ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ୫୩ ନଂ ଜାତୀୟ ରାଜପଥ ସୁକିନ୍ଦା ବୋତଲଣ୍ଡା ପାଖ ମୁଖ୍ୟ ରାଜପଥରେ ଏକ କାର ଧକ୍କାରେ ବାଇକ ଆରୋହୀ ଗୁରୁତର ଆହତ ହୋଇ କଟକ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ରବିବାର ଦିନ ସକାଳ ସମୟରେ ଭୁବନ ଥାନା ଅନ୍ତର୍ଗତ ଗରୁଡବନ୍ଦୀ ଗ୍ରାମର ସୋମନାଥ ନାଏକ (୪୨) ତାଙ୍କ ପତ୍ନୀ ସୁମିତ୍ରା ନାଏକ (୩୫) ଓ ନାବାଳକ ପୁତ୍ର ଦିଲସେନ(୧୦) ବାଇକ ଯୋଗେ ମଙ୍ଗଳପୁର ଆସୁଥିବା ସମୟରେ ପଛପଟୁ ଏକ ଟ୍ରାଭେରା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ସୋମନାଥ ସାମାନ୍ୟ ଆହତ ହୋଇଥିବା ବେଳେ ପତ୍ନୀ ସୁମିତ୍ରା ଓ ପୁଅ ଦିଲସେନ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମା ପୁଅଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । କଟକ ସ୍ଥାନାନ୍ତର ପାଇଁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା, ୧୦୮ ଆମ୍ବୁଲାନ୍ସ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉପସ୍ଥିତ ଥିଲେ ମଧ୍ୟ ଆମ୍ବୁଲାନ୍ସ ଉପଲବ୍ଧ ନଥିବା ଆମ୍ବୁଲାନ୍ସ କର୍ମଚାରୀ ସୂଚନା ଦେଇଥିଲେ । ସୋମନାଥ ସେବା ନପାଇ ଭଡ଼ା ଗାଡିରେ ପତ୍ନୀ ଓ ପୁଅକୁ କଟକ ସ୍ଥାନାନ୍ତର କରିଥିଲେ । ଏନେଇ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ଦେଖାଦେଇଥିଲା ।
ଦୁର୍ଘଟଣାରେ ମା, ପୁଅ ଗୁରୁତର : କଟକ ସ୍ଥାନାନ୍ତର !!!

