ଘୁମୁସର ଜିଲ୍ଲା ଗଠନ ତଥା ଅଞ୍ଚଳର ଉନ୍ନତି ପାଇଁ ଭୁବନେଶ୍ବରରେ ଘୁମୁସରିଆ ବନ୍ଧୁ ମିଳନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଘୁମୁସର ବିକାଶ ପରିଷଦ ପକ୍ଷରୁ ଭୁବନେଶ୍ୱର ନିକୋପାର୍କ ନିକଟ ଜୟ ଭାରତ ଭବନରେ ଶତାଧିକ ଘୁମୁସର ଅଞ୍ଚଳର ବ୍ୟକ୍ତି ବିଶେଷଙ୍କୁ ନେଇ ଘୁମୁସରିଆ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଓଡ଼ିଶାର ଘୁମୁସର ଅଞ୍ଚଳ ଏହାର କଳା, ସଂସ୍କୃତି, ସାହିତ୍ୟ ଏବଂ ଭାସ୍କର୍ଯ୍ୟ ପାଇଁ ବିଶ୍ଵ ପ୍ରସିଦ୍ଧି ଲାଭ କରିଛି । ଅତୀତରେ ଘୁମୁସର ଭଞ୍ଜ ରାଜବଂଶର ରାଜ୍ୟ ଥିଲା । ଏହି ଘୁମୁସର ର କବି ଆଜି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ନାମରେ ବିଶ୍ଵ ବିଦିତ । ସ୍ୱାଧୀନତା ସଂଗ୍ରାମରେ ଘୁମୁସର ବିଦ୍ରୋହର କର୍ଣ୍ଣଧାର ଚକରା ବିଷୋୟୀ ଏବଂ ଦୋହରା ବିଷୋୟୀ ଙ୍କ ପାଇଁ ଘୁମୁସର ବିଦ୍ରୋହ ଓଡ଼ିଶା ଇତିହାସରେ ପୃଷ୍ଠା ମଣ୍ଡନ କରିଛି । ପରିତାପର ବିଷୟ ଜିଲ୍ଲା ଗଠନ ପାଇଁ ସମସ୍ତ ମାନଦଣ୍ଡ ପୂରଣ କରୁଥିବା ଘୁମୁସର ଆଜି ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ହେତୁ ଜିଲ୍ଲା ଗଠନ ସମ୍ଭବ ପର ହୋଇ ପାରୁନାହିଁ ବୋଲି ବୋଲି ବୁଦ୍ଧିଜୀବୀ ତଥା ଅତିଥି ମାନେ ମତ ପ୍ରକାଶ କରିଛନ୍ତି ।

ଆଜିର କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଆଇ ଏ ଏସ ସୁରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ଘୁମୁସର ବିକାଶ ପରିଷଦ ଏବଂ ଘୁମୁସର ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସୋମନାଥ ନାୟକ କାର୍ଯ୍ୟକ୍ରମକୁ ସଭାପତିତ୍ବ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, ଲକ୍ଷ୍ମଣ ପଣ୍ଡା, ବାଲ୍ମୀକି ପଟ୍ଟନାୟକ, ଶାନ୍ତନୁ କୁମାର ରଥ, ପ୍ରଶାନ୍ତ ବିଷୋୟୀ, ମନ୍ମଥ ଶତପଥୀ, ରବି ଜେନାଙ୍କ ସହ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଏବଂ ଭୁବନେଶ୍ବରରେ ବାସ କରୁଥିବା ତଥା ନିଜ କର୍ମ ଜୀବନରେ ଲିପ୍ତ ଥିବା ଶତାଧିକ ଘୁମୁସରିଆ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

