ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଖଣିଜ ସମ୍ପଦରେ ଭରପୁର ସୁକିନ୍ଦା ରେ ଅସହାୟ ଦମ୍ପତିଙ୍କ ଯନ୍ତ୍ରଣା ସୁକିନ୍ଦା ବିକାଶ ଚିତ୍ରକୁ ଅଟହାସ୍ୟ କରୁଛି । ଏଭଳି ନିସଙ୍ଗ ଜୀବନ ଯାପନ କରୁଛନ୍ତି ସୁକିନ୍ଦା ବ୍ଲକ ଲେମ୍ବୁ ପଞ୍ଚାୟତ କେନ୍ଦୁଆକଣ ଗ୍ରାମର ଗୋପାଳ ଚାତ୍ତର (୮୭) ଓ ପତ୍ନୀ ତୁଳସୀ ଚାତ୍ତାର (୭୫) । ବୟସର ଅପରାହ୍ନରେ ପହଞ୍ଚିଥିବା ଏହି ଅସହାୟ ବୃଦ୍ଧ ଦମ୍ପତିଙ୍କର ଦୁନିଆରେ ନିଜର ବୋଲି କେହି ନାହାନ୍ତି, ସେପଟେ ବାର୍ଦ୍ଧକ୍ୟ କାରଣରୁ ଆଖିରୁ ଦୃଷ୍ଟିଶକ୍ତି କମିଯିବା ହେତୁ ନିଜ କୁଡ଼ିଆରୁ ବାହାରିବା ସେମାନଙ୍କ ପାଇଁ ବିପଦ ହୋଇପଡିଛି । ସେଭଳି ପରିସ୍ଥିତିରେ ଶୂନ୍ୟ ହସ୍ତରେ ଜୀବନ ବଞ୍ଚିବା କେତେ କଷ୍ଟକର ତାହା କେବଳ ସେହି ଦମ୍ପତି ହିଁ କହି ପାରିବେ । ସେହି ଅନ୍ଧକାର ଜୀବନ ଭିତରେ ନିଜେ ନିଜ ପାଇଁ ନୁହେଁ ବରଂ ନିଜେ ଅନ୍ୟ ଜଣକ ପାଇଁ ବଞ୍ଚିବାର ସାହସ ବାନ୍ଧିଛନ୍ତି । ସରକାରୀ ସୁବିଧା ଏହି ଦମ୍ପତିଙ୍କ ପାଇଁ ସାତ ସପନ । ବାର୍ଦ୍ଧକ୍ୟ ଭତ୍ତା, ଆବାସ ଯୋଜନା, ରାସନ୍ କାର୍ଡ ଭଳି ସରକାରଙ୍କ କୌଣସି ଯୋଜନା ଏମାନଙ୍କ ପାଖରେ ପହଞ୍ଚି ପାରିନାହିଁ । ଆବାସ ଯୋଜନା ତାଲିକାରେ ଏମାନଙ୍କ ନାମ ଥିଲେ ମଧ୍ୟ ଜମିପଟ୍ଟା ନଥିବା କାରଣରୁ ତାହା ମଧ୍ୟ ମିଳିପାରି ନାହିଁ । ସେମାନେ ରହୁଥିବା ସ୍ଥାନକୁ ନିଜେ ନଦେଖିଲେ ବିଶ୍ୱାସ କରି ହେବନାହିଁ । ବର୍ଷା ହେଲେ ଭଗବାନଙ୍କ ଭରସାରେ ସରୀସୃପ ଓ ଜୀବଜନ୍ତୁଙ୍କ ସହ ରହିବାକୁ ପଡେ ।ତେବେ ଏଠି ପ୍ରଶ୍ନ ଉଠେ ଏମାନେ କଣ ସରକାରଙ୍କ କୌଣସି ଯୋଜନା ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ନୁହନ୍ତି ନାଁ ଏମାନଙ୍କ ଠାରୁ ଅଧିକ ଅସୁବିଧାରେ ବଞ୍ଚୁଥିବା ହିତାଧିକାରୀଙ୍କ ସଂଖ୍ୟା ଏହି ପଞ୍ଚାୟତରେ ଅଧିକ ଯେଉଥି ପାଇଁ ଏମାନଙ୍କ ସିରିଏଲ୍ ପହଞ୍ଚିବାରେ ବିଳମ୍ବ ହେଉଛି । ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ପରେ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ତାହା ଜନସାଧାରଣଙ୍କ ନିକଟରେ ପହଞ୍ଚିବା କେତେ କଷ୍ଟ ତାହା ଅନୁମେୟ । ଏଭଳି ନିସଙ୍ଗ ଜୀବନ ବଞ୍ଚୁଥିବା ଦମ୍ପତି ଏହି ଅଞ୍ଚଳରେ ଅନେକ ଅଛନ୍ତି ବୋଲି ସଂପୃକ୍ତ ଅଞ୍ଚଳର କିଛି ଶିକ୍ଷିତ ଯୁବକ ମତ ଦିଅନ୍ତି । ଏହି ଦମ୍ପତିଙ୍କ ପାଇଁ କୌଣସି ଯୋଜନା ନପହଞ୍ଚିବାରେ ଦାୟୀ କିଏ ସରକାର ନା ସରକାରଙ୍କ ପ୍ରତିନିଧି । ତେବେ ଦେଖାଯାଉ ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନା ପୂର୍ବରୁ ଅନ୍ୟ କିଛି ଯୋଜନା ଏହି ପରିବାର ପାଖରେ ପହଞ୍ଚିଛି କି ନାହିଁ । ଆଜି ବୃଦ୍ଧା ଦମ୍ପତି ସୁକିନ୍ଦା ବ୍ଲକ ଦ୍ୱାରସ୍ଥ ହୋଇ ପୁନର୍ବାର ଲିଖିତ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି ।
ଜରି ପାଲ ତଳେ ଅସହାୟ ଦମ୍ପତି !!!

