ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ଶିଳ୍ପାଞ୍ଚଳର ପ୍ରବେଶ ପଥ କୁହାଯାଉଥିବା ଡୁବୁରୀ ଯାଜପୁର ରୋଡ ରାସ୍ତାର ବାରଗାଡ଼ିଆ ଟୋଲଗେଟରେ ବିନା କାରଣରେ ଜଣେ ଟ୍ରକ ଡ୍ରାଇଭରକୁ ଟୋଲଗେଟ କର୍ମଚାରୀ ମାଡ ମାରିବା ଅଭିଯୋଗରେ ଡ୍ରାଇଭର ମହାସଂଘ ପକ୍ଷରୁ ରାସ୍ତା ଅବରୋଧ ହୋଇଥିବା ଜଣାପଡିଛି । କଳିଙ୍ଗନଗର ଥାନା ଅନ୍ତର୍ଗତ ବାରଗାଡିଆ ଟୋଲ ଗେଟରେ ସୋମବାର ସନ୍ଧ୍ୟାରେ ଜଣେ ଟ୍ରକ ଡ୍ରାଇଭର ଟ୍ରକ ନେଇ ଅତିକ୍ରମ କରୁଥିବା ସମୟରେ ଟୋଲ କର୍ମଚାରୀଙ୍କ ସହ କଥା କଟାକଟିକୁ ନେଇ ଉତେଜନା ଦେଖାଦେଇଥିଲା । ସଂପୃକ୍ତ ଟୋଲ କର୍ମଚାରୀ ମାନେ ଟ୍ରକ ଡ୍ରାଇଭରକୁ ମାଡ ମାରି ଆହତ କରିଥିଲେ । ଏହି ଘଟଣାକୁ ନେଇ ସଂପୃକ୍ତ ଡ୍ରାଇଭର ମହାସଂଘକୁ ଜଣାଇବା ପରେ ସେହି ରାସ୍ତାରେ ଅତିକ୍ରମ କରୁଥିବା ସମସ୍ତ ଗାଡ଼ିର ଡ୍ରାଇଭର ଗାଡ଼ି ରାସ୍ତା ଉପରେ ଛାଡି ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଘଟଣାର ସମାଧାନ ନହେବା ପର୍ଯ୍ୟନ୍ତ କୌଣସି ରାସ୍ତାରୁ ଗାଡ଼ି ହଟାଇବେ ନାହିଁ ବୋଲି ଜିଦରେ ଟୋଲଗେଟ ନିକଟରେ ବସି ରହିଥିଲେ । ଏହି ଘଟଣାକୁ ନେଇ ଦୀର୍ଘ ସମୟ ଧରି ରାସ୍ତାରେ ଯାତାୟାତ ବନ୍ଦ ହୋଇଯିବାରୁ ଶହ ଶହ ଗାଡ଼ି ରାସ୍ତାର ଉଭୟ ପାର୍ଶ୍ବରେ ଲମ୍ବା ଧାଡ଼ିରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ସେହି ଟୋଲଗେଟରେ ଅନେକ ସମୟରେ ଟୋଲ କର୍ମଚାରୀ ମାନେ ଅନେକ ଲୋକଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହେଉଛି । କଳିଙ୍ଗନଗର ଆଡିସିନାଲ ଏସ.ପି ଏସ ଟପେ ଓ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଉତେଜିତ ଡ୍ରାଇଭର ମାନଙ୍କୁ ବୁଝସୁଝା କରିବା ସହ ଘଟଣାର ତଦନ୍ତ କରିବା ପରେ ମାଡ ମାରିଥିବା ସଂପୃକ୍ତ ଟୋଲ କର୍ମଚାରୀକୁ ଗିରଫ କରିବା ପରେ ରାସ୍ତା ଅବରୋଧ ହଟିଥିଲା । ଯଥାଶୀଘ୍ର ଏହି ଟୋଲ ଗେଟକୁ ଅଟୋମେଟିକ କରିବା ପାଇଁ ଡ୍ରାଇଭର ମହାସଂଘ ପକ୍ଷରୁ ଦାବୀ କରାଯାଇଛି ।
ବାରଗାଡିଆ ଟୋଲ ଗେଟରେ ଡ୍ରାଇଭରଙ୍କୁ ମାଡମରା ଘଟଣା : ଟୋଲ ଗେଟ କର୍ମଚାରୀ ଗିରଫ !!!

