ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଭାରତୀୟ କ୍ଷେତ ମଜଦୂର ୟୁନିୟନ ତରଫରୁ ବିଭିନ୍ନ ସମସ୍ୟା ନେଇ ଘେରାଉ କରାଯାଇଥିଲା । ଭାରତୀୟ କ୍ଷେତ ମଜଦୁର ୟୁନିୟନର ରାଜ୍ୟ ସଭାପତି ଜେନା ସୁବାଷ ଚନ୍ଦ୍ର ରାଓଙ୍କ ନେତୃତ୍ୱରେ ସରକାର ଙ୍କ ବିଭିନ୍ନ ଯୋଜନାର ସୁବିଧା ପାଇବାରୁ ବଞ୍ଚିତ ହୋଇଥିବା ବହୁ ସଂଖ୍ୟକ ପ୍ରକୃତ ହିତାଧିକାରୀ ଓ କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ପାରଳାଖେମୁଣ୍ଡି ସହର ପରିକ୍ରମା କରିବା ସହ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଘେରାଉ କରିଥିଲେ । ଏଥିରେ ସି ପି ଆଇ ନେତା ତଥା ଛତ୍ରପୁରର ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ ଯୋଗଦେଇ ଉଦବୋଧନ ଦେଇଥିଲେ । ଭାରତୀୟ କ୍ଷେତ ମଜଦୂର ୟୁନିୟନ ର ରାଜ୍ୟ ସଭାପତି ଶ୍ରୀ ରାଓ ଓ ପୂର୍ବତନ ବିଧାୟକ ତଥା ସି ପି ଆର ବରିଷ୍ଠ ନେତା ଶ୍ରୀ ରେଡ୍ଡୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ମାରଣ ନୀତି ବିରୋଧରେ ନିଜ ନିଜ ଭାଷଣରେ ତୀବ୍ର ପ୍ରତିବାଦ କରିବା ସହ ସମାଲୋଚନା କରିଥିଲେ । ଏହା ପରେ ସେମାନେ 27 ଦଫା ସମ୍ବଳିତ ଦାବିପତ୍ର ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, 5 T ସଚିବ ଓ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଦାନ କରିଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଦାବିପତ୍ର ଗ୍ରହଣ କରିଥିଲେ । ଉକ୍ତ ଦାବିପତ୍ର ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଯୋଗ୍ୟଙ୍କୁ ବାଦ ଦେଇ ପ୍ରକୃତ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବା, ଗରିବ ଲୋକଙ୍କୁ ବ୍ୟାଙ୍କ ଋଣ ପ୍ରଦାନ କରିବା, ସମସ୍ତ ଚାଷ ଜମିକୁ ଜଳ ସେଚନ ବ୍ୟବସ୍ଥା କରିବା, 200 ୟୁନିଟ ମାଗଣା ବିଦ୍ୟୁତ ଯୋଗାଇବା,ସଂଶୋଧିତ ଜଙ୍ଗଲ ଜମି ଅଧିକାର ଆଇନକୁ ପ୍ରତ୍ୟାହାର କରିବା, ଆବାସ ଯୋଜନା ଅର୍ଥ ରାଶି 5 ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ବେରୋଜଗାର ଯୁବକ ଯୁବତୀଙ୍କୁ ମାସିକ 10 ହଜାର ଟଙ୍କା ଲେଖାଏଁ ବେକାରୀ ଭତ୍ତା ପ୍ରଦାନ କରିବା, ଭିନ୍ନକ୍ଷମ ଭତ୍ତା ବୃଦ୍ଧି କରିବା, ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ପ୍ରଦାନ କରିବା ଇତ୍ୟାଦି ବିଭିନ୍ନ ଦାବୀ ଉଲ୍ଲେଖ ରହିଛି ।
ବିକେଏମୟୁ ତରଫରୁ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ !!!

