ସ୍ୱତନ୍ତ୍ର ଉପସ୍ଥାପନା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପିତା ଧର୍ମ ପିତା ସ୍ବର୍ଗ । ପିତା ହିଁ ପରମତପ । ପିତରି ପ୍ରତୀପର୍ଣ୍ଣେ । ପ୍ରିୟନ୍ତି ସର୍ବଦେବତା । ଏହି ଶ୍ଲୋକର ଯଥାର୍ଥତା ଆଉ ସାଂପ୍ରତିକ ସମୟରେ ଦେଖିବାକୁ ମିଳୁନାହିଁ । ପୁଅ ହେଉକି ଝିଅ , ଜନ୍ମ ହେଲା ପରେ ବାପା ମାଆ କେତେ ଦୁଃଖକଷ୍ଟ ସହି ପିଲାଟିକୁ ଛୋଟରୁ ବଡ କରି ଯତ୍ନରେ ଲାଳନ ପାଳନ କରିଥାନ୍ତି । ତାହାକୁ ବ୍ୟାକ୍ଷା କରିବା ଏତେ ସହଜସାଧ୍ୟ ନୁହେଁ । କିନ୍ତୁ ସେହି ପୁଅ ଅଧିକାଂଶ ସ୍ଥାନରେ ବଡ ହୋଇ ଚାକେରୀ କରି,ବାହା ସାହା ହୋଇଗଲା ପରେ ଜନକ ବାପାକୁ ବୋଝ ଭାବି ପର କରିଦେଉଛି ।

ଏମିତି ଏକ ଲୋମଟାଂକୁରା ଦୃଶ୍ୟ ଦେଖିବାକୁ ମିଳିଛି ଆମ ପ୍ରତିନିଧି ସୁବ୍ରତ କୁମାର ନାୟକଂକ ମୋବାଇଲ୍ ଲେନ୍ସରେ । ନିଚ୍ଛକ ସତ୍ୟଘଟଣାଟି ଫିଲ୍ମି, ଟିଭି ଧାରାବାହିକ ଚରିତ୍ରଠାରୁ ଆହୁରି ଭୟଂକର ଏବଂ ହୃଦୟ ବିଦାରକ ଅଟେ । କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ତାଇ ଥାନା ଅନ୍ତର୍ଗତ ନସୀପୁର ଗ୍ରାମର ଛଅ ନଂବର ୱାର୍ଡର ସ୍ଥାୟୀ ବାସିନ୍ଦା କାର୍ତ୍ତିକ ସାହୁ ଅଟନ୍ତି । ବୟସ ଏବେ ତାଂକୁ ପଂଚସ୍ତରୀ ହେବ ।ସୁସ୍ଥ ମସ୍ତିସ୍କ ସହିତ ଗୋଡହାତ ସବୁ ସଚଳ ଅଟେ । ନିଜ କାମ ନିଜେ କରିବାକୁ ମଧ୍ୟ ସକ୍ଷମ ଅଟନ୍ତି । କିନ୍ତୁ ଏହି ପରିଣତ ବୟସରେ ବୁଢାବାପାକୁ ବୋଝ ଭାବି ଆଜକୁ ୫/୬ ବର୍ଷ ହେବ ଗୋଡହାତ ବାଂଧି ଘରର ଏକ ନିଛାଟିଆ ସ୍ଥାନରେ ଛାଡି ଦେଇଛନ୍ତି । ଇଛାହେଲେ ଖାଇବାକୁ ଦେଉଛନ୍ତି ନହେଲେ ନାହିଁ । ଗୋଟିଏ ସ୍ଥାନରେ ମଳତ୍ୟାଗ ଠାରୁ ପରିସ୍ରା ପର୍ଯ୍ୟନ୍ତ ସବୁ କାମ କରୁଛନ୍ତି । ବାହାର ଦୁନିଆ ଦେଖିବା ତାଂକ ପାଇଁ ସାତସପନ । ଖବର ନେବାରେ ଜଣାପଡିଲା କାର୍ତ୍ତିକ ସାହୁଂକର ବଡପୁଅ ବୋହୁ ଓ ସାନ ପୁଅ ବାହାରେ ରୁହନ୍ତି ।