କନ୍ଧମାଳ ହଳଦୀ ଦେଖି ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ : କଫି ପ୍ୟାକେଟ୍‌ କିଣିଲେ !!!

0
188

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ଅଞ୍ଚଳରେ ଅନସୂଚିତ ଜନଜାତି ବସବାସ କରୁଛନ୍ତି । ଏହି ଜିଲାର ହଳଦୀ ସମଗ୍ର ବିଶ୍ୱ ଦରବାରରେ ପରିଚିତ ରହିଥିବା ବେଳେ ଜୈବିକ ପଦ୍ଧତିର ହଳଦୀ ପାଇଁ ବିଶ୍ୱ ବିଖ୍ୟାତ ହୋଇପାରିଛି । ଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ କନ୍ଧମାଳ ହଳଦୀର ସ୍ବତନ୍ତ୍ର ପରିଚୟ ରହିଥିବା ବେଳେ ଏବେ ଦିଲ୍ଲୀରେ ନିଜେ ଭାରତର ପ୍ରଧାନମନ୍ତ୍ରୀ ଅତି ନିକଟରୁ କନ୍ଧମାଳ ହଳଦୀ ଗୁଣ୍ଡ ସମେତ ବିଭିନ୍ନ ପାରମ୍ପରିକ ଖାଦ୍ୟ ଶସ୍ୟ ଦେଖି ଖୁସି ବ୍ୟକ୍ତ କରିଛନ୍ତି । ପ୍ରକାଶ ଯେ, ଦିଲ୍ଲୀର ଇଣ୍ଡିଆ ଗେଟ୍‌ ନିକଟବର୍ତ୍ତୀ ଧ୍ୟାନଚାନ୍ଦ ଷ୍ଟାଡିୟମଠାରେ ଆଦିବାସୀ ମହୋତ୍ସବ ୧୨ ଦିନ ଧରି ଚାଲିଛି । ଏହାର ଶୁଭ ଉଦ୍‌ଘାଟନ ଗୁରୁବାର ହୋଇଥିବା ବେଳେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି । ସେ ବିଭିନ୍ନ ଷ୍ଟଲ୍‌ ବୁଲି ଦେଖୁ୍‌ଥିବା ବେଳେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରୁ ଯାଇଥିବା ଫାରମର୍‌ସ ପ୍ରଡ୍ୟୁସର କମ୍ପାନୀର ଷ୍ଟଲ୍‌ରେ ଅଟକିବା ସହ ଫାରମର୍‌ସ କମ୍ପାନୀର ସମ୍ପାଦକ ସୁରେଶ ପ୍ରଧାନ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମଳୟ ପ୍ରଧାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ସେମାନଙ୍କୁ କେଉଁଠାରୁ ଆସିଥିବା ପଚାରି ବୁଝିବା ସହ ହଳଦୀ ସମ୍ପର୍କରେ ପଚାରି ବୁଝିଥିଲେ । ହଳଦୀ ସମେତ କ୍ଷୁଦ୍ରଦାନା ଶସ୍ୟ ମାଣ୍ଡିଆ, ସୋରିଷ, ଅଦା, ଦାରିଙ୍ଗବାଡ଼ି କଫି ସମେତ ଦାରିଙ୍ଗବାଡ଼ି ଅଞ୍ଚଳର ପାରମ୍ପରିକ ସାମଗ୍ରୀ ସମ୍ପର୍କରେ ପଚାରି ବୁଝିଥିଲେ । ଦାରିଙ୍ଗବାଡ଼ିରେ ଜୈବିକ ପଦ୍ଧତିରେ ଚାଷ ଓ ଅମଳ ହେଉଥିବା କଫିରୁ ଦୁଇ ପ୍ୟାକେଟ ପ୍ରଧାନମନ୍ତ୍ରୀ କିଣି ନେଇଥିବା ପ୍ରଡ୍ୟୁସର ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ଅଧିକାରୀ ମଳୟ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି । ସେହିପରି ଦିଲ୍ଲୀର ନୋଇଡା ହାଟ ନିକଟରେ ସରସ ମେଳା ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ବେଳେ ବିଧିବଦ୍ଧ ଭାବେ ଶନିବାର ଏହାକୁ ଉଦଘାଟନ କରାଯାଇଛି । ସେଠାରେ ମଧ୍ୟ ଓଡ଼ିଶାରୁ ମାତ୍ର ୯ ଟି ଷ୍ଟଲ୍‌ ଯାଇଥିବା ବେଳେ ଦାରିଙ୍ଗବାଡ଼ିର ଏକ ମହିଳା ଗ୍ରୁପ୍‌ ଫୁଡ୍ସ ଏବଂ ସ୍ପାଇସ୍‌ ନେଇ ଝରଣା ସାହୁ ଏବଂ ପ୍ରଭାକର ସାହୁ କନ୍ଧମାଳ ହଳଦୀ ସମେତ ମାଣ୍ଡିଆ, ସୋରିଷ, ଆରିଶା ପିଠା ସମେତ ପାରମ୍ପରିକ ସାମଗ୍ରୀ ବିକ୍ରି କରୁଛନ୍ତି । ଖୁବ୍‌ ବିକ୍ରିବଟା ହେଉଥିବା ଝରଣା ସାହୁ କହିଛନ୍ତି । ଏଥିପାଇଁ ଓଆଏମ୍‌ଏସ୍‌ ( ଓଡିଶା ରୁରାଲ ଡେଭଲପମେଣ୍ଟ ଆଣ୍ଡ ମାର୍କେଟିଂ ସୋସାଇଟି (କନ୍ଧମାଳ)ର ସହଯୋଗ ଏବଂ ରାଜ୍ୟ ସରକାରଙ୍କ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରୋତ୍ସାହନ ଦିଆଯାଉଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here