ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ରାୟଗଡା ଜିଲ୍ଲାପାଳ ଗ୍ରହଣ କରିଛନ୍ତି ଭୂମି ସମ୍ମାନ । ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କୁ ଭୂମି ସମ୍ମାନ ପ୍ରଦାନ କରିବା ସହ ମାନପତ୍ର ଓ ଫଳକ ପ୍ରଦାନ କରିଥିଲେ । ରାୟଗଡ ଜିଲ୍ଲାର ସମସ୍ତ ତହସିଲର ଖତିୟାନ କମ୍ପ୍ୟୁଟିକରଣ, କଡ୍ରଷ୍ଟଲ ମ୍ୟାପ ଆଧୁନିକରଣ, ଖତିୟାନ ସହ କଡ୍ରଷ୍ଟଲ ମ୍ୟାପ ସଂଯୋଗୀକରଣ, ଅନଲାଇନ ଜମି ପଞ୍ଜୀକରଣ, ରେକର୍ଡ ରୁମ ଆଧୁନିକରଣ ଆଦିର ମାପଦଣ୍ଡ ଉପରେ ସମୀକ୍ଷା କରି ଏ ସବୁଥିରେ ଶତ ପ୍ରତିଶତ ଲକ୍ଷ ହାସଲ କରିଥିବାରୁ ରାୟଗଡ ଜିଲ୍ଲାକୁ ପ୍ଲାଟିନମ ଗ୍ରେଡ଼ର ସଫଳତା ମିଳିଥିବା ବେଳେ ଆଜି ଭୂମି ସମ୍ମାନରେ ସମ୍ମାନିତ କରାଯାଇଛି । ଭାରତ ସରକାରଙ୍କ ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟର ଭୁ ସମ୍ପଦ ବିଭାଗ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଇଛି l ଆଜିର ଏହି ପୁରସ୍କାର ଗ୍ରହଣ ଉତ୍ସବରେ ଗୁଡ଼ାରି ତହସିଲଦାର ଶ୍ରୀମତୀ ଭାରତୀ ଦେବୀ, ମୁନିଗୁଡା ତହସିଲଦାର ସୁଶ୍ରୀ ଅନାମିକା ପାଣ୍ଡେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଉପସ୍ଥିତ ଥିଲେ ।