ବାଙ୍କୀରେ ବନ୍ୟାଜଳ ବିପଦ ସଂକେତ ଉପରେ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବାଙ୍କୀ ରେ ବନ୍ୟା ଜଳ ବିପଦ ସଂକେତ ଉପରେ ଥିବାବେଳେ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ହିରାକୁଦରୁ ବନ୍ୟାଜଳ ଛଡା ଯାଉଛି ! ମହାନଦୀରେ ବିପଦ ସଂକେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଏଠାରେ ବିପଦ ସଂକେତ ୭.୭୮ମିଟର ଥିବା ବେଳେ ଗତକାଲି ସନ୍ଧ୍ୟା ୬ଟା ସୁଧା ୭.୮୧ମିଟର ବନ୍ୟାଜଳ ପ୍ରବାହିତ ହେଉଛି । ହିରାକୁଦ ଗେଟ୍ ଖୋଲିବା ଫଳରେ ବାଙ୍କୀରେ ପ୍ରବେଶ କରିଛି ମହାନଦୀର ପ୍ରଥମ ବନ୍ୟାଜଳ । ବାଙ୍କୀର ତଳିଆ ଅଞ୍ଚଳରେ ମହାନଦୀର ବନ୍ୟାଜଳ ପ୍ରବେଶ କରିଛି । ସରଣ୍ଡା ସୁବର୍ଣ୍ଣପୁର ନିକଟ ହୁଳୁହୁଳା ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହୋଇଛି । ଫଳରେ ବାଙ୍କୀର ୬ ଗୋଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ବାଉଁଶପୁଟ, ବନ୍ଦାଳ, ରତାଗଡ , ଓସ୍ତିଆ ଆଦି ପଞ୍ଚାୟତର ଅନେକ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ ଶହ ଶହ ହେକ୍ଟର ଚାଷ ଜମିରେ ବନ୍ୟାଜଳ ମାଡିଯାଇଛି । ସେହିପରି ଡମପଡ଼ା ବ୍ଲକ ଶିମିଳିପୁର -ବିଲିପଡା ରାସ୍ତାର କଇଁଆ ନାଳ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେବା ଫଳରେ ବିଲିପଡା-ଶିମିଳିପୁର-ତାଳବସ୍ତ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରଣନଦୀ ଦେଇ ମହାନଦୀ ବନ୍ୟାଜଳ ପ୍ରବେଶ କରିବା ଫଳରେ ବିଲିପଡା, ତାଳବସ୍ତ, ପାଟପୁର, ଗୋପାଳପୁର ଅଞ୍ଚଳ ଜଳମଗ୍ନ ହେଉଛି । ବର୍ତ୍ତମାନ ଡମପଡ଼ା ବ୍ଳକ କଇଁମୁଣ୍ଡି ଗାଁ ବନ୍ୟାଜଳ ଘେରରେ ରହିଛି । ଯାହା ଫଳରେ ଜନସାଧାରଣ ଓ ଗାଈଗୋରୁ ମାନେ ଗାଁ ଛାଡି ଉଚ୍ଚଜାଗାକୁ ଯାଉଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ କଇଁମୁଣ୍ଡି ,ବିଲିପଡା ଓ ଶିମିଳିପୁର ଅଞ୍ଚଳକୁ ଜନସାଧାରଣ ପାର୍ ହେବାପାଇଁ ଗୋଟିଏ ଲେଖାଏଁ ବୋଟ୍ ଯୋଗାଇ ଦିଆଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଏନ୍‌.ଡି.ଆର୍‌.ଏଫ୍ ଟିମ୍‌କୁ ଏଠାରେ ପରିସ୍ଥିତି ମୁକାବିଲା କରିବା ପାଇଁ ମହଜୁଦ ରଖାଯାଇଛି । ମହାନଦୀ ବନ୍ଧ ସୁଦୃଢ଼ ରହିଛି ଏବଂ ଯଦି କେଉଁଠାରେ ବନ୍ଧରେ ଘଳିଆ ପଡେ ତା’ର ମୁକାବିଲା କରିବା ପାଇଁ ପ୍ରଚୁର ପରିମାଣରେ ବାଲିବସ୍ତା ମହଜୁଦ ରଖାଯାଇଛି ବୋଲି ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି । ପ୍ରଶାସନ ପକ୍ଷରୁ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ଏବଂ ବାଙ୍କୀରେ ଜିରୋ କାଜୁଆଲିଟି ହେବ ସେଥିପାଇଁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ପ୍ରକାଶ କରିଛନ୍ତି । କଟକର ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର ବାଙ୍କୀରେ ଉପସ୍ଥିତ ରହି ବନ୍ୟା ପରିସ୍ଥିତି ସଂପର୍କରେ ବାଙ୍କୀର ପ୍ରଶାସନିକ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବା ସହିତ କିପରି ଜନସାଧାରଣଙ୍କୁ ସୁବିଧା ଯୋଗାଇ ଦିଆଯିବ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି । ଉପଖଣ୍ଡର ସମସ୍ତ ଅଧିକାରୀ ମାନେ ଉପସ୍ଥିତ ରହି ବନ୍ୟାପ୍ରତି ସଜାଗ ଦୃଷ୍ଟି ଦେବାକୁ ଉପଜିଲ୍ଲାପାଳ ଶ୍ରୀଜେନା ଏକ ବୈଠକ କରି ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *