୩୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ପାଇପ ଜବତ : ୯ ଅଟକ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ପୋଲିସ ଏକ ବଡ଼ ଚୋରା ରାକେଟକୁ ଧରିବାରେ ସଫଳ ହୋଇଥିବା ବେଳେ ଏହି ଘଟଣାରେ ୯ ଜଣକୁ ଅଟକ ରଖି ପଚରାଉଚରା କରୁଛି ! ୩ ଟି ପାଇପ ବୋଝେଇ ଟ୍ରକ ସହ ହାଇଡ୍ରା ମେସିନ ଜବତ କରିଛି ପୁଲିସ । କୃଷି କାର୍ଯ୍ୟରେ ଉନ୍ନତି ଆଣିବା ଲକ୍ଷ୍ୟରେ ସରକାର ପାଇପ ଲାଇନ ସାହାଯ୍ୟରେ ଚାଷ ଜମିକୁ ପାଣି ପହଞ୍ଚାଇବା ଲକ୍ଷ୍ୟରେ ମେଗା ଜଳଯୋଗାଣ ପ୍ରକଳ୍ପ ଆରମ୍ଭ କରିଛନ୍ତି । ସୁକିନ୍ଦା ଅଞ୍ଚଳରେ ଚାଲିଥିବା ଏହି କାର୍ଯ୍ୟ ମେଘା ଇଞ୍ଜିନିୟରିଂ ନାମକ ଏକ ସଂସ୍ଥାକୁ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟରେ ବ୍ୟବହୃତ ପାଇପ ଗୁଡ଼ିକ ବିଭିନ୍ନ ସ୍ଥାନରେ ଠିକାଦାର ରଖି କାର୍ଯ୍ୟ ଜାରି ରଖିଥିବା ବେଳେ , ଏହି ସୁଯୋଗରେ ଏକ ବଡ଼ ଲୁଟେରା ଗ୍ୟାଙ୍ଗ ସେଗୁଡିକୁ ଲୁଟ କରିଥିବା ଅଭିଯୋଗ ହୋଇଛି । ଏହି ଲୁଟ ଦିନ ଦ୍ବିପହରରେ ହେଉଥିବା କାରଣରୁ ଚୋରୀ ହେଉଥିବା ନେଇ ସନ୍ଦେହ କରାଯାଇନଥିଲା । ସୁକିନ୍ଦା ଅଞ୍ଚଳର ବିଭିନ୍ନ ସ୍ଥାନରୁ ୧୫୦ ରୁ ଉର୍ଦ୍ଧ ପାଇପ ଚୋରୀ ହୋଇଥିବା ନେଇ ଠିକା ସଂସ୍ଥା ପକ୍ଷରୁ ଅଭିଯୋଗ ହୋଇଛି । ଏହି ପାଇପ ଗୁଡ଼ିକ କାଷ୍ଟ ଆଇରନ ହୋଇଥିବାରୁ ତାହାର ମୂଲ୍ୟ ୩୦ ଲକ୍ଷରୁ ଉର୍ଦ୍ଧ ବୋଲି ଜଣାପଡିଛି । ଏନେଇ ଠିକାସଂସ୍ଥା ପକ୍ଷରୁ ସମ୍ପଦ କୁମାର ନାଗ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଥାନା ଅଧିକାରୀ କାବୁଲି ବାରିକ ଏହି ଘଟଣାର ଅନୁଧ୍ୟାନ କରିବା ପରେ ଗୁରୁବାର ଦିନ 3 ଟି ପାଇପ ବୋଝେଇ ଟ୍ରକ, ପାଇପ ବୋଝେଇରେ ବ୍ୟବହୃତ ହାଇଡ୍ରା ମେସିନ ଜବତ କରିବା ସହ ସହ ୯ ଜଣ ଅଣ ଓଡିଆ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି । ଏହି ସବୁ ଗାଡି ଗୁଡ଼ିକରେ ମହାରାଷ୍ଟ୍ର ରାଜ୍ୟର ରେଜିଷ୍ଟ୍ରେସନ୍ ନମ୍ବର ଲେଖାଥିବା ଦେଖିବାକୁ ମିଳିଛି ! କିନ୍ତୁ ଲେଖାଥିବା ନମ୍ବର ଗୁଡ଼ିକ ଜାଲ ବୋଲି ପୋଲିସ ଜାଣିବାକୁ ପାଇଛି । ଏହି ରାକେଟ ର ଚେର କଳିଙ୍ଗନଗରରୁ ଛତିଶଗଡ଼ ପର୍ଯ୍ୟନ୍ତ ଲମ୍ବିଥିବା ପୋଲିସ ଜାଣିବାକୁ ପାଇଛି । ଏହି ରାକେଟରେ ସୁକିନ୍ଦା ଓ କଳିଙ୍ଗନଗର ଥାନା ଅଞ୍ଚଳର କିଛି ଯୁବକଙ୍କ ସଂପୃକ୍ତି ଥିବା ପୋଲିସ ପ୍ରକାଶ କରିଛି ।

Leave a Reply

Your email address will not be published. Required fields are marked *