ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ବେଗୁନିଆ ବ୍ଲକ ଅନ୍ତର୍ଗତ ହୀରାପୁର ପଞ୍ଚାୟତ ଜଲଭର ଗାଁ ର କରୁଣ ଦୃଶ୍ୟ l ଶଯ୍ୟାରେ ସଢୁଛି ଝିଲିଙ୍କ ଜୀବନ l ଦିନ ମଜୁରିଆ ପ୍ରଭାତ ସାମନ୍ତସିଂହାରଙ୍କ ପରିବାର କହିଲେ ସ୍ତ୍ରୀ ଝିଲି, ବିଧବା ବୃଦ୍ଧା ମା, ତା ସାଙ୍ଗକୁ ଆଠ ବର୍ଷର ଝିଅ ଏବଂ ତିନି ବର୍ଷର ପୁଅ l ପ୍ରଭାତ ବାହାର ରାଜ୍ୟରେ ଦାଦନ ଖଟି ଯେଉଁ ଦି ପଇସା ରୋଜଗାର କରୁଥିଲେ ବେଶ ହସ ଖୁସିରେ ଚାଲୁଥିଲା ତାଙ୍କ ସୁଖର ସଂସାର l କିନ୍ତୁ ଦଇବ ସାଜିଲା ବାଧକ l ବାରମ୍ବାର ତାଙ୍କ ସ୍ତ୍ରୀ ଝିଲିଙ୍କ ମେରୁଦଣ୍ଡରେ ଯନ୍ତ୍ରଣା ହେବାରୁ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦୌଡ଼ି ଦୌଡି ପରିଶେଷରେ ତାଙ୍କ ମେରୁଦଣ୍ଡ ଅପରେସନ କରିବାକୁ ପଡିଲା l ଅବସ୍ଥା ସୁଧୁରିବା ପରିବର୍ତ୍ତେ ସବୁଦିନ ପାଇଁ ଝିଲିଙ୍କ ଅଣ୍ଟାଠାରୁ ପାଦ ପର୍ଯ୍ୟନ୍ତ ଅଚଳ ହୋଇଗଲା l ଯାହାର ଫଳ ସ୍ୱରୂପ, ଝିଲି ସବୁଦିନପାଇଁ ପଡି ରହିଲେ ଶଯ୍ୟାରେ l ସ୍ତ୍ରୀଙ୍କ ସେବା କରିବା ପାଇଁ ପ୍ରଭାତ ଦାଦନ କାର୍ଯ୍ୟ ଛାଡି ଓଡିଶା ଫେରି ଆସିଲେ l ସ୍ତ୍ରୀଙ୍କୁ ଭଲ କରିବାକୁ ଯାଇ ସୁନା ଗହଣା, ବାସନକୁସନ ଯାହାଥିଲା ସବୁ ବିକିଲେ ସୁଧା କିଛି ସୁଫଳ ମିଳିଲାନି l ସ୍ତ୍ରୀଙ୍କୁ ଭଲ କରିବାକୁ ଯାଇ ସରପଞ୍ଚ ସହିତେ ଅନେକ ଲୋକଙ୍କୁ ଗୁହାରି କରିଛନ୍ତି ! କିନ୍ତୁ ନା କିଛି ସହାୟତା ନା ସମବେଦନା , କିଛି ମଧ୍ୟ ଫଳ ମିଳିନାହିଁ l ଏପରିକି ହୁଇଲ ଚେୟାର ଖଣ୍ଡେ ମଧ୍ୟ ମିଳିନାହିଁ l ତାଙ୍କର ଏପରି ଅବସ୍ଥା ଦେଖି ଆମ ପ୍ରତିନିଧି ସମୀର ସୁନ୍ଦରାୟ ବେଗୁନିଆ ବ୍ଲକ ବିଡ଼ିଓଙ୍କୁ ଏବିଷୟରେ ଅବଗତ କରାଇଥିଲେ l ଏହା ଉପରେ ତ୍ୱରିତ ପଦକ୍ଷେପ ନେବେ ବୋଲି ବିଡ଼ିଓ ପ୍ରତିଶୃତି ଦେଇଥିଲେ l ଏବେ ଦେଖିବାକୁ ବାକି ରହିଲା ପ୍ରଶାସନର ତ୍ୱରିତ ପଦକ୍ଷେପର ସମୟ ସୀମା କେତେ ଦିନ ଛୁଉଁଛି !