ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା ତଥା ସୁକିନ୍ଦାର କଂଗ୍ରେସ ବିଧାୟକ ପ୍ରାର୍ଥୀ ଜୟକୃଷ୍ଣ ବେହୁରାଙ୍କର ଏକାଦଶାହରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରିତିରଞ୍ଜନ ଘଡ଼ାଇ ଓ ପୁର୍ବତନ ମନ୍ତ୍ରୀ ଶରତ ରାଉତ ଯୋଗଦେଇ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଗତ ୨୧ ତାରିଖରେ ଏହି ରାଜନେତାଙ୍କର ସୁକିନ୍ଦା ସ୍ଥିତ ବାସଭବନରେ ପରଲୋକ ଘଟିଥିଲା । ଶ୍ରୀ ବେହୁରା ଗ୍ରାଜୁଏସନ ପରେ ମଧୁସୂଦନ ଆଇନ ମହା ବିଦ୍ୟାଳୟରୁ ପଢା ସାରିବା ପରେ ରାଜନୀତିରେ ପାଦ ଦେଇଥିଲେ । ୧୯୭୪ ମସିହାରେ ପ୍ରଥମେ ସୁକିନ୍ଦା ଗଡ ପଞ୍ଚାୟତରୁ ସରପଞ୍ଚ ଭାବେ ବିଜୟୀ ହେବାସହ ୧୯୮୦ ମସିହାରୁ ଲଗାତାର ଦୁଇଥର ସୁକିନ୍ଦା ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ବିଜୟୀ ହୋଇଥିଲେ । ୨୦୦୦ମସିହାରେ ଜାତୀୟ କଂଗ୍ରେସ ଦଳରୁ ଟିକେଟ ପାଇ ସୁକିନ୍ଦା ଆସନରୁ ବିଧାୟକ ଭାବେ ନିର୍ବାଚନ ଲଢ଼ିଥିଲେ । ଛାତ୍ର ଜୀବନରୁ କଂଗ୍ରେସ ରାଜନୀତିରେ ସକ୍ରିୟ ଥିବା ଶ୍ରୀ ବେହୁରାଙ୍କର ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହୁ ନଥିଲା । ଶ୍ରୀ ବେହୁରା ଏକାଧାରରେ ଜଣେ ଦକ୍ଷ ରାଜନେତା, ଆଇନଜୀବୀ ଓ ମେଳାପୀ ମଣିଷ ଭାବେ ସୁକିନ୍ଦା ଅଞ୍ଚଳରେ ବେଶ ଜଣାଶୁଣା ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଶେଷ ଦର୍ଶନ ପାଇଁ ବିଭିନ୍ନ ଦଳର ଅନେକ ରାଜନେତା, ଆଇନଜୀବୀ, ବିଭିନ୍ନ ବର୍ଗର ଲୋକଙ୍କ ସମାଗମ ହୋଇଥିଲା । ଗୁରୁବାର ସଂଧ୍ୟାରେ ସୁକିନ୍ଦା ବେହୁରା ସାହି ସ୍ଥିତ ବାସଭବନରେ ଏକାଦଶାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ଏହି ଅବସରରେ ଏକ ସ୍ମୁତି ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ୟାସନଗର ପୂର୍ବତନ ନଗରପାଳ ସବିତା ରାଉତ, ସୁକିନ୍ଦା ବ୍ଲକ ଅଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ଉପାଧକ୍ଷା ଭାଗ୍ୟଲକ୍ଷ୍ମି ରାଉତ୍, ପ୍ରତାପ ପଟ୍ଟନାୟକ, ବିବେକାନନ୍ଦ ବୋଷ, ସ୍ଵାଧୀନ ଦାସ, ଜନ୍ମଜୟ ବଳସାମନ୍ତ , ଅମଳେନ୍ଦୁ ବେହୁରା ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବହୁ ରାଜନେତା, ଆଇନଜୀବୀ, କ୍ରୀଡାବିତ୍, ଶିକ୍ଷାବିତ ଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କ ସମାଗମ ହୋଇଥିଲା । ଦିବଂଗତ ନେତା ଶ୍ରୀ ବେହୁରାଙ୍କ ଜିବନୀ ଉପରେ ଲିଖିତ ଏକ ସ୍ମରଣିକା ଉନ୍ମୋଚନ ହୋଇଥିଲା ।
ବରିଷ୍ଠ ରାଜନେତାଙ୍କ ଏକାଦଶାହରେ ଯୋଗଦେଲେ ମନ୍ତ୍ରୀ ପ୍ରିତିରଞ୍ଜନ ଘଡ଼ାଇ !!!

