ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ବ୍ଲକସ୍ତରୀୟ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି । ସହର ଉପକଣ୍ଠ ଭାଟସାହିରେ ପ୍ରଥମ ପଦଯାତ୍ରା ଆରମ୍ଭ ହୋଇଛି । ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ସଭାରେ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ପୌର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, ସରୋଜ ରଣସିଂହ, ବିଜେଡି ବ୍ଲକ ସଭାପତି ଅଜିତ ପ୍ରସାଦ ସାହୁ, ଛାତ୍ର ବିଜେଡି ଜିଲ୍ଲା ସଭାପତି ନୀଳମାଧବ ପଣ୍ଡା, ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୁର୍ଯ୍ୟୋଧନ ବେହେରା, ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡା, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ମନୋଜ କୁମାର ନାୟକଙ୍କ ସମେତ ବିଭିନ୍ନ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ରେ ବିଧାୟକ ଡ. ଅରୁଣ କୁମାର ସାହୁ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ଅନୁପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ବିକାଶ ବାର୍ତ୍ତା ସମ୍ପର୍କରେ ନେତାମାନେ ଆଲୋକପାତ କରିଥିଲେ । ପ୍ରତ୍ୟେକ ଗାଁ ଓ ସହରରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ନୟାଗଡ଼କୁ ଉନ୍ନତ ନିର୍ବାଚନ ମଣ୍ଡଳୀରେ ପରିଣତ କରାଇ ପାରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଠାରୁ ଆରମ୍ଭ କରି ମହିଳା ସଶକ୍ତିକରଣ ପାଇଁ ପ୍ରୟାସ ଅନନ୍ୟ ବୋଲି ନେତାମାନେ କହିଥିଲେ । ରାଜ୍ୟରେ ଜାତୀୟ ରାଜପଥ ଗୁଡ଼ିକର ଦୟନୀୟ ଅବସ୍ଥା ପ୍ରସଙ୍ଗ ସହିତ ଖାଉଟି ସାମଗ୍ରୀ ମହଙ୍ଗା, ତୈଳ ଓ ଗ୍ୟାସ ଦର ବୃଦ୍ଧି ପ୍ରସଙ୍ଗ ଉପରେ ଆଲୋଚନା କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ କର୍ମୀ ଉପସ୍ଥିତ ରହିଥିଲେ ।

