କଟକରେ ଗଣେଶ ପୂଜା ଆୟୋଜନରେ ବୁଢା ଗଣେଶ ପରଂପରାର ସ୍ବତନ୍ତ୍ର ଗୁରୁତ୍ଵ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକରେ ଗଣେଶ ପୂଜା ଆୟୋଜନରେ ବୁଢା ଗଣେଶ ପରଂପରାର ସ୍ବତନ୍ତ୍ର ଗୁରୁତ୍ଵ ରହିଛି । ୪ ବର୍ଷ ତଳେ କମିସନରେଟ ପୁଲିସ ଗଣେଶ ଭସାଣିକୁ ନେଇ ଯେଉଁ ନିୟମ କରିଥିଲା, ସେଥିରେ ବୁଢା ଗଣେଶ ପରଂପରା ପ୍ରଭାବିତ ହେଉଥିବାରୁ ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ହାଇକୋର୍ଟ ମଧ୍ୟ ପରଂପରାକୁ ଗୁରୁତ୍ବ ଦେଇ ବୁଢା ଗଣେଶ ଭସାଣି ପାଇଁ ସ୍ବତନ୍ତ୍ର ପରଂପରାକୁ ସ୍ବୀକୃତି ଦେଇଥିଲେ । କିନ୍ତୁ ଚଳିତ ବର୍ଷ ବୁଢ଼ା ଗଣେଶଙ୍କ ଭସାଣି ଦିନ ଅନ୍ୟ ପ୍ରାୟ ୨ ଶହରୁ ଅଧିକ ଗଣେଶ ଭସାଣି ପାଇଁ ପୁଲିସ ଅନୁମତି ଦେବା ଘଟଣା ଅସନ୍ତୋଷର କାରଣ ହୋଇଛି । ଏହାକୁ ନେଇ ଏବେ ଆୟୋଜକ ଆଇନର ଆଶ୍ରୟ ନେବାକୁ ଚେତାବନୀ ଦେଇଛନ୍ତି । ତଥ୍ୟ ଅନୁଯାୟୀ ୪ ବର୍ଷ ତଳେ ସହରର ଗଣେଶ ଭସାଣିକୁ ନିୟନ୍ତ୍ରଣ କରିବାକୁ ପୁଲିସ ପ୍ରଶାସନ ପକ୍ଷରୁ ତିନିଟି ଭସାଣି ତାରିଖ ସ୍ଥିର ହୋଇଥିଲା | ସେହି ତିନି ଦିନରେ ସହରର ସମସ୍ତ ଗଣେଶ ମେଢ଼ ବିସର୍ଜନ କରିବାକୁ ପୁଲିସ୍‌ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଶହ ଶହ ବର୍ଷ ପରମ୍ପରା ଦ୍ବାରା ପରିଚାଳିତ ବୁଢ଼ା ଗଣେଶ ଘାଣ୍ଟ ଖାଇବା ପରେ ବିସର୍ଜନ
ହେଉଥିବାରୁ ପ୍ରଶାସନ ପକ୍ଷରୁ ସ୍ଥିରୀକୃତ ତାରିଖ ତାଙ୍କ ପାଇଁ ଠିକ୍‌ ହୋଇ ନଥିଲା । ଏହାକୁ ଚାଲେଞ୍ଜ କରି କଟକ ନଗର ବୁଢ଼ା ଗଣେଶ କମିଟି କୋର୍ଟକୁ ଯାଇଥିଲା । ଓଡ଼ିଶା ହାଇକୋର୍ଟ ପ୍ରାଚୀନ ପରମ୍ପରାକୁ ସମ୍ମାନ ନେଇ ବଣିଆସାହି ବୁଢ଼ା ଗଶେଣ ଓ ସହରର ୧୫ଟି ଘାଣ୍ଟଖିଆ ଗଣେଶଙ୍କ ଭସାଣିକୁ ଘାଣ୍ଟ ପରେ ଆୟୋଜନ କରିବାକୁ ଅନୁମତି ଦେଇଥିଲେ । ସେହି ବର୍ଷଠାରୁ ବୁଢ଼ା ଗଣେଶ ଓ ଅନ୍ୟ ୧୫ଟି ଘାଣ୍ଟୁଆ ଗଣେଶ ବିସର୍ଜନ ହେଉଥିଲେ । ଚଳିତ ବର୍ଷ ପୁଲିସ୍ ପ୍ରଶାସନ ପକ୍ଷରୁ ଗଣେଶ ଭସାଣି ପାଇଁ ସେପ୍ଟେମ୍ବର ୨୪, ଅକ୍ଟୋବର ୧ ଓ ଅକ୍ଟୋବର ୮ତାରିଖ ସ୍ଥିର କରାଯାଇଥିଲା । ଗତକାଲି ଶେଷ ଭସାଣି ଶୋଭାଯାତ୍ରାରେ ସହରର ୧୬ ଟି ଗଣେଶ ଯିବା କଥା । କିନ୍ତୁ ଗତକାଲି ସହରର ୨ ଶହରୁ ଅଧିକ ମେଢ଼ ଭସାଣି ଶୋଭାଯାତ୍ରାରେ ଯାଇଥିଲେ । ବୁଢ଼ା ଗଣେଶ କେବଳ ଘଣ୍ଟ ବାଜି ଶୃଙ୍ଖଳିତ ତଥା ନୀତିକାନ୍ତିରେ ଶୋଭାଯାତ୍ରାର ଯାଉଥିବା ବେଳେ ଅନ୍ୟ ଗଣେଶ ଡିଜି ବାଜା ସହିତ ଗୀତ ବଜାଇ ସହର ପରିକ୍ରମା କରୁଥିବା ଦେଖିବାକୁ ମିଳିଥିବା ବୋଲି କ୍ଷୋଭ ପ୍ରକାଶ କରି କହିଛନ୍ତି କଟକ ନଗର ବୁଢ଼ା ଗଣେଶ କମିଟି ସଭାପତି ଶିବେନ୍ଦ୍ର ହାତୀ । ଶ୍ରୀ ହାତୀ କହିବା ଅନୁସାରେ, ଘାଣ୍ଟ ପରେ ମାତ୍ର ୧୬ ଟି ଗଣେଶ ବିସର୍ଜନ ହେବାକୁ ଥିବା ବେଳେ ୨୨୧ ଗଣେଶ ମୂର୍ତ୍ତି ଆସିଲେ କେଉଁଠୁ ? ଏହା ଉଭୟ କୋର୍ଟଙ୍କ ଆଦେଶର ଅବମାନନା ଓ ପ୍ରାଚୀନ ପରମ୍ପରା ଭଙ୍ଗ କରିବା ସହିତ ସହରରେ ବିଶୃଙ୍ଖଳାକୁ ଆମନ୍ତ୍ରଣ କରୁଛି । ଆସନ୍ତା ବର୍ଷକୁ ପ୍ରଶାସନ ପକ୍ଷରୁ ଏ ଦିଗରେ ପଦକ୍ଷେପ ଗ୍ରହଣ କରା ନଗଲେ, କୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ଶ୍ରୀ ହାତୀ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *