ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ସମଗ୍ର ରାଜ୍ୟ ଅସ୍ତବ୍ୟସ୍ତ ! ଚିଲିକା ନିର୍ବାଚନ ମଣ୍ଡଳୀ ର ବାଲୁଗାଁ – ବାଣପୁର ଅଞ୍ଚଳରେ ଗତ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ଗୁଳୁଗୁଳି ଅନୁଭୁତି ହେଉଛି । ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତକାଟ ହେବାରେ ଲୋକେ ଗରମରେ ସିଝି ଡହଳ ବିକଳ ହୋଇ ପଡୁଛନ୍ତି। ମଙ୍ଗଳବାର ସମଗ୍ର ଚିଲିକା ଅଞ୍ଚଳରେ ମଧ୍ୟାହ୍ନ ସମୟ ବେଳକୁ ତାପମାତ୍ରା ସର୍ବାଧିକ ୩୮ ଡ଼ିଗ୍ରୀ ରେ ପହଞ୍ଚିଥିଲା । ବାଣପୁରରେ ମଧ୍ୟ ତାପମାତ୍ରା ୩୮ ଡ଼ିଗ୍ରୀ ଛୁଇଁ ଅସହ୍ୟ ତାତି ସହ ଗୁଳୁଗୁଳି ଅନୁଭୁତ ହୋଇଥିବା ବେଳେ ବାଲୁଗାଁ ଅଞ୍ଚଳରେ ତାପମାତ୍ରା ୩୭ ଡ଼ିଗ୍ରୀରେ ପହଞ୍ଚି ପ୍ରବଳ ତାତି ସହ ଅସହ୍ୟ ଗୁଳୁଗୁଳି ଲୋକଙ୍କୁ ହନ୍ତସନ୍ତ କରି ପକାଇଛି ।

ଜନ ସାଧାରଣ ଖରା ଦାଉରେ ଡହଳ ବିକଳ ହୋଇ ଘରୁ ବାହାରକୁ ବାହାରି ନ ପାରିବାରୁ ରାସ୍ତା ଘାଟ ଖାଁ ଖାଁ ହୋଇ ପଡିଥିବାର ଦେଖିବାକୁ ମିଳିଥିଲା । ସନ୍ଧ୍ୟାରେ ସମଗ୍ର ଅଞ୍ଚଳରେ ଚିଲିକା ହ୍ରଦର ଥଣ୍ଡା ପବନ ବହିବାରେ ତାପମାତ୍ରା ସାମାନ୍ୟ ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି । ମଧ୍ୟାହ୍ନ ସମୟ ବେଳକୁ ରାସ୍ତା ଘାଟ ଜନଶୂନ୍ୟ ହୋଇ ଖାଁ ଖାଁ ହୋଇ ପଡୁଥିବା ଦେଖିବାକୁ ମିଳିଛି । କ୍ରମାଗତ କିଛିଦିନ ହେଲା ଅହସ୍ୟ ତାତି ଏବଂ ଗୁଳୁଗୁଳି ସହ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇ ପଡ଼ିଛି ।

