ଆସୁଛି ନିର୍ବାଚନୀ ଋତୁ….ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ବିଜେଡି ଆଶାୟୀ ପ୍ରାର୍ଥୀ ବାସନ୍ତୀଙ୍କ ପ୍ରତି ବଢୁଛି ଜନ ସମର୍ଥନ ! ବିଜେପି ପ୍ରସ୍ତୁତି ଚଳାଇଛି, କଂଗ୍ରେସ ନିଦ ଭାଙ୍ଗୁନି !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ନିର୍ବାଚନୀ ଋତୁ ଆସୁଥିବାରୁ ଚା ଖଟି ଠାରୁ ଆରମ୍ଭ କରି ଗାଁ ମୁଣ୍ଡ, ପଂଚାୟତରୁ ଓ ପାର୍ଟି ଅଫିସ ପର୍ଯ୍ୟନ୍ତ ସବୁଠି ରାଜନୀତି ଆଲୋଚନା ୨୦୨୪ ନିର୍ବାଚନ ଚର୍ଚ୍ଚା କିଏ କେଉଁ ଦଳରୁ ଆଶାୟୀ । ବିଗୁଲ୍ ବାଜିବା ପୂର୍ବରୁ, ନେତା ଓ କର୍ମୀ ଆରମ୍ଭ କରି ଦେଲେଣି ପ୍ରସ୍ତୁତି ପର୍ବ । ଏବେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ବାରି ହୋଇ ପଡ଼ିଲାଣି ନିର୍ବାଚନୀ ତାତି। ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି ଖୋର୍ଦ୍ଧା । ୧୯୫୧ ମସିହାରେ ଗଠନ ହୋଇଥିଲା ଏହି ନିର୍ବାଚନ କ୍ଷେତ୍ର । ନିର୍ବାଚନ ମଣ୍ଡଳୀର ମୋଟ ଭୋଟର ସଂଖ୍ୟା ୨,୧୩,୬୯୧ । ସେଥିରୁ ୧,୧୨,୬୦୦ମହିଳା ଭୋଟର ଏବଂ ୧,୦୧,୦୯୧ ପୁରୁଷ ଭୋଟର ରହିଛନ୍ତି । ଯଦିଓ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଓ ବିଜେପିର ଆଶୟୀ ପ୍ରାର୍ଥୀ ସ୍ପଷ୍ଟ ହୋଇନାହାନ୍ତି ତଥାପି ବିଜେଡିର ଆଶାୟୀମାନେ ଜନ ସମର୍ଥନ ଜୁଟାଇବାରେ ବ୍ୟସ୍ତ । ବିଜେଡି ହ୍ୟାଟ୍ରିକ୍ ପାଇଁ ଲକ୍ଷ୍ୟ ରଖିଥିବା ବେଳେ, ଗଡ ରକ୍ଷା କରିବାକୁ ବେଶ ଅଂଟା ଭିଡ଼ିଛି । ୨୦୧୪ ରେ ରାଜେନ୍ଦ୍ର କୁମାର ସାହୁ ଓ ୨୦୧୯ରେ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ନିର୍ବାଚନରେ ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ । ଆଉ ୨୦୨୪ ନିର୍ବାଚନ ଜିତି ହ୍ୟାଟ୍ରିକ ଲକ୍ଷ୍ୟରେ ଅଛି ଶାସକ ଦଳ । ୨୦୧୯ ନିର୍ବାଚନରେ, ବିଜେଡି ପ୍ରାର୍ଥୀ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ୧୦, ୦୪୩ ଭୋଟ୍ ରେ ବିଜୟୀ ହୋଇଥିଲେ । ଶ୍ରୀ ମିତ୍ର ୮୪, ୫୫୩ ଭୋଟ୍ ପାଇଥିବା ବେଳେ, ବିଜେପି ପ୍ରାର୍ଥୀ କାଳୁ ଚରଣ ଖଣ୍ଡେୟିତରାୟ ୭୪, ୫୧୦ ଭୋଟ ସହ ଦ୍ୱିତୀୟ ସ୍ଥାନରେ ଥିଲେ । କଂଗ୍ରେସ ପ୍ରାର୍ଥୀ ସ୍ୱାଗତିକା ପଟ୍ଟନାୟକ ପାଇଥିଲେ ମାତ୍ର ୪,୨୬୮ ଭୋଟ୍ । ମାତ୍ର ଚଳିତ ନିର୍ବାଚନକୁ ନେଇ କଂଗ୍ରେସ ଆଗକୁ ଆସିନଥିଲେ ମଧ୍ୟ ବିଜେଡି ଓ ବିଜେପି ଗାଁ ଖଟିରୁ ଆରମ୍ଭ କରି ଛକ କୁ ଆସିଲାଣି ।

