କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ନିର୍ବାଚନ ମଣ୍ତଳୀର ଅନ୍ୟତମ ସରକାରୀ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନ କଳାପଥର ଧଳାପଥର ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । କରୋନା ମହାମାରୀ ପାଇଁ ଦୁଇ ବର୍ଷ ହେବ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ବନ୍ଦ ରହିଥିଲା । ତେଣୁ ଚଳିତ ବର୍ଷର ବାର୍ଷିକୋତ୍ସବ ପାଇଁ +୨ କଳା, ବିଜ୍ଞାନ ର ଛାତ୍ରଛାତ୍ରୀ ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀଙ୍କ ଭିତରେ ବହୁତ ଉତ୍ସାହ ପରିଲକ୍ଷିତ ହୋଇଛି । ବାର୍ଷିକ ଉତ୍ସବ ପାଇଁ ସପ୍ତାହକ ପୂର୍ବରୁ ଛାତ୍ରଛାତ୍ରୀ ମାନଙ୍କ ଭିତରେ ନୃତ୍ୟ ,ସଂଗୀତ ଓ ଶିକ୍ଷା ଉପଯୋଗୀ କୁଇଜ୍ ,ବକୃତା ଓ ପ୍ରବଂଧ ପ୍ରତିଯୋଗୀତା କରାଯାଇଥିଲା ! ବାର୍ଷିକ ଉତ୍ସବରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ସୁନନ୍ଦ କୁମାର ଛାଟୋଇ ଜଣାଇଛନ୍ତି । ଆସନ୍ତା କାଲିର ବାର୍ଷିକ ଉତ୍ସବର ପ୍ରଥମ ଅଧିବେଶନରେ ସମ୍ମାନୀତ ଅତିଥି ଭାବେ ସୁସାହିତ୍ୟିକ ତଥା ପ୍ରାଧ୍ୟାପକ ଡଃ ଶଶିଭୂଷଣ ମହାପାତ୍ର , ପୂର୍ବତନ ଅଧ୍ୟକ୍ଷ ହରିନାଥ ମହାପାତ୍ର, ମୂଖ୍ୟବକ୍ତା ଭାବେ ବିଶିଷ୍ଟ ପ୍ରବଚକ ଓ ଜଗନ୍ନାଥ ଧର୍ମର ଗବେଷକ ଡ କୃଷ୍ଣକେଶବ ଷଡ଼ଙ୍ଗୀ , ମୂଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ସଭାପତି ତଥା ବାଙ୍କୀ ଉପ ଜିଲ୍ଲାପାଳ ରଂଜନ କୁମାର ଜେନା ପ୍ରମୂଖ ଯୋଗ ଦେବାର ଚୂଡାନ୍ତ ହୋଇଛି ! ଦ୍ବିତୀୟ ଅଧିବେଶନରେ ପୁରସ୍କାର ବିତରଣୀ ସହିତ ସାଂସ୍କୃତିକ କାର୍ଯ୍ୟମାନ କରାଯିବ । ଶାନ୍ତିଶୃଂଖଳା ପାଇଁ ବୈଦ୍ବେଶ୍ବର ଥାନାର କର୍ମଚାରୀ ନିୟୋଜିତ ରହିଛନ୍ତି ।

