କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲା ଫିରିଙ୍ଗିଆ ଥାନାଧିକାରୀଙ୍କ ନିଲମ୍ବନ ଏବଂ ଗିରଫ ଦାବିରେ ଉତ୍ୟକ୍ତ ଲୋକ ଥାନା ପୋଡି ଦେଇଛନ୍ତି । ଶନିବାର ଫିରିଙ୍ଗିଆ – ବାଲିଗୁଡା ମୁଖ୍ୟ ରାସ୍ତାକୁ ଉତ୍ୟକ୍ତ ଲୋକ ଅବରୋଧ କରିଥିଲେ । ସେମାନଙ୍କୁ ବୁଝାଇବାକୁ ଯାଇଥିବା ସଦର ଏସ୍ଡିପିଓ ସୁପ୍ରଶନ୍ନ ମଲ୍ଳିକ, ତହସିଲଦାର ଏମ୍ ଅନୁରାଧାଙ୍କୁ ଲୋକେ ଲୋକେ ଗୋଡାଇ ଗୋଡାଇ ପିଟିଛନ୍ତି । ଏହାପରେ ଥାନା ଭିତରେ ପଶି ପୋଡା ଜଳା କରିବା ସହ ଜବତ ଗାଡିକୁ ଲୁଟି ନେଇଛନ୍ତି । ଉତ୍ୟକ୍ତ ଜନତା ଥାନା ଭିତରକୁ ପ୍ରବଳ ଟେକା ପଥର ମାଡ କରିଛନ୍ତି । ଘଟଣାସ୍ଥଳରେ ଫୋର୍ସ ଅଧିକ ନ ଥିବାରୁ ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଛି । ସୂଚନାଯୋଗ୍ୟ, ଫିରିଙ୍ଗିଆ ଥାନା ପୋଲିସ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ଅଭିଯୋଗ କରି ଏବଂ ଥାନାଧିକାରୀ ତପନ କୁମାର ନାହାକଙ୍କ ଗିରଫ ଦାବିରେ ଲୋକେ ରାସ୍ତାରୋକ କରିଥିଲେ । ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ଆସି ରାସ୍ତା ଅବରୋଧ କରିଥିଲେ । ପ୍ରାୟ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ରାସ୍ତାରୋକ ଚାଲିଥିଲା । ସଦର ଏସଡିପିଓ ମଲ୍ଲିକ ଏବଂ ତହସିଲଦାର କିଛି ଫୋର୍ସଙ୍କ ସହ ଘଟଣାସ୍ଥଳକୁ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ଉତ୍ୟକ୍ତ ଲୋକେ ଠେଲା ପେଲା ଆରମ୍ଭ କରି ଦେଇଥିଲେ । ଏହାପରେ ଉଭୟଙ୍କୁ ଗୋଡେଇ ଗୋଡେଇ ପିଟିଥିଲେ । ପରେ ସେମାନେ କିଛି ଫୋର୍ସଙ୍କ ସହ ଆସି ଥାନାରେ ପହଞ୍ଚିଥିଲେ । ହେଲେ ଲୋକେ ସେଠାକୁ ମଧ୍ୟ ଗୋଡେଇ ଆସି ଥାନା ଭିତରକୁ ପଶିଥିଲେ । ସେଠାରେ ପୋଲିସ ଏବଂ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଏହାପରେ ପରିସ୍ଥିତି ଅଣାୟତ ହୋଇ ପଡିଥିଲା । ଖବର ଅନୁସାରେ ଏସଡିପିଓ ଏବଂ ତହସିଲଦାର ଘଟଣାରେ ଆହତ ହୋଇଥିବା ଜଣାପଡିଛି l


