ଆଜି କୁ ୯୬ ବର୍ଷ ତଳେ ଗାନ୍ଧୀ ଆସିଥିଲେ ବାଣପୁର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ୧୯୨୭ ମସିହା ଡିସେମ୍ବର ୮ ତାରିଖରେ ଆଜି କୁ ୯୬ ବର୍ଷ ତଳେ ବାଣପୁର ଆସିଥିଲେ ମହାତ୍ମା ଗାନ୍ଧୀ ! ବାଣପୁର ଶୁଭାଗମନ କରି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଘରେ ଅତିଥି ହୋଇ ଆସିଥିଲେ । ସେହି ଦିନ ମଧ୍ୟାହ୍ନ ସମୟରେ ବର୍ତ୍ତମାନ ଗୋଦାବରୀଶ ମହା ବିଦ୍ୟାଳୟ ପାର୍ଶ୍ଵରେ ଥିବା ବାଲୁଙ୍କେଶ୍ୱର ଦେବଙ୍କ ଆମ୍ଭ ବଗିଚାରେ ଏକ ବିରାଟ ସଭା କରିଥିଲେ ମହାତ୍ମା ଗାନ୍ଧୀ। ସଭାରେ ଯୋଗଦେଲେ ଗୁଳି କରାଯିବ ବୋଲି ପୋଲିସ କର୍ମଚାରୀ ମାନେ ମଫସଲ ଗାଁ ମାନଙ୍କରେ ପ୍ରଚାର କରିଥିଲେ ସୁଦ୍ଧା ସେଦିନ ହିନ୍ଦୁ ମୁସଲମାନ ଓ ଆଖ ପାଖ ଅଞ୍ଚଳର ପ୍ରାୟ ୪ ହଜାର ଲୋକ ଉପସ୍ଥିତ ଥିଲେ। ଉକ୍ତ ସଭାରେ ଅଶାନ୍ତି ର କିଛି ଚିହ୍ନ ଦେଖା ଯାଏ ନଥିଲା। ସ୍