କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ପାଣି ପଞ୍ଚାୟତ ଏକ କୃଷକ ସଙ୍ଗଠନ ସ୍ତରୀୟ ସଂସ୍ଥା ହୋଇଥିବାରୁ ଜିଲ୍ଲାର କୃଷକ କଲ୍ୟାଣ ନିମନ୍ତେ ପାଣି ପଞ୍ଚାୟତ ସଶକ୍ତିକରଣ ପାଇଁ ସରକାରଙ୍କ ଭୂମିକା ଅପରିହାର୍ଯ୍ୟ । କେନ୍ଦ୍ରାପଡା ଉଠା ଜଳସେଚନ ଖଣ୍ଡ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୀତାଞ୍ଜଳୀ ସେଠୀ ଯୋଗ ଦେଇଥିବା ବେଳେ ଉଠା ଜଳସେଚନର ସହକାରୀ ଯନ୍ତ୍ରୀ ଅଜୟ କୁମାର ପ୍ରଧାନ, ଡିଇଓ ତୁଷାର କାନ୍ତ ସାମଲ, ଜଳ ସେଚନ ବିଭାଗର ସୁପରିଟେଣ୍ଡେଣ୍ଟ ଇଂଜିନିୟର ଉମେଶ ଚନ୍ଦ୍ର ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପାଣି ପଞ୍ଚାୟତର ସାଙ୍ଗଠନିକ ବ୍ୟବସ୍ଥା, ବିବିଧ କାର୍ଯ୍ୟାବଳୀ , ପାଣି ପଞ୍ଚାୟତ ସଶକ୍ତିକରଣ ପାଇଁ ସରକାରଙ୍କ ପଦକ୍ଷେପ, କୃଷିର ଉନ୍ନତି ଓ ଜମିହୀନ ଲୋକଙ୍କର ଜୀବନ ଜୀବିକା ବିକାଶ ଉପରେ ଆଲୋଚନା କରାଯାଇଥିଲା ।

ଏହା ସହ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଚାଷୀମାନେ ସେମାନଙ୍କର ସମସ୍ୟା ଓ ଅଭିଯୋଗ ଜଣାଇଥିଲେ । ଉଠା ଜଳସେଚନ ବିଭାଗର ପ୍ରମୁଖ ଯନ୍ତ୍ରୀ ଅଜୟ କୁମାର ପ୍ରଧାନ କହିଥିଲେ ପାଣି ପଞ୍ଚାୟତ ହେଉଛି ଏକ ସ୍ୱୟଂ ଚାଳିତ ସଂସ୍ଥା, ଯାହାକି ବିଦ୍ୟୁତ ଶକ୍ତି ଉପରେ ଅଧିକ ନିର୍ଭର କରିଥାଏ । ଚାଷୀମାନେ ଠିକ ସମୟରେ ବିଦ୍ୟୁତ ବିଲ ପୈଠ ନକରିବାରୁ ଠିକ ସମୟରେ ପାଣି ପାଇପାରୁ ନଥିବା ଏବଂ ଟାଟା ପାୱାର ସହିତ କୋର୍ଡିନେସନ ମାଧ୍ୟମରେ ସମାଧାନ କରାଯିବ ବୋଲି କହିଥିଲେ । ଏହା ସହ ଚାଷୀମାନଙ୍କର ଏକତା ଓ ସହଭାଗିତାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ବିଭିନ୍ନ ସ୍କୁଲରୁ ଆସିଥିବା ଛାତ୍ରଛାତ୍ରୀ ମାନେ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ନିଜ ନିଜର ବକୃତା , ରଚନା ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇଥିଲେ ।

