ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପୁରୀ – ହାୱାଡା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦ୍ଵାରା ଆଭାଷୀ ମୋଡରେ ଅନୁଷ୍ଠିତ ହୋଇଛି । ଜଗନ୍ନାଥ ଧାମ ପୁରୀ ଠାରେ ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି ଅବସରରେ ପାରଲାଖେମୁଣ୍ଡି ସ୍ଥିତ ରେଳ ଷ୍ଟେସନ ଠାରେ ପୂର୍ବତଟ ରେଳ ଡିଭିଜନ ବିଶାଖାପାଟନାମ ପକ୍ଷରୁ ଏହାର ସିଧା ପ୍ରସାରଣ କାର୍ଯ୍ୟକ୍ରମ ଦେଖାଇବା ଉଦ୍ଦେଶ୍ୟରେ ବ୍ୟବସ୍ଥା କରାଯାଇଥିଲା । ବଡ଼ ଏଲ୍ଇଡି ଟିଭି ପରଦାରେ ଜନସାଧାରଣ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଦୀର୍ଘ ୩ ଘଣ୍ଟା ପର୍ଯ୍ୟନ୍ତ ଦେଖିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ବିଜେପି କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ । ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳ ଶୁଭାରମ୍ଭ ସହିତ ଅନେକ ଷ୍ଟେସନର ପୁନଃ ଉନ୍ନତିକରଣ, ନୂତନ ରେଲଲାଇନ ଏବଂ ସମସ୍ତ ରେଳଷ୍ଟେସନ ବିଦ୍ୟୁତିକରଣ ଶିଳାନ୍ୟାସ ମଧ୍ୟ ପ୍ରଧାନମନ୍ତ୍ରୀ ଭର୍ଚୁଆଲ ମୋଡରେ କରିଥିଲେ । ଏହି ଅବସରରେ ପୁରୀ ଠାରେ ଅନୁଷ୍ଠିତ ଏହି ଶୁଭ ମୁହୁର୍ତ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ରେଳ ବିଭାଗ ଜେନେରାଲ ମ୍ୟାନେଜର ମନୋଜ ଶର୍ମା ପ୍ରମୁଖ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ରହିଥିବା ବିଭିନ୍ନ ବ୍ୟବସ୍ଥା ଉପରେ ସେମାନଙ୍କ ବକ୍ତବ୍ୟ ରଖିଥିବା ଓ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଏହି ଉଦ୍ଦେଶ୍ୟରେ ଓଜସ୍ୱୀ ଅଭିଭାଷଣକୁ ଉପଭୋଗ କରିଥିଲେ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପାରଳା ବାସୀ ସାଧୁବାଦ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମକୁ ପୂର୍ବତଟ ରେଳ ଡିଭିଜନର କମର୍ସିଆଲ ମ୍ୟାନେଜର ଗଣେଶ ଥାପ୍ପା ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଦ୍ଧେଶ୍ୱର ମିଶ୍ର, ଜଗନ୍ନାଥ ମହାପାତ୍ର ,ପ୍ରଶାନ୍ତପାଳ,ସି ଏଚ ସିମାଦ୍ରି ପ୍ରମୁଖ ଯୋଗ ଦେଇଥିଲେ ।
ପାରଳାଖେମୁଣ୍ଡି ରେଳଷ୍ଟେସନ ଠାରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଚଳାଚଳ ଶୁଭାରମ୍ଭର ସିଧା ପ୍ରସାରଣ କାର୍ଯ୍ୟକ୍ରମ !!!