ବିଜେଡି ଆସନ ବଜାୟ ରଖିବାକୁ ଯୋଜନା କରୁଥିବା ବେଳେ, ବିଜୟ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ଚଳାଇଛି ବିଜେପି । ତେବେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବାସନ୍ତୀ ମହାପାତ୍ର ଏଥର ଶାସକ ଦଳରୁ ଆଶାୟୀ ଅଛନ୍ତି । ଶ୍ରୀମତୀ ମହାପାତ୍ରଙ୍କ ଲାଗି ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରେ ସମର୍ଥନ ବଢୁଥିବା ଚର୍ଚ୍ଚା ହେଉଛି । ଲୋକଙ୍କର ସୁବିଧା ଅସୁବିଧା ପ୍ରତ୍ୟେକ ସମୟରେ ସେମାନଙ୍କ ପାଖେ ଠିଆ ହେଉଥିବାବେଳେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ତୃଣମୂଳସ୍ତରରେ ବୈଠକ ମାନ କରି ଲୋକଙ୍କୁ ସଚେତନ କରୁଛନ୍ତି । ତେବେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ବିଜେଡି ଜଣେ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେବ ଚର୍ଚ୍ଚା ହେଉଥିବା ବେଳେ ବାସନ୍ତୀ ମହାପାତ୍ରଙ୍କ ପ୍ରତି ବଢୁଥିବା ଜନ ସମର୍ଥନ ଚର୍ଚ୍ଚାକୁ ବେଶ ଖୋରାକ ଯୋଗାଉଛି । ଶ୍ରୀମତୀ ମହାପାତ୍ର ୧୯୯୧-୯୫ ପର୍ଯ୍ୟନ୍ତ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ରହିଥିଲେ । ଏହାପରେ ୨୦୦୧-୨୦୦୬ ପର୍ଯ୍ୟନ୍ତ ରାଜ୍ୟ ପରିଷଦ ସଭ୍ୟ, ୨୦୦୩-୦୯ଖୋର୍ଦ୍ଧା ଜିଲ୍ଲାପରିଷଦ ଉପସଭାପତି, ୨୦୦୯-୧୨ ଖୋର୍ଦ୍ଧା ଜିଲ୍ଲା ପରିଷଦ ସଭାପତି, ୨୦୧୩-୧୪ ବାଲେଶ୍ୱର ଉପନିର୍ବାଚନ ପର୍ଯ୍ୟବେକ୍ଷକ, ୨୦୧୫-୨୧ ବିଜୁ ମହିଳା ଜନତା ଦଳ ଖୋର୍ଦ୍ଧାଜିଲ୍ଲା ସଭାପତି, ୨୦୧୭-୧୮ ନୟାଗଡ ଜିଲ୍ଲା ପର୍ଯ୍ୟବେକ୍ଷକ, ୨୦୧୯-୨୦ ଖୋର୍ଦ୍ଧାଜିଲ୍ଲା ସଂଯୋଜକ, ୨୦୨୦-୨୧ ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ, ୨୦୨୧ରେ ବାଲେଶ୍ୱର ଉପନିର୍ବାଚନ ପର୍ଯ୍ୟବେକ୍ଷକ ଏବଂ ୨୦୨୧ ରୁ ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାପତି ଭାବେ କାର୍ଯ୍ୟ କରୁଛନ୍ତି । ତେବେ ଚଳିତ ଥର ଭୋଟର ମାନେ ନୂଆ ମୁଁହକୁ ପସନ୍ଦ କରୁଥିବା ଏକ ବିଶେଷ ଅନୁସନ୍ଧାନରୁ ଜଣାପଡିଛି ।

 

Leave a Reply

Your email address will not be published. Required fields are marked *