କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସୋନପୁର ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ହୋଇଛି । ତେବେ ଗ୍ରାମବାସୀ ମାନେ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ଦୁର୍ବୁତ୍ତ ମାନେ ଛତ୍ରଭଙ୍ଗ ଦେଇ ଚାଲି ଯାଇଛନ୍ତି । ପ୍ରକାଶ ଯେ, ଗୁରୁବାର ରାତି ପ୍ରାୟ ୮ଟା ବେଳେ ସରୋଜ କୁମାର ସିଂ ଓ କପିଳ ଦିଗାଲ ନାମକ ଦୁଇ ଜଣ ବ୍ୟକ୍ତି ସୋନପୁର ସରପଞ୍ଚ କେଶବସେନ ମୁଠାମାଝୀ ଙ୍କୁ ଘରୁ ବାହାରକୁ ଡାକିଥିଲେ । କେଶବସେନ ବାହାରକୁ ଆସିବା ପରେ ପାଖରେ ଥିବା ଏକ ବୋଲେରୋ ଗାଡିରୁ ବିଭିନ୍ନ ମାରଣାସ୍ତ୍ର ଧରିଥିବା ପାଞ୍ଚ ଜଣ ଅଜଣା ବ୍ୟକ୍ତି ବାହାରି ତାଙ୍କୁ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲେ । କେଶବ ଭୟରେ ଘର ଭିତରକୁ ପଶିଯିବା ସହ ସାହି ଲୋକଙ୍କୁ ସାହାଯ୍ୟ ପାଇଁ ଡାକ ପକାଇଥିଲେ । ଡାକ ଶୁଣି ଆଖପାଖ ଲୋକ ଘଟଣା ସ୍ଥଳରେ ପହଞ୍ଚି ଯିବାରୁ ଦୁର୍ବୁତ୍ତ ମାନେ ଗାଡି ଛାଡିଦେଇ ସେଠାରୁ ଧାଇଁ ପଳାଇଥିଲେ । ତେବେ ଗ୍ରାମବାସୀ ମାନେ ଦୁର୍ବୁତ୍ତମାନେ ଆଣିଥିବା ଗାଡିକୁ ପୁଲିସ ଜିମା ଦେଇଥିଲେ ।

ଏ ନେଇ କେଶବସେନ ଦାରିଙ୍ଗବାଡି ଥାନାରେ ଦେଇଥିବା ଏତଲା କୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଥିବା ସମୟରେ , ଦୁର୍ବୁତ୍ତ ମାନେ ଆସିଥିବା ବୋଲେରୋ ଗାଡ଼ି ନଂ- ଓଡ଼ି ୧୯ କେ ୩୩୨୫ କୁ ଜବତ କରିଛି । ଏହି ଗାଡିରେ ଓମଫେଡ ଓ ପୁମୁଲର ଲୋଗୋ ଥାଇ କୋଭିଡ-୧୯ ପାସ ଲାଗିଛି । ଏହି ପାସ ପୁରୀ ଜିଲ୍ଲା ଦୁଗ୍ଧ ଉତ୍ପାଦକ ସମବାୟ ୟୁନିଅନ ଇସ୍ୟୁ କରିଥିବା ଉଲ୍ଲେଖ ରହିଛି । ମୁଖ୍ୟ ଅଭିଯୁକ୍ତ ସରୋଜ ଜଣେ ଶିକ୍ଷକ ବୋଲି ଜଣାପଡିଛି । ସେ ପୂର୍ବରୁ ଅନେକ ଥର ସରପଞ୍ଚ କେଶବସେନଙ୍କୁ ମାରିବା ପାଇଁ ଧମକ ଦେଇଥିବା ଏତାଲାରେ ଦର୍ଶାଯାଇଛି । ତେବେ କେଉଁ କାରଣରୁ ଶିକ୍ଷକ ଜଣକ ସରପଞ୍ଚଙ୍କୁ ମାରିବା ଉଦ୍ୟମ କରିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ । ଏ ନେଇ ଦାରିଙ୍ଗବାଡି ପୁଲିସ ଥାନା କେଶ ନଂ.୮୯/୨୧ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିବା ବିଷୟ ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି ।