ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶା ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ଗଜପତି ଜିଲ୍ଲା କମିଟି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ସମାନ କାମକୁ ସମାନ ଦରମା ଏବଂ ଆଉଟସୋର୍ସିଙ୍ଗ ବ୍ୟବସ୍ଥା ଉଚ୍ଛେଦ, ସ୍ଥାୟୀ ନିଯୁକ୍ତି ଦାବିରେ ଗଜପତି ଜିଲ୍ଲାରେ ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ ଗଜପତି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ଅକ୍ଟୋବର ୧୫ ତାରିଖରେ ୫୭ ହଜାର ଠିକା କର୍ମଚାରୀଙ୍କୁ ରେଗୁଲାର କରି ସପୂର୍ଣ୍ଣ ଠିକା ବ୍ୟବସ୍ଥାକୁ ଉଚ୍ଛେଦ କରି ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଥିଲେ। କିନ୍ତୁ ଓଡ଼ିଶାରେ ଥିବା ଲକ୍ଷାଧିକ ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ ସରକାରଙ୍କ ସମସ୍ତ ଅଫିସ, ଶିକ୍ଷାନୁଷ୍ଠାନ ମାନଙ୍କରେ ଦୀର୍ଘବର୍ଷ ହେବ ମାସିକ ସ୍ୱଳ୍ପ ଦରମାରେ କାର୍ଯ୍ୟ କରି ଆସୁଛନ୍ତି । ଜଣେ ରେଗୁଲାର କର୍ମଚାରୀ ସମାନ କାର୍ଯ୍ୟ ତଥା ସମୟ ଦେଇ ମାସିକ ୫୦ରୁ ୬୦ ହଜାର ଟଙ୍କା ବେତନ ପାଉ ଥିବାବେଳେ ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ ମାସକୁ ୭ ରୁ ୮ ହଜାର ଟଙ୍କା ପାରିଶ୍ରମିକ ପାଉଛନ୍ତି । ଯାହାକି ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଏପରିକି ବର୍ଷ ବର୍ଷ ଧରି କାର୍ଯ୍ୟ କରୁଥିବା ଏହି କର୍ମଚାରୀ ମାନଙ୍କୁ ଅଧିକାରୀ ଚାହିଁଲେ ଅତି ସାଧାରଣ ଭାବରେ ଚାକିରିରୁ ବହିଷ୍କାର କରି ଦେଉଛନ୍ତି । ତେଣୁ ସରକାର ଆଉଟସୋର୍ସିଙ୍ଗ ପ୍ରଥା ସପୂର୍ଣ୍ଣ ଉଚ୍ଛେଦ, ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବାକୁ ଏକ ୧୧ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବୀ ପତ୍ର ପ୍ରଦାନ ବେଳେ ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ଗଜପତି ଜିଲ୍ଲା କମିଟି ସଭାପତି ରାଜୀବ କୁମାର ପାଢୀ , ସମ୍ପାଦକ ପ୍ରମୋଦ କୁମର ପଟ୍ଟନାୟକଙ୍କ ସହ ବହୁ କର୍ମଚାରୀ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ, ରାଜ୍ୟରେ ବିଭିନ୍ନ ବିଭାଗରେ ସ୍ୱଳ୍ପ ଦରମାରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ ଗତ ନଭେମ୍ବର ୨୬ ରେ ରାଜ୍ୟ ସ୍ତରୀୟ ଆନ୍ଦୋଳନ ମାଧ୍ୟମ ରେ ନିଜର ବହୁଦିନର ସ୍ଥାୟୀ ନିଯୁକ୍ତି ଦାବୀ କୁ ନେଇ ସରକାରଙ୍କ ଦୃଷ୍ଟି କୁ ଆଣିଥିଲେ ମଧ୍ୟ ରାଜ୍ୟ ସରକାର କେବଳ ପ୍ରତିଶୃତି ଦେଇ ଏ ପର୍ଯ୍ୟନ୍ତ ଦାବିକୁ ପୂରଣ ନକରି ଦିନ ଗଡ଼ାଇ ଚାଲିଛନ୍ତି I ଏନେଇ ଗଜପତି ଜିଲ୍ଲା କମିଟି ତରଫରୁ ଜିଲ୍ଲାପାଳଙ୍କୁ ଭେଟି ବିଭିନ୍ନ ବିଭାଗର କର୍ମଚାରୀ ମାନେ ଦାବିପତ୍ର ପ୍ରଦାନ କରିଛନ୍ତି I
ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ଗଜପତି ଜିଲ୍ଲା କମିଟି ତରଫରୁ ଦାବୀପତ୍ର ପ୍ରଦାନ !!!

