ବରଗଡ଼ ଜିଲ୍ଲାରେ ଗଡ଼ିଲା ସୁଭଦ୍ରା ସଚେତନତା ରଥ !!!

Spread the love

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ରେ ଆରମ୍ଭ ହେଇଛି ସୁଭଦ୍ରା ରଥ ! ସେପ୍ଟେମ୍ବର୍ ୧୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରେ ଲୋକଙ୍କୁ ସଚେତନ କରିବ ! *ଯୋଜନା ସମ୍ପର୍କିତ ଭ୍ରମ ଓ ଭ୍ରାନ୍ତ ଦୂର କରି ଲୋକଙ୍କୁ ସଠିକ ତଥ୍ୟ ପ୍ରଦାନ କରିବା ଲକ୍ଷ୍ୟ : ମାନ୍ୟବର ମନ୍ତ୍ରୀ, ରାଜସ୍ୱ ଏବଂ ପ୍ରାକୃତିକ ବିପର୍ଯୟ ପରିଚାଳନା ବିଭାଗ ମହିଳାମାନଙ୍କର ସାମାଜିକ ଓ ଅର୍ଥନୈତିକ ଅବସ୍ଥାକୁ ମଜବୁତ କରିବା ସହିତ ସେମାନଙ୍କ ସୁରକ୍ଷା ଓ କଲ୍ୟାଣକୁ ପ୍ରୋତ୍ସାହିତ କରିବା ପାଇଁ ଆରମ୍ଭ ହୋଇଥିବା ହୁ ଆକାଂକ୍ଷିତ “ସୁଭଦ୍ରା” ଯୋଜନାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏଥି ନିମନ୍ତେ ରାଜ୍ୟର ସମସ୍ତ ଜିଲ୍ଲାରେ ସୁଭଦ୍ରା ଯୋଜନାର ଫର୍ମ ବଣ୍ଟନ ଓ ଆବେଦନ ପ୍ରକ୍ରିୟା ଆରମ୍ଭ ହେବା ପରେ ଯୋଜନା ସମ୍ପର୍କିତ ଲୋକଙ୍କ ଭିତରେ ରହିଯାଇଥିବା ଭ୍ରମ ଓ ଭ୍ରାନ୍ତ ଧାରଣାକୁ ଦୂର କରି ହିତାଧିକାରୀଙ୍କୁ ସଠିକ ତଥ୍ୟ ପ୍ରଦାନ ପୂର୍ବକ ସଚେତନ କରିବା ଲକ୍ଷ୍ୟ ନେଇ ସମଗ୍ର ରାଜ୍ୟରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଏହିପରିପ୍ରେକ୍ଷୀରେ ଆଜି ବରଗଡ଼ ଜିଲ୍ଲାର ସମସ୍ତ ବ୍ଲକ୍ ଏବଂ ପୌରାଞ୍ଚଳରେ ସୁଭଦ୍ରା ଯୋଜନା ସମ୍ପର୍କିରେ ସଚେତନତା ବାର୍ତ୍ତା ଦେବା ପାଇଁ ସର୍ବମୋଟ ୬ ଗୋଟି ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଏହି ସଚେତନତା ରଥ ଚଳିତ ମାସ ୧୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳ ଗସ୍ତ କରି ଲୋକଙ୍କୁ ସଚେତନ କରିବ । ସ୍ଥାନୀୟ ନିଶାମଣି ଉଚ୍ଚ ବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ରାଜସ୍ୱ ଏବଂ ପ୍ରାକୃତିକ ବିପର୍ଯୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ସବୁଜ ପତାକା ପ୍ରଦର୍ଶନ କରି ଆନୁଷ୍ଠାନିକ ଭାବେ ସୁସଜ୍ଜିତ ରଥର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଶ୍ରୀ ନିହାର ରଞ୍ଜନ ମହାନନ୍ଦ,ଶ୍ରୀ ଇରାଶିସ ଆଚାର୍ଯ୍ୟ, ଶ୍ରୀ ସନତ କୁମାର ଗଡତିଆ, ପୋୖରଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ, ସାଂସଦ ପ୍ରତିନିଧି ଶ୍ରୀ ସୁରେଶ୍ୱର ଶତପଥୀ, ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଚନ୍ଦା ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସୁଶାନ୍ତ ସିଂଏବଂ ଅନ୍ୟ ଜିଲ୍ଲା ଅଧିକାରୀ ଉପସ୍ଥିତ ଥିଲେ । ମାନ୍ୟବର ମନ୍ତ୍ରୀ ନିଜ ବିବୃତିରେ କହିଥିଲେ, ସୁଭଦ୍ରା ଯୋଜନା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ମହିଳା ମାନଙ୍କ ପ୍ରତି ଥିବା ସମ୍ମାନ ଓ ସେମାନଙ୍କ କଲ୍ୟାଣ ଲାଗି ଥିବା ପ୍ରତିବଦ୍ଧତାର ପ୍ରମାଣ I ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଚାଲିଥିବା ଆବେଦନର କୌଣସି ଶେଷ ତାରିଖ ନାହିଁ, ସମସ୍ତ ଯୋଗ୍ୟା ମା ଓ ଭଉଣୀ ମାନଙ୍କୁ ଏହି ଯୋଜନାର ଲାଭ ନିଶ୍ଚୟ ମିଳିବ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *