ଉମରକୋଟ ( ଆୱାଜ ମିଡ଼ିଆ ) – ବିଜୟଲତା ପାଣିଗ୍ରାହୀ : ଚାକିରିରୁ ବହିଷ୍କୃତ କୋଟିପତି ଉପ-ଜିଲ୍ଲାପାଳଙ୍କ ସହଯୋଗୀଙ୍କ ଉପରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ ! ଦକ୍ଷିଣାଞ୍ଚଳ RDC ନବରଙ୍ଗପୁର ଜିଲ୍ଲା ଉମରକୋଟ ଗସ୍ତରେ ଆସି ଜିଲ୍ଲାରେ ହୋଇଥିବା ବ୍ୟାପକ ବେଆଇନ ପଥର ଲୁଟ୍ ସାଙ୍ଗକୁ ଜମି ଜାଲିଆତିର ପ୍ରକୃତ ତଦନ୍ତ କରାଯିବ ଏବଂ ବହିଷ୍କୃତ ଉପ-ଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ସହଯୋଗ କରିଥିବା ତହସିଲ କର୍ମଚାରୀଙ୍କ ଉପରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ସୂଚନା ଦେଇଛନ୍ତି ! ନବରଙ୍ଗପୁର ଜିଲ୍ଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯିବା ପରେ ଏବେ ଚିନ୍ତାରେ ତହସିଲ କର୍ମଚାରୀ । ପ୍ରକାଶ ଥାଉକି ଜିଲ୍ଲାର ମୁଖ୍ୟ ବ୍ୟବସାୟିକ କେନ୍ଦ୍ର କୁହା ଯାଉଥିବା ଉମରକୋଟ ବ୍ଲକ୍ ଅଂଚଳରେ କୋଟି କୋଟି ଟଙ୍କାର ଜମି ଜାଲିଆତି ସାଙ୍ଗକୁ ବ୍ଲକ୍ ର କେସରିବେଡ଼ା ଏବଂ ଶୀତଳଡଙ୍ଗରୀ ଅଂଚଳରୁ ବେଆଇନ ଭାବେ କୋଟି କୋଟି ଟଙ୍କାର ପଥର ଲୁଟ୍ କରିବାରେ ଭାରତମାଳା ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ ପିଆରଏ କମ୍ପନୀକୁ ତତ୍କାଳିନ ଉପ-ଜିଲ୍ଲାପାଳ ପ୍ରଶାନ୍ତ ରାଉତ ସହଯୋଗ କରିଥିବା ନେଇ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ହିଁ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡିଥିଲେ ଉପ-ଜିଲ୍ଲାପାଳ ପ୍ରଶାନ୍ତ ରାଉତ ଏବଂ ବାହାରିଥିଲା ଲୁଟ୍ କରିଥିବା କୁବେର ସମ୍ପତ୍ତି । ଆରଡିସି ଉମରକୋଟ ତହସିଲ କାର୍ଯ୍ୟାଳୟରେ ପହଂଚି ଦୀର୍ଘ ୪ ଘଣ୍ଟା ଧରି କର୍ମଚାରୀଙ୍କୁ ଜେରା କରିଥିଲେ ଏବଂ ତହସିଲ ର ବିଭିନ୍ନ କାର୍ଯ୍ୟର ସମିକ୍ଷା କରିବା ସହ ଅଂଚଳରେ ହୋଇଥିବା ବ୍ୟାପକ ଜମି ଦୁର୍ନୀତି ଓ କୋଟି କୋଟି ଟଙ୍କାର ପଥର ଲୁଟ୍ ର ତଦନ୍ତ କରାଯିବ ବୋଲି କହିଛନ୍ତି ।