ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅଂଚଳରେ ସ୍ବାମୀ ନିଜ ପତ୍ନୀକୁ ଅମାନୁଷିକ ଭାବେ ହତ୍ୟା କରିଥିବା ଅଭିଯୋଗରେ ଗୁରୁବାର କୋର୍ଟ ଚାଲାଣ ହୋଇ ଜେଲ୍ ହାଜତକୁ ଯାଇଛି । ପତ୍ନୀର ଅନ୍ୟ ଯୁବକ ସହ ପରକୀୟା ପ୍ରୀତି ସନ୍ଦେହରେ ପତ୍ନୀକୁ ନୃଶଂସ ଭାବେ ମାଡମାରି, ତଣ୍ଟି ଚିପି ହତ୍ୟା କରିବା ଘଟଣା ସୁକିନ୍ଦା ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ପତ୍ନୀକୁ ହତ୍ୟା କରିବା ପରେ ସ୍ବାମୀ ନିଜେ ସୁକିନ୍ଦା ଥାନାରେ ଆତ୍ମ ସମର୍ପଣ କରିଥିଲା । ସୂଚନା ମୁତାବକ ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁ ଗ୍ରାମପଞ୍ଚାୟତ ବୁରୁସାହିର ବାସିନ୍ଦା ବସନ୍ତ ବେହେରା ଗତ କିଛିଦିନ ହେବ ନିଜ ପତ୍ନୀ ପିଙ୍କିର ଚରିତ୍ରକୁ ନେଇ ସନ୍ଦେହ କରୁଥିଲା । ବସନ୍ତ ଭୁବନେଶ୍ବରରେ ରହି ଡ୍ରାଇଭିଂ କରେ । ସେ ଘରେ ରହୁନଥିବା ସମୟରେ ପିଙ୍କିର ଅନ୍ୟ ଲୋକଙ୍କ ସହ ସମ୍ପର୍କ ଥିବା ନେଇ ପତି ପତ୍ନୀଙ୍କ ମଧ୍ୟରେ କଳହ ଲାଗିରହେ । ଗତ ମଙ୍ଗଳବାର ଦିନ ପିଙ୍କି ନିଜ ଭିଣେଇ ସହ ତାଙ୍କ ଘରକୁ ଯାଇ ଫେରିବା ଘଟଣା ବସନ୍ତ ଶୁଣିବା ପରେ ରାଗ ଜର୍ଜରିତ ହୋଇ ତୁରନ୍ତ ଘରକୁ ଫେରିଥିଲା । ଭୁବନେଶ୍ବର ରୁ ଘରକୁ ଫେରି ବିଳମ୍ବିତ ରାତିରେ ପିଙ୍କିକୁ ମାଡ ମାରିଥିଲା । ମାଡ ମାରିବା ସମୟରେ ବସନ୍ତ ସୈତାନ୍ ବନି ଯାଇଥିଲା । ପରିସ୍ଥିତି ଏପରି ହୋଇଥିଲାଯେ ପିଙ୍କି ମାଡ ଖାଇ ଚିତ୍କାର କରିବାରୁ ବସନ୍ତ ପିଙ୍କିର ତଣ୍ଟି ଚିପି ଜୀବନରୁ ମାରି ଦେଇଥିଲା । ବସନ୍ତର ପରିବାର ଲୋକେ ସକାଳୁ ଘଟଣା ବିଷୟରେ ଜାଣିବା ପରେ ବସନ୍ତକୁ ସୁକିନ୍ଦା ପୋଲିସ ନିକଟରେ ପହଞ୍ଚାଇଥିଲେ । ପୋଲିସ ନିକଟରେ ବସନ୍ତ ସବୁ ଘଟଣା ସ୍ବୀକାର କରିଥିଲା । ଏନେଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରି ସାକ୍ଷ୍ୟ ପ୍ରମାଣ ଆଧାରରେ କେସ ନଂ ୬୩/୨୦୨୩ ରେ ଏକ ହତ୍ୟା ମାମଲା ରୁଜୁ କରି ବସନ୍ତକୁ ଗିରଫ କରିବା ସହ ସାଇଣ୍ଟିଫିକ ଟିମ ସହ ଘଟଣାର ତଦନ୍ତ କରିଥିଲା । ଘଟଣା ବିଷୟରେ ସଂପୂର୍ଣ୍ଣ ଜାଣିବା ପାଇଁ ଗୋଟିଏ ଦିନ ଆସାମୀ ବସନ୍ତକୁ ଅଟକ ରଖି ବାରମ୍ବାର ପଚରାଉଚରା ଜାରି ରଖିବା ପରେ ଗୁରୁବାର ଦିନ ବସନ୍ତର ଡାକ୍ତରୀ ମାଇନା କରାଯିବା ପରେ କୋର୍ଟ ଚାଲାଣ ହୋଇଥିଲା । ଜାମିନ ଆବେଦନ ଖାରଜ ହୋଇଯିବାରୁ ଅଭିଯୁକ୍ତକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଦେଖିବାକୁ ମିଳିଛି ।