ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ମହିଳା ମାନେ ପୁରୁଷ ମାନଙ୍କ ଠାରୁ କେଉଁ ଗୁଣରେ କମ ନୁହନ୍ତି । ଏକ ଦୃଢ ଓ ସଶକ୍ତ ସମାଜ ଗଠନ ରେ ସେମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ନାରୀ ସର୍ବଂସହା, ସର୍ବଗୁଣବିଦିତା । ସମାଜ କୁ ଠିକ ଦିଗରେ ପରିଚାଳିତ ହେବାକୁ ସେ ମାର୍ଗ ଦେଖାଇଥାଏ । ସ୍ଥାନୀୟ ସଦର ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଅତିଥିମାନେ ଏହା କହିଛନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ଵତୀ ମାଝୀ ପ୍ରଦୀପ ପ୍ରଜ୍ଵଳନ କରି ସମାରୋହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା ଅନ୍ତର୍ଜାତୀୟ ମହିଳା ଦିବସର ଉଦ୍ଦେଶ୍ୟ ସମ୍ପର୍କ ରେ ଆଲୋକପାତ କରିବା ଅବସରରେ କହିଥିଲେ ଯେ ଆଜିର ଦିନଟି ସମଗ୍ର ନାରୀ ସମାଜ ପାଇଁ ଏକ ଗର୍ବ ଓ ଗୌରବର ଦିନ । ଆଜିର ଦିନରେ ସମଗ୍ର ବିଶ୍ବରେ ମହିଳାମାନେ ଏକତ୍ରିତ ହୋଇ ନିଜ ନିଜ ର ଅଧିକାର କୁ ସାବ୍ୟସ୍ତ କରୁଛନ୍ତି । ନାରୀ ଆଜି ପୁରୁଷ ର ସମକକ୍ଷ । ନାରୀର ଭୂମିକାକୁ ସମଗ୍ର ବିଶ୍ଵ ସ୍ଵୀକାର କରିବା ସହ ମହିଳା ଶକ୍ତି କୁ ସମ୍ମାନ କରି ସମଗ୍ର ବିଶ୍ବ ଆଜି ମହିଳା ଦିବସ ପାଳନ କରୁଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ଵତୀ ମାଝୀ ସମାଜ ଗଠନରେ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିବା ସହ ସମାଜ ଉପରେ ବୋଝ ନୁହନ୍ତି ବରଂ ଏକ ଦୃଢ, ମୂଲ୍ୟବୋଧ ଓ ସଶକ୍ତ ସମାଜ ଗଠନ ରେ ସେମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସମ୍ପାଦିକା ଶ୍ରୀମତୀ ନିବେଦିତା ପଣ୍ଡା ମହିଳାମାନଙ୍କ ଉପରେ ହେଉଥିବା ଅନ୍ୟାୟ କୁ ନୀରବରେ ସହ୍ୟ ନ କରି ତାର ପ୍ରତିବାଦ କରିବାକୁ ଉପସ୍ଥିତ ମହିଳାମାନଙ୍କୁ ଉପଦେଶ ଦେଇଥିଲେ ଓ ଏ ସମ୍ପର୍କରେ ଆଇନ ରେ ଥିବା ବ୍ୟବସ୍ଥା ଗୁଡିକ ଉପରେ ଆଲୋକପାତ କରିଥିଲେ । ସ୍ଥାନୀୟ ଓକିଲ ତଥା ରାୟଗଡ ମୁନିସିପାଲିଟିର ଉପାଧ୍ୟକ୍ଷା ଶ୍ରୀମତୀ ଶୁଭ୍ରା ପଣ୍ଡା ମହିଳାମାନେ ନିଜ ଅଧିକାର ନିଜେ ସାବ୍ୟସ୍ତ କରିବାପାଇଁ ମହିଳାମାନେ ସଙ୍ଘବଦ୍ଧ ହୋଇ ଅନ୍ୟାୟ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବା ପାଇଁ ଆହ୍ଵାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରିନ୍ସିପାଲ ଶ୍ରୀମତୀ ଭି॰ ରତ୍ନଶ୍ରୀ, ଡ ମମତା ଚୌଧୁରୀ, ବିଶିଷ୍ଟ ସମାଜସେବୀ ଶ୍ରୀମତୀ ମଞ୍ଜୁଶ୍ରୀ ମୁଖାର୍ଜୀ ଙ୍କ ସମେତ ସମସ୍ତ ସିଡିପିଓ , ଅଙ୍ଗନ୍ବାବାଡି କର୍ମୀ ଏବଂ ଅନ୍ୟୁନ ଦୁଇଶହ ମହିଳା,କିଶୋରୀ ବାଳିକା,ୱାନ ସ୍ଟପ ସେଣ୍ଟର ର କର୍ମକର୍ତା ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀ ମାନେ ଭାଗ ନେଇଥିଲେ । ଏହି ଅବସରରେ ବାଲ୍ୟ ବିବାହ ରୋକିବା ଓ କିଶୋରୀ ସଶକ୍ତିକରଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଜିଲ୍ଲାର ଶ୍ରେଷ୍ଠ ବାଲ୍ୟ ବିବାହ ନିଷେଧାକାରୀ, ସୁପରଭାଇଜର, ଅଙ୍ଗନ୍ବାବାଡି କର୍ମୀ ଓ ଶ୍ରେଷ୍ଠ ସାକ୍ଷୀ ସହେଲି ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରଯାଇଥିଲା । ଉକ୍ତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମଟିକୁ ପରିଚାଳନା କରିବା ସହ ସୁରକ୍ଷାଧିକାରୀ ଶ୍ରୀମତୀ କାମାକ୍ଷୀ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।
ସମାଜ ଗଠନରେ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ !!!

