ଷ୍ଟାର୍ଟ ହେଲାନି ମେମୁ ଟ୍ରେନ : ଯାତ୍ରୀଙ୍କ ହୋହଲ୍ଲା ଏବଂ ଚାପା ଉତ୍ତେଜନା !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ରେଳ ବିଭାଗର ଖାମଖିଆଲ ନୀତି ଯୋଗୁଁ ପୁଣି ଆଜି ମେମୁ ଟ୍ରେନ ସମ୍ପୂର୍ଣ୍ଣ ଅଚଳ ହୋଇଯିବା ସହିତ ଯାତ୍ରୀ ମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ଖବରରୁ ପ୍ରକାଶ ଯେ ଆଜି ସକାଳ ୬ଟା ୪୫ରେ ଏହି ଟ୍ରେନ ଭୁବନେଶ୍ୱର ଛାଡିବାକୁ ଥିଲା। ଯାତ୍ରୀମାନେ ଟିକେଟ କାଟି ଗାଡି ଭିତରେ ବସିଥିଲେ। ଯାତ୍ରୀ ଭରପୁର ଥିବା ଗାଡି ପ୍ରଥମ ହୁଇସିଲ ଏବଂ ଦ୍ୱିତୀୟ ହୁଇସିଲ ମାରି ବାହାରିବା ବେଳକୁ ଗାଡ଼ି ଆଉ ଆଗକୁ ଗଡି ନଥିଲା । ଜଣା ପଡିଥିଲା ଯେ ଗାଡ଼ି ଏୟାର ପ୍ରେସର ନେଉ ନାହଁ। ଗାଡି ଚାଳନା କରୁଥିବା ସମସ୍ତ ତିନିଜଣ ଯାକ ଲୋକପାଇଲଟ ଯେତେ ଚେଷ୍ଟା କଲେ ମଧ୍ୟ ଗାଡ଼ି ଆଗକୁ ଚଙ୍କି ନଥିଲା। ଏ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯିବା ସହିତ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଯାତ୍ରୀମାନେ ଷ୍ଟେସନ ମ୍ୟାନେଜରଙ୍କ କାର୍ଯ୍ୟାଳୟରେ ଧସେଇ ପଶି ହୋହଲ୍ଲା କରିଥିଲେ। ଏହି ସମୟ ମଧ୍ୟରେ ନୂଆଗାଁ ରୋଡ଼ରୁ ପୁରୀ ଅଭିମୁଖେ ଆସୁଥିବା ପାସେଞ୍ଜର ଟ୍ରେନଟି ସିଗ୍ନାଲ ନପାଇ ଅଧା ବାଟରେ ଅଟକି ରହିଥିଲା। ତେବେ ସମୟ ବିଳମ୍ବ ହେବାରୁ ପୁରୀ ଟ୍ରେନକୁ ସିଗ୍ନାଲ ଦିଆଯାଇଥିଲା। ତେବେ ଗୋଟିଏ ମାତ୍ର ପ୍ଲାଟଫର୍ମ ଥିବା ନୟାଗଡ଼ ଷ୍ଟେସନରେ ଲୁପ ଲାଇନରେ ମେମୁ ଟ୍ରେନ ରହିଥିବାରୁ ପୁରୀ ଟ୍ରେନକୁ ମେନ ଲାଇନରେ ଆସି ଛିଡା ହୋଇଥିଲା। ଫଳରେ ଯାତ୍ରୀ ମାନେ ଚଢିବା ଏବଂ ଓଲ୍ହାଇବାରେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଅନ୍ୟ ପକ୍ଷରେ ମେମୁ ଟ୍ରେନର ଭୁବନେଶ୍ୱର ଯାତ୍ରୀମାନେ ବାଧ୍ୟ ହୋଇ ପୁରୀ ଟ୍ରେନରେ ଖୋର୍ଦ୍ଧା ରୋଡ଼ ଯାଇ ସେଠାରୁ ଅନ୍ୟ ଟ୍ରେନରେ ଭୁବନେଶ୍ୱର ଯାଇଥିଲେ। ସୂଚନାଯୋଗ୍ୟ ଯେ ଏହି ନିର୍ଦ୍ଦିଷ୍ଟ ମେମୁ ଟ୍ରେନଟି ଚାଲିବା ଦିନଠାରୁ ବହୁ ସମୟରେ ଖରାପ ରହୁଛି। ଗତ ୧ ତାରିଖରେ ନୂଆଗାଁ ଜଙ୍ଗଲ ମଧ୍ୟରେ ଏହି ଟ୍ରେନଟି ଖରାପ ହେବା ଯୋଗୁଁ ଯାତ୍ରୀମାନେ ଭୀତତ୍ରସ୍ତ ଅବସ୍ଥାରେ ଜଙ୍ଗଲ ମଧ୍ୟରେ ଫସି ରହିଥିଲେ। ଅନ୍ୟ ପକ୍ଷରେ ଏହି ଟ୍ରେନଟି ବାରମ୍ବାର ଖରାପ ହେଉଥିବାରୁ ଏହାର ସ୍ଥାୟୀ ପ୍ରତିକାର ପାଇଁ ନୟାଗଡ଼ ନାଗରିକ ମଞ୍ଚ ରେଳ ବିଭାଗ ନିକଟରେ କ୍ରମାଗତ ଦାବି କରି ଆସୁଛି। ଆଜିର ଏହି ଘଟଣାରେ ନୟାଗଡ଼ ନାଗରିକ ମଞ୍ଚ ସଭାପତି ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଲକ୍ଷ୍ମୀଧର ସାହୁ ଗଭୀର ଉଦବେଗ ପ୍ରକାଶ କରିବା ସହିତ ନୟାଗଡ଼ ଜିଲ୍ଲା ପ୍ରତି ରେଳ ବିଭାଗର ବୈମାତୃକ ମନୋଭାବ ଏବଂ ଖମଖିଆଲ ନୀତି ବିରୁଦ୍ଧରେ ଜୋରଦାର ଆନ୍ଦୋଳନ କରାଯିବ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *