ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ୱତୀ ନାୟକ : ଅସରାଏ ବର୍ଷାରେ ଉବୁଟୁବୁ ହେଲା ରାଜଧାନୀ ଭୁବନେଶ୍ୱର ! ଭାଷଣ ବାଜିରେ ବିଶ୍ୱସ୍ତରୀୟ ଗେଟଅପ ଥିବାବେଳେ , ଅସଲ ଚିତ୍ର ପଦାରେ ପଡ଼ିଛି । ଭୁବନେଶ୍ୱର ମହାନଗର ନିଗମ ର ଅପାରଗତା ଓ ରାଜ୍ୟ ସରକାରଙ୍କ ମିଛ ବାହାଦୂରୀ ଯୋଗୁ ରାଜଧାନୀର ୮୦ ପ୍ରତିଶତ ଅଂଚଳରେ ଲହରୀ ଭାଙ୍ଗୁଛି ବର୍ଷା ପାଣି । ଜଳ ନିଷ୍କାସନ ପାଇଁ ବାଟ ନାହିଁ । କେଉଁଠି ଘର ଭିତରେ ଆଣ୍ଠୁଏ ପାଣି ତ, କେଉଁଠି ମୁଖ୍ୟ ରାସ୍ତାରେ କୃତ୍ରିମ ହ୍ରଦ । ଆଉ ଏସବୁ ଭିତରେ ଭୁବନେଶ୍ୱର ମେୟର ସୋସାଲ ମିଡ଼ିଆ ରେ ‘ହେଲପଲାଇନ୍ ନମ୍ବର-୧୯୨୯’, ବିଏମସି ଜୋନାଲ ଅଫିସର ଅବା ସ୍ଥାନୀୟ କର୍ପୋରେଟରଙ୍କୁ ଯେକୌଣସି ସହାୟତା ପାଇଁ ଯୋଗାଯୋଗ କରନ୍ତୁ ବୋଲି କହି ନିଜ ମୁଣ୍ଡରୁ ଦୋଷ ଛଡ଼ାଇ ଚୁପଚାପ ବସି ପଡ଼ିଛନ୍ତି । ତେବେ ଯେଉଁ ହେଲପଲାଇନ୍ ନମ୍ବର ଦେଇଛନ୍ତି ତାକୁ ଫୋନ୍ କଲେ କେହି ଉଠାଉ ନଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଆଜି ରାତି ୮ ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୧୮୬ ମିମି ବର୍ଷା ରେକର୍ଡ କରାଯାଇଛି । ମାତ୍ର ଛ ସାତ ଘଣ୍ଟାର ବର୍ଷାରେ ରାଜଧାନୀର ସବୁ ଅଂଚଳରେ ଜଳାର୍ଣ୍ଣବ ସ୍ଥିତି । ନା ଜଳ ନିଷ୍କାସନ ପାଇଁ ଡ୍ରେନ ପରିଷ୍କାର ହୋଇଛି , ନା କେଉଁଠି ମୋଟର ପମ୍ପ ଲଗାଇ ଜଳ ନିଷ୍କାସନ ହେଉଛି । ଏପରି ଅବସ୍ଥାରେ ବିଏମସି ଅଧିକାରୀ କିମ୍ବା ମେୟରଙ୍କ ଦେଖାନାହିଁ । ଜାଗମରା, ପଳାସପଲ୍ଲୀ, ଓଲଡ ଟାଉନ୍, ଚକେଇସାଣୀ, ରସୁଲଗଡ଼, ପଟିଆ, ନିଳାଦ୍ରି ବିହାର, ଭୀମଟାଙ୍ଗୀ, ସୁନ୍ଦରପଦା, ହଂସପାଳ ଆଦି ଅଂଚଳରେ ବର୍ଷା ଜଳ ଘର ଭିତରେ ପଶିଥିବା ବେଳେ ଭୁବନେଶ୍ୱର ଅଧିକାଂଶ ମୁଖ୍ୟ ରାସ୍ତା ଏବେବି ପାଣିରେ ବୁଡି ରହିଛି ।