ଟଙ୍କା ଠକେଇ ଏବଂ ଅର୍ଥ ହେରଫେର ମାମଲାରେ ଏସବିଆଇର ଡେପୁଟି ମ୍ୟାନେଜର ଗିରଫ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାରେ ଋଣ ନାଁରେ ଠକେଇ ଘଟଣାରେ ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା ଜଣେ ବ୍ୟାଙ୍କ ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କର୍ମଚାରୀ ଜଣକ ହେଲେ ଫୁଲବାଣୀ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ତତ୍କାଳୀନ ଡେପୁଟି ମ୍ୟାନେଜର ତଥା ଫିଲ୍ଡ ଅଫିସର ଆଶୁତୋଷ ଆଚାର୍ଯ୍ୟ । ଇଓଡବ୍ଲ୍ୟୁ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୧/୨୨ ମସିହାରେ ଆଶୁତୋଷ ନିଜ ପଦବୀର ଦୂରପଯୋଗ କରି ବିଭିନ୍ନ ବ୍ୟକ୍ତିଙ୍କ ନାମରେ ପ୍ରାୟ ୮ କୋଟି ଟଙ୍କାର ଋଣ ବେଆଇନ ଭାବେ ମଞ୍ଜୁର କରିଥିଲେ । ଏହାପରେ ଏ ସମସ୍ତ ଋଣ ଅର୍ଥକୁ ସେ ନିଜ ସମ୍ପର୍କୀୟ ମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ହଡ଼ପ କରିଥିଲେ । ସୂଚନାଯୋଗ୍ୟ, ଅଭିଯୁକ୍ତ ଆଶୁତୋଷ ୫୯ ଜଣଙ୍କ ନାମରେ ସରକାରୀ ଚାକିରିଆ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ୍ସପ୍ରେସ କ୍ରେଡିଟ ଲୋନ ମଞ୍ଜୁର କରିଥିଲେ । ଯାହାର ପରିମାଣ ରହିଥିଲା ୬ କୋଟି ୭୭ ଲକ୍ଷ ୩୦ହଜାର ଟଙ୍କା । ସେହିଭଳି ସେ ୨୬ ଜଣଙ୍କ ନାମରେ ୯୯ ଲକ୍ଷ ୮୨ ହଜାର ୭୯୫ ଟଙ୍କାର ପେନସନ ଋଣ ମଞ୍ଜୁର କରିଥିଲେ । ଏହିଭଳି ଭାବେ ସମୁଦାୟ ୮ କୋଟି ୧ଲକ୍ଷ ୮୭ହଜାର ଟଙ୍କା ଋଣ ମଞ୍ଜୁର କରାଯାଇଥିଲା । ଯାହାକି ପରବର୍ତ୍ତୀ ସମୟରେ ଆଶୁତୋଷ ନିଜ ଘରଲୋକଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ । ପରେ ଋଣ ମଞ୍ଜୁର କରାଯାଇଥିବା ବ୍ୟକ୍ତିମାନେ ସରକାରୀ ଚାକିରିଆ କିମ୍ବା ପେନସନ ଭୋଗୀ ନ ଥିବା ଜଣାପଡ଼ିଥିଲା । ଏନେଇ ଅଭିଯୋଗ ହେବାରୁ ଆଶୁତୋଷଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା । ପରେ ରାଜ୍ୟ ଅର୍ଥନୈତିକ ଅପରାଧ ଶାଖାରେ ଏନେଇ ୧୪/୨୩ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା । ତଦନ୍ତରୁ ଘଟଣାର ସତ୍ୟତା ଜଣାପଡ଼ିବା ପରେ ଆଶୁତୋଷଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *