ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କାଶୀ ନଗର ବ୍ଳକର ସିଧାମଡଙ୍ଗ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପାନୀୟ ଜଳ ସମସ୍ୟାକୁ ନେଇ ସିଧାମଡଙ୍ଗ ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରିଥିବାର ଦେଖିବାକୁ ମିଳିଛି । ଯାହା ଫଳରେ ପାରଳାଖେମୁଣ୍ଡି ଓ ରାୟଗଡା ମୁଖ୍ୟ ରାସ୍ତା ଅବରୋଧ ହୋଇଥିଲା । ଉଭୟ ପଟରୁ ଶହ ଶହ ଗାଡି ଅଟକି ରହିଥିଲା । ଗ୍ରାମରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ରହିଥିଲେ ସୁଦ୍ଧା ଦୀର୍ଘ ବର୍ଷ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଛି । କିନ୍ତୁ ସ୍ଥାନୀୟ ପ୍ରଶାସନ ଗୁରୁତ୍ୱ ଦେଉ ନଥିବା ଅଭିଯୋଗରେ ଅଞ୍ଚଳ ବାସୀ ରାସ୍ତା ରୋକ କରିଛନ୍ତି । ସ୍ଥାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ହାଣ୍ଡି ମାଠିଆ ଧରି ଦୀର୍ଘ ତିନି ଘଣ୍ଟା ଧରି ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରିଥିଲେ । ପରିଶେଷରେ ସରପଞ୍ଚ, ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଏବଂ ପୋଲିସ ଗ୍ରାମବାସୀ ଙ୍କୁ ବୁଝାସୁଝା କରିବା ସହ ପାନୀୟ ଜଳ ସମସ୍ୟା ସ୍ଥାୟୀ ସମାଧାନ କରାଯିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀମାନେ ରାସ୍ତା ରୁ ହଟିଥିଲେ ।
ପାନୀୟ ଜଳ ପାଇଁ ରାସ୍ତା ରୋକ କଲେ ଗ୍ରାମବାସୀ !!!

