ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ରବାସକୁ କଲ୍ୟାଣ ମଣ୍ଡପ କରିବାକୁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇ ଯାଇଛି । ଏହାକୁ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ବିରୋଧ କରିଛନ୍ତି । ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟତ୍ରୀ ମୋନାଲିସା ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ବୈଠକରେ ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପୁରାତନ ଛାତ୍ର ସଂସଦର ସଂପାଦକ ପ୍ରଦୀପ ନାୟକ ଏବଂ ଶିକ୍ଷାବିତ୍ ଶଙ୍କର ପ୍ରସାଦ ବକ୍ସିଙ୍କ ସମେତ ଶତାଧିକ ପୁରାତନ ଛାତ୍ର ଯୋଗଦେଇ ପ୍ରଶାସନର ଏଭଳି କାର୍ଯ୍ୟକୁ ଘୋର ନିନ୍ଦା କରିଛନ୍ତି । ଯଦି ପ୍ରଶାସନ କାମ ବନ୍ଦ ନକରନ୍ତି ତା’ହେଲେ ଏହି କାମକୁ ପ୍ରବଳ ବିରୋଧ କରାଯିବ ଏବଂ ଆବଶ୍ୟକ ହେଲେ ଆଇନର ଆଶ୍ରୟ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିପାଇଁ ଏକ କ୍ରିୟାନୁଷ୍ଠାନ କମିଟି ମଧ୍ୟ ଗଠନ କରାଯାଇଛି । ପୁରାତନ ଛାତ୍ର ସଂସଦର ସଂପାଦକ ପ୍ରଦୀପ ନାୟକ ଏହାର ଆବାହକ ରହିଥିବା ବେଳେ ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଉପଦେଷ୍ଟା ରହିଛନ୍ତି ।

ସୂଚନା ଯୋଗ୍ୟ ଯେ, ରାଜଦାଣ୍ଡରେ ଥିବା ବିଦ୍ୟାଳୟର ପୁରାତନ ଛାତ୍ରାବାସ କୋଠାରେ ପ୍ରଥମେ ବିଦ୍ୟାଳୟ ୬ଷ୍ଠ ଓ ୭ମ ଶ୍ରେଣୀର ପିଲାମାନେ ପଢୁଥିଲେ । ଏହାପରେ ୧୯୭୧ ମସିହାରୁ ସେଠାରେ ଛାତ୍ରାବାସ ଆରମ୍ଭ ହୋଇଥିଲା । ବାହାକୁ ଆସୁଥିବା ଛାତ୍ରମାନେ ସେଠାରେ ରହୁଥିଲେ । ତେବେ ପାରଳାଖେମୁଣ୍ଡି ମହିଳା ମହାବିଦ୍ୟାଳୟ ଅସ୍ଥାୟୀ ଭାବେ ଆରମ୍ଭ ହୋଇଥିଲା ବେଳେ ତାହାର ନିଜସ୍ବ କୋଠା ନଥିବାରୁ ଏହି କୋଠାରେ ହିଁ ସହର ବାସିନ୍ଦା ସ୍ବାଗତ ର ସହିତ ଆରମ୍ଭ ହୋଇଥିଲା । ଏହାର ପରବର୍ତ୍ତି ସମୟରେ ସେଠାରେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟ ଚାଲୁଥିଲା । ଶିକ୍ଷା ବିଭାଗ ଅଧିନରେ ରହିଥିବା ଏହି କୋଠାକୁ ଭାଙ୍ଗି ସେଠାରେ କଲ୍ୟାଣ ମଣ୍ଡପ ସହ ମାର୍କେଟ ବିଲ୍ଡିଂ ନିର୍ମାଣ ପାଇଁ ଟେଣ୍ଡର ହେବା ପରେ ଏହାକୁ ବିରୋଧ କରିଥିଲେ ପୁରାତନ ଛାତ୍ର ଓ ବୁଦ୍ଧିଜୀବି । ଏହି କୋଠା ବର୍ତ୍ତମାନ ପାରଳାଖେମୁଣ୍ଡି ପୌର ପରିଷଦର ବୋଲି ଦର୍ଶାଯାଇ ଏଭଳି ଟେଣ୍ଡର କରାଯାଇଥିବା ଜଣାପଡିଛି । ଯାହାକୁ ପ୍ରବଳ ବିରୋଧ କରାଯାଇଛି। ବିଦ୍ୟାଳୟର ଏହି କୋଠାର କାଗଜପତ୍ର ଚଞ୍ଚକତା କରି ବଦଳ କରାଯାଇଥିବା ପୁରାତନ ଛାତ୍ରମାନେ ଅଭିଯୋଗ କରିବା ସହ ତୁରନ୍ତ ଏଥିରେ ସୁଧାର ଆଣିବାକୁ ଦାବି କରିଛନ୍ତି । ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ଏକ ପତ୍ର ଲେଖିବା ପାଇଁ ଆଜିର ବୈଠକରେ ନିସ୍ପତ୍ତି ଗ୍ରହଣ କରାଯାଇଛି । ଅପରପକ୍ଷରେ ପୈାର ପରିଷଦ ଅଧିନରେ ବେନିୟମ ଭାବେ ବହୁତ ସ୍ଥାନରେ ଜବରଦଖଲ ହଟୁନି, ଟ୍ରାଫିକ ସମସ୍ୟା ବଢୁଥିବା ଯୋଗୁଁ ସହରରେ ଦୁର୍ଘଟଣା ଘଟିଥିବା ବେଳେ ବିଶୃଙ୍ଖଳା ବଢୁଛି, ଅଧିକାରୀ ଟ୍ରେଡ ଲାଇସେନ୍ସ ଏବଂ ପଲିଥିନ ଚଢ଼ାଉ ଜାରି କରୁଥିବା ଭଳିଆ ଜବରଦଖଲ ଉଚ୍ଛେଦ ଉପରେ ଦୃଷ୍ଟି ଦେଇଥିଲେ ସହରରେ ଜନସାଧାରଣଙ୍କ ସମସ୍ୟା ସମାଧାନ ହୋଇଥାନ୍ତା । ପୈାରପରିଷଦ ରେ ରାଜସ୍ୱ ଆଦାୟ କରିବାରେ ବିଫଳ ହୋଇଛି କାରଣ ବହୁତ ସ୍ଥାନରେ ପୈାର ପରିଷଦ ଉନ୍ନତି କାର୍ଯ୍ୟ କରୁଥିବା ବେଳେ ପଞ୍ଚାୟତ ରେ ଟାଉନ୍ ପ୍ଲାନ୍ ଏପ୍ରୁଭ ହେଉଛି। ଏହି ସମସ୍ତ ବିଷୟବସ୍ତୁ ବିଚାର କଲେ ଅଧିକାରୀ ଆବଶ୍ୟକ ଥିବା କାର୍ଯ୍ୟନିର୍ବାହୀ ନ କରିବା ଏବଂ ଅନାବଶ୍ୟକ ବିଷୟରେ ଧ୍ୟାନ ଦେଉନଥିବା ଉପରେ ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା କରିବା ଦେଖିବାକୁ ମିଳିଛି ।