ଘରେ ତାଂକର ସାନବୋହୁ ପ୍ରିୟଂକା ସାହୁ ଏବଂ ନିଜ ସ୍ତ୍ରୀ କୁନି ସାହୁ ବୁଢାଂକୁ ଖାଇବାକୁ ଗଣ୍ତେ ନଦେଇ ସଦାସର୍ବଦା ଅତ୍ୟାଚାର କରୁଛନ୍ତି । ବହୁ ସମୟ ହାତ ଉଠାଇ ବାଡାବାଡି ମଧ୍ୟ କରନ୍ତି । କାର୍ତ୍ତିକ ସାହୁଂକର କାନ୍ଦ ଶୁଣି ଯଦି ରାସ୍ତାରେ ଯାଉଥିବା କେହି ଲୋକ ସାହାର୍ଯ୍ୟ କରିବାକୁ ଯାଏ, ଶାଶୁ ବୋହୁ ବିରୋଧ କରି ଅଭଦ୍ର ଭାଷାରେ ଗାଳି କରିବା ସହିତ ଝଗଡା ମଧ୍ୟ କରିଥାନ୍ତି । ତେଣୁ ସବୁକିଛିକୁ ଦେଖି ନଦେଖିଲା ପରି ଚୁପ୍ ରୁହନ୍ତି ପାଖ ପଡିଶାମାନେ..। ସରକାରଂକ ତରଫରୁ ମିଳୁଥିବା ମାସିକ ଭତ୍ତା,ରାସନ ଚାଉଳ ,କାଳିଆ/ପି.ଏମ୍ କିଷାନ ଟଂକାକୁ ମଧ୍ୟ ଏହିମାନେ ହଡପ କରି ଆସୁଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ,କାର୍ତ୍ତିକ ସାହୁଂକର ପ୍ରଥମ ପତ୍ନୀଂକ ଦେହାନ୍ତ ପରେ କୁନି ସାହୁଂକୁ ଦିତୀୟ ବିବାହ କରିଥିଲେ । ବର୍ତ୍ତମାନ କୁନି ସାହୁଂକର ବୟସ ୫୦ ବର୍ଷ ହେବ । କାର୍ତ୍ତିକ ସାହୁଂକ ପ୍ରତି ମାନସିକ ଶାରୀରିକ ଯନ୍ତ୍ରଣା ଏତେ ପରିମାଣରେ ବଢିଯାଇଛି ଯେ, ସେ ଭୟରେ କିଛି କହି ପାରୁନାହାନ୍ତି କି ଥାନାଫାଣ୍ତିରେ ଅଭିଯୋଗ କରିବାକୁ ପାଦ ଆଗକୁ ବଢେଇବାକୁ ଲୋକବଳ କି ସାହସ ନାହିଁ । କେବଳ ଚାରିକାନ୍ଥର ଅଂଧାରିଘରେ ବସି ନିଜ ଭାଗ୍ୟକୁ ଆଦେରି ଆଖିରୁ ଲୁହ ନିଗାଡୁଛନ୍ତି । କାର୍ତ୍ତିକଂକୁ ଗୋଡହାତ ବାଂଧିବାର କାରଣ ପଚାରିଲେ…ଶାଶୁବୋହୁଂକ ଉତ୍ତର ଆସେ_ସେ ପଡି ଯାଉଥିବାରୁ ବାଂଧିବାକୁ ହୁଏ । ଜଣେ ପ୍ରତ୍ୟକ୍ଷଦର୍ଶୀ ହିସାବରେ ଉତ୍ତରର ସତ୍ୟତା ନାହିଁ । କାର୍ତ୍ତିକ ସାହୁ ବର୍ତ୍ତମାନ ବୁଢା ହୋଇ ଯାଇଥିବାରୁ ନିଜର ସ୍ତ୍ରୀ , ବୋହୁଂକ ପାଇଁ ସେ ବୋଝ ଅଟନ୍ତି । ତେଣୁ ସେମାନେ ଏମିତି ପଡି ପଡି କାର୍ତ୍ତିକ ସାହୁଂକର ମରଣ ଚାହୁଁଛନ୍ତି । ବଡମୂଳବସନ୍ତ ଗ୍ରା.ପ.ର ସରପଂଚ ସନ୍ତୋଷ ସେଠୀଂକୁ ଏହି ବିଷୟରେ ପଚାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରିନାହିଁ । ନିଜ ଆଡୁ ପଟ୍ଟାମୁଣ୍ତାଇ ଥାନା କର୍ତ୍ତୁପକ୍ଷ କିମ୍ବା କେହି ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଗୁରୁତର ସହ ଘଟଣାଟିକୁ ଗ୍ରହଣ କରି, କାର୍ତ୍ତିକ ସାହୁଂକୁ ମୁକୁଳାଇ ପାରିଲେ..ଜଣେ ବୟୋଜଷ୍ଟଂକୁ ଉପଯୁକ୍ତ ସମ୍ମାନ ଓ ନ୍ୟାୟ ମିଳିପାରିବ ବୋଲି ସ୍ଥାନୀୟ ନସୀପୁର ଗ୍ରାମବାସୀ ଆଶା ରଖିଛନ୍ତି ।

