ମାଟି କୁଡିଆ ଘରେ ବିତୁଛି ଜୀବନ : ସରକାର କେବେ ଶୁଣିବେ ଗୁହାରି !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଝାଟି ମାଟି କୁଡିଆ ଘରେ ବିତୁଛି ଜୀବନ । ସରକାରୀ ସହାୟତା ପାଲଟିଛି ସାତ ସପନ । କେବେ ସରକାରୀ ସହାୟତା ମିଳିବ ସେହି ଅପେକ୍ଷାରେ ରହିଛନ୍ତି ପରିବାର । ମାଟି କୁଡିଆ ଘରେ ଜୀବନ ବିତୁଥିବା ବେଳେ ୨୫ କେଜି ରାସନ ଚାଉଳ ରେ ନିର୍ଭର ପରିବାର ର ପ୍ରାଣ । ତେବେ ୫ ପ୍ରାଣୀ ଙ୍କ ପେଟକୁ ଠିକ୍ ଭାବରେ ଦାନା ମିଳିପାରୁ ନଥିବା ବେଳେ , ସ୍ୱାମୀଙ୍କୁ ଭଲ କରିବା ପାଇଁ ସ୍ତ୍ରୀ କରୁଛନ୍ତି ଅକ୍ଲାନ୍ତ ପରିଶ୍ରମ । ତଥାପି ସ୍ବାମୀଙ୍କୁ ଠିକ୍ ସମୟରେ ଦେଇ ପାରୁ ନାହାଁନ୍ତି ଔଷଧ । ଦିନେ ଖାଇଲେ ପରଦିନ ରହୁଛନ୍ତି ଉପବାସ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବଉଳାବନ୍ଧ ଗ୍ରାମ ପଞ୍ଚାୟତ ବଜରମୁଳି ସାହିର କାବେରୀ ସାହୁଙ୍କ ପରିବାର ରେ । ପରିବାର କହିଲେ ୭୫ ବର୍ଷର ବୃଦ୍ଧା ଶାଶୁ ବୁଢ଼ୀ, ୧୪ ବର୍ଷର ଝିଅ ଓ ୧୨ ବର୍ଷର ପୁଅ ସାଙ୍ଗକୁ ପକ୍ଷାଘାତ ଆକ୍ରାନ୍ତ ସ୍ବାମୀ ଲକ୍ଷ୍ମୀଧର ସାହୁ । ଦିନ ଥିଲା ଲକ୍ଷ୍ମୀଧର ନିଜ ଘର ନିକଟରେ ଏକ ଛୋଟିଆ ଜଳଖିଆ ଦୋକାନ କରି ବେଶ୍ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ଭଗବାନ ସେମାନଙ୍କ ସୁଖକୁ ସହି ନ ପାରି ପକ୍ଷାଘାତ ରୋଗରେ ଦୁଇ ବର୍ଷ ତଳେ ଆକ୍ରାନ୍ତ କରିଦେଲେ । ସେହିଦିନ ଠାରୁ ତାଙ୍କ ପରିବାରରେ ପଡ଼ିଗଲା ବଜ୍ର । ରୋଜଗାରିଆ ସ୍ବାମୀ ହୋଇଗଲେ ବିକଳାଙ୍ଗ । ଜୀବନରେ ଯାହା ରୋଜଗାର କରିଥିଲେ ତାହା ନିଜ ଦେହରେ ଲାଗିଗଲା ପରେ ବି ଘରର ସମସ୍ତ ସୁନା ଗହଣା ବିକି ଚିକିତ୍ସା ପାଇଁ ସ୍ଵାମୀଙ୍କ ଦେହରେ ଲଗାଇଲା ପରେ ମଧ୍ୟ କିଛି ଫଳ ହୋଇ ନଥିଲା । ଯେମିତି ବିକଳାଙ୍ଗ ହୋଇ ରହିବା କଥା ସେମିତି ହିଁ ବିକଳାଙ୍ଗ ହୋଇ ସବୁଦିନ ପାଇଁ ରହିଗଲେ । ତଥାପି ତାଙ୍କୁ ବଡ ମେଡିକାଲ ନେଇ ଚିକିତ୍ସା କରିବା ପାଇଁ ଇଚ୍ଛା ଥିଲେ ବି ହାତରେ କାଣୀ କଉଡି ଟିଏ ମଧ୍ୟ ନାହିଁ ! ବର୍ତ୍ତମାନ ସ୍ଵାମୀଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜି ଥିବାର କହିଛନ୍ତି ସ୍ତ୍ରୀ । ଏପରି ସ୍ଥଳେ ପରିବାର ର ସମସ୍ତ ଙ୍କ ପେଟକୁ ଆଧାର ମୁଠେ ଦେବା ପାଇଁ କାବେରୀ ଘରେ କରୁଛନ୍ତି ଗୋଟେ ଛୋଟ ବ୍ୟବସାୟ ! ସେଥିରୁ ଯାହା କିଛି ମିଳିଲା ସେଥିରୁ ଚଳିବା ମୁସ୍କିଲ । ଝାଟି ମାଟି କୁଡିଆ ଘରେ ବିତୁଛି ତାଙ୍କ ପରିବାର ଜୀବନ । ଘରର ଛପର ବର୍ଷା ପବନରେ ଉଡ଼ି ଯିବା ସହ ଘରର କାନ୍ଥ ଭୁଷଡି ଯାଇଛି । ସେହି ଘରେ ପାଲ ଟାଣି ବସବାସ କରୁଛନ୍ତି । ଅସହାୟ ପରିବାର ର ୫ ପ୍ରାଣୀ ଏବେ ବେସାହାରା ହୋଇ ପଡିଛନ୍ତି । ସରକାରୀ ସହାୟତା ତାଙ୍କ ପାଇଁ ପାଲଟିଛି ସାତ ସପନ । ଆବାସ ଯୋଜନା ରେ ମଧ୍ୟ ତାଙ୍କୁ ଏ ପର୍ଯ୍ୟନ୍ତ ଘର ଖଣ୍ଡିଏ ମିଳିପାରି ନାହିଁ । ଜଣେ ଯୋଗ୍ୟ ହିତାଧିକାରୀ ଙ୍କୁ ଯଦି ସରକାରୀ ସହାୟତା ମିଳି ପାରିବ ନାହିଁ ତାହେଲେ ଏ ସରକାରୀ ସହାୟତା କାହା ପାଇଁ ?? ଏବେ ଦେଖିବାକୁ ବାକି ରହିଲା ଗଣମାଧ୍ୟମରେ ଖବର ପ୍ରଶାରଣ ପରେ ଲକ୍ଷ୍ମୀଧର ଙ୍କ ପରିବାରକୁ କେବେ ମିଳୁଛି ସରକାରୀ ସହାୟତା ।।

Leave a Reply

Your email address will not be published. Required fields are marked *