ବାଲିଗୁଡାରେ ମା’ ପାଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ : ଏପ୍ରିଲ ୨୩ ରୁ ଯାତ୍ରା ଆରମ୍ଭ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଏଥି ନିମନ୍ତେ ପୁରୋହିତ ମାନେ ସକାଳ ସମୟରେ ଶୁଭଖୁଣ୍ଟି ଛେଦନ ନିମନ୍ତେ ନିତିକାନ୍ତିରେ ପୁଜାର୍ଚ୍ଚନା କରି ସୁନାରୀ ଶାଳକୁ ଯାଇ ସୁନା ଓ ରୁପାର କୁରାଢି କୁ ପୁଜା କରି ସେଠାରୁ ଅସ୍ଥାୟୀ ପୀଠ ମା’ବରାଳ ଦେବୀ ମନ୍ଦିର ନିକଟକୁ ଯିବା ପରେ ପୂର୍ବରୁ ଚିହ୍ନଟ ହୋଇଥିବା ଶୁଭଖୁଣ୍ଟି ପାଇଁ ଟାଉନ ର ଇଲେକ୍ଟ୍ରିସାହି କୁ ଯାଇ ଚିହ୍ନଟ ହୋଇଥିବା ବାଉଁଶ ଗଛତଳେ ପୁଜାର୍ଚ୍ଚନା କରି ତାହାକୁ ଛେଦନ କରିଥିଲେ ! ଏକ ବିରାଟ ପଟୁଆରରେ ତାହାକୁ ପାଟଖଣ୍ଡା ମନ୍ଦିରକୁ ଅଣାଯାଇଥିଲା । ମା ପାଟଖଣ୍ଡାଙ୍କ ସନ୍ଧ୍ୟା ଆଳତୀ ପରେପରେ ଅଣା ଯାଇଥିବା ଶୁଭଖୁଣ୍ଟି କୁ ମହା ଆଡମ୍ବରରେେ ଅସ୍ଥାୟୀ ପୀଠ ମା’ବରାଳ ଦେବୀ ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସାଂସଦ ପ୍ରତିନିଧି ତଥା ବିଜେଡି ବ୍ଲକ ସଭାପତି ଟୁନା ଦାସ ଯୋଗ ଦେଇ ଶୁଭଖୁଣ୍ଟି କୁ ଧରି ଅସ୍ଥାୟୀ ପୀଠ ଅଭିମୁଖେ ବାହାରିଥିଲେ । ଏହି କାର୍ଯ୍ୟକ୍ରମରେ ଘୋଡା, ଗାଇ, ବାଘ , ହନୁମାନ ପଟୁଆର ନୃତ୍ୟ ଭଳି ବିଭିନ୍ନ ନୃତ୍ୟ ସମେତ ଆତସବାଜି ଫୁଟାଇ ଯାତ୍ରାକୁ ରଙ୍ଗିନ କରିଥିଲେ l ଅସ୍ଥାୟୀ ପୀଠରେ ପହଁଚିବା ପରେ ରିତି ନିତି ପ୍ରକାରେ ପୁଜାର୍ଚ୍ଚନା କରି ଶୁଭଖୁଣ୍ଟି ସ୍ଥାପନ କରାଯଇଥିଲା । ପ୍ରକାଶ ଯେ, ମା’ପାଟଖଣ୍ଡାଙ୍କ ଐତିହ୍ୟ ଠାକୁରାଣୀ ଯାତ୍ରା ଚଳିତ ମାସ ଏପ୍ରିଲ ୨୩ ତାରିଖ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ମେ ମାସ ୧୩ ତାରିଖ ପର୍ଯ୍ୟନ୍ତ ମା’ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୁଲ୍ୟରେ ଆୟୋଜିତ କରାଯିବ । ଏଥିରେ ସମିତିର ସଭାପତି ଲୋକନାଥ ପାଢୀ, ସହସମ୍ପାଦକ ଭଗବତୀ ପ୍ରାସଦ ସାବତ, ସୁଜିତ ପାଳ, କୋଷାଧକ୍ଷ ଡି.ନାଗେଶ୍ୱର ରାଓ, ମଦନ ମୋହନ ପାଢ଼ୀଙ୍କ ସମେତ ସମିତିର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରୁଥିବା ବେଳେ ଦେଶି ବେହେରା ଭାବେ ଟି.ଶ୍ରୀନିବାସ ଦୋରା ଓ ତାଙ୍କ ଧର୍ମପତ୍ନୀ ମୁଖ୍ୟ ଘଟ ଧରିବାର କାର୍ଯ୍ୟକ୍ରମ ରହିଛି । ଏହି ଯାତ୍ରାରେ ପୁରୋହିତ ତଥା ପୁଜକ ଭାବେ ଫୁଲାବାଣୀର ପୁରୋହିତ ସଂଜୟ କୁମାର ଦାସ, ଶ୍ରୀକାନ୍ତ ପଣ୍ଡା, ସନ୍ତୋଷ କୁମାର ଦାସ. ନିଳକଣ୍ଠ ମିଶ୍ର , ଟୁଲୁ ପାଢୀ ଓ ବାଲିଗୁଡାର ପୁରୋହିତ ପୁର୍ଣ୍ଣଚନ୍ଦ୍ର ଶତପଥୀ ପ୍ରମୁଖ ଉପସ୍ଥିତ ରହି ପୂଜାକାର୍ଯ୍ୟ ସମ୍ପାଦନା କରିବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି । ଏହି ଅବସରରେ ପ୍ରତିଦିନ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ଆୟୋଜନ ହେବ l ଯାତ୍ରା ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ପ୍ରତିଦିନ କିପରି ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ ହେବ ସେ ନେଇ ଅଞ୍ଚଳର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ, ସ୍ବେଛାସେବୀ ଅନୁଷ୍ଠାନ, ଯୁବକ ସଂଘ, ମହିଳା ସଂଘ ଭଳି ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି l

Leave a Reply

Your email address will not be published. Required fields are marked *