ସଭାପତି ସୋମନାଥ ନାୟକ, ଗତ ତିନି ଦଶନ୍ଧି ଧରି ଘୁମୁସର ଜିଲ୍ଲା ଆନ୍ଦୋଳନ କୁ ଅଞ୍ଚଳବାସୀ ସଂଗ୍ରାମ ଜାରି ରଖିଛନ୍ତି, ଯାହାକୁ ସବୁ ମହଲରେ ସମର୍ଥନ ମିଳୁଛି କିନ୍ତୁ ରାଜ୍ୟ ସରକାର ଅବହେଳା କରୁଛନ୍ତି ବୋଲି ବକ୍ତବ୍ୟ ରଖିଛନ୍ତି । ଘୁମୁସର ଜିଲ୍ଲା ଗଠନ ନିମନ୍ତେ ସବୁ ପ୍ରକାର ମାନଦଣ୍ଡ ପୂରଣ କରିଥିବା ଶ୍ରୀ ନାୟକ ଦର୍ଶାଇଛନ୍ତି ।

ଏଥି ସହିତ ଘୁମୁସର ର ବଡ଼ ପର୍ବ ଦୋଳ ପୂର୍ଣ୍ଣିମା କୁ ଘୁମୁସର ମହୋତ୍ସବ କରିବା, କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ଡାକଟିକଟ ପ୍ରଚଳନ, କବିସମ୍ରାଟ ଙ୍କ ଶ୍ରେଷ୍ଠ କାବ୍ୟ ବୈଦେହୀଶ ବିଳାସ ନାମରେ ବୈଦେହି ଟ୍ରେନ୍ ପ୍ରଚଳନ, ଭଞ୍ଜ ଙ୍କ ଜନ୍ମଭୂମି ଘୁମୁସର ରେ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ସଙ୍ଗୀତ ମହାବିଦ୍ୟାଳୟ ପ୍ରତିଷ୍ଠା, କୁଲାଡ଼ ରେ ଥିବା ବାଗଦେବୀ ପୀଠକୁ ଯିବା ଆସିବା କରିବା ନିମନ୍ତେ ରୋପ ୱେ ନିର୍ମାଣ, କବିସମ୍ରାଟ ଙ୍କ ସମସ୍ତ କାବ୍ୟକୁ ସରକାରୀ ସ୍ତରରେ ମୁଦ୍ରଣ, ଘୁମୁସର ର ସମସ୍ତ ପ୍ରାଚୀନ ମନ୍ଦିର କୁ ୫- ଟି ରେ ରୂପାନ୍ତର, ଭଞ୍ଜ ସାହିତ୍ୟ ଓ ଘୁମୁସର ଇତିହାସ ପାଇଁ ସ୍ବତନ୍ତ୍ର ପାଠାଗାର ନିର୍ମାଣ, ସ୍ୱାଧୀନତା ସଂଗ୍ରାମୀ ତଥା ଘୁମୁସର ବୀର ଚକରା ବିଷୋୟୀ ଙ୍କ ନାମରେ ଆଖଡ଼ା ଶାଳ ନିର୍ମାଣ, ଘୁମୁସର ଇତିହାସ ସ୍ମାରକୀ ସଂଗ୍ରହାଳୟ, ସମସ୍ତ ପାଠ୍ୟ ଖସଡ଼ା ରେ ଘୁମୁସର ଇତିହାସ ଏବଂ ଭଞ୍ଜ ଙ୍କ କାବ୍ୟ ସ୍ଥାନିତ କରିବା ଆଦି ଘୁମୁସର ର ବିଭିନ୍ନ ଦାବି ରହିଛି । ଘୁମୁସର ଜିଲ୍ଲା ଗଠନ କରାଗଲେ, ଏଥିରୁ ଅନେକ ଦାବି ପୂରଣ ହୋଇପାରିବ ବୋଲି ଅତିଥି ମାନେ ପରିପ୍ରକାଶ କରିଛନ୍ତି । ଭଞ୍ଜନଗର ରାଜସ୍ବ ଉପଖଣ୍ଡ କୁ ଘୁମୁସର ଜିଲ୍ଲା ଗଠନ ଅତି ଶୀଘ୍ର ନ କରାଗଲେ ଜନ ଅସନ୍ତୋଷ ଓ ଆନ୍ଦୋଳନ ତୀବ୍ର ହେବ ଏବଂ ପରବର୍ତ୍ତୀ ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ ବୋଲି ଯୋଗ ଦେଇଥିବା ଘୁମୁସରିଆ ମାନେ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *