ କରି ରାସଗୋବିନ୍ଦପୁର ଥାନାରେ ଅଭିଯୋଗ କରିଥିଲେ । ତେବେ ଶବଟିକୁ ପ୍ରଥମେ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଯାଞ୍ଚ କରାଯିବା ପରେ, ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଯାଇଛି । ଏ ବାବଦରେ ରାସଗୋବିନ୍ଦପୁର ଥାନାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଏପଟେ ପରିବାର ଲୋକେ ନ୍ୟାୟ ପାଇଁ ଦାବୀ ରଖିଥିବା ବେଳେ, ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ରହସ୍ୟ ଜଣା ପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଟେକ୍ସସଟାଇଲ କମ୍ପାନୀ ତରଫରୁ ଶବ ସତ୍କାର ପାଇଁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ତେବେ ମୟୂରଭଞ୍ଜ ରୁ ବାହାରକୁ ଯାଉଥିବା ଦାଦନ ଶ୍ରମିକଙ୍କ ମୃତ୍ୟୁ ହେଲେ କମ୍ପାନୀ ତରଫରୁ ନ୍ୟାୟ ପାଇବା ପାଇଁ ଆଗକୁ ଲଢେଇ ଜାରି ରଖିବେ ବୋଲି ଅରୁଣ ବେହେରା କହିଛନ୍ତି ।
ଆନ୍ଧ୍ର ପ୍ରଦେଶରେ ଓଡ଼ିଆ ଯୁବ ଶ୍ରମିକ ଙ୍କ ସନ୍ଦେହ ଜନକ ମୃତ୍ୟୁ !!!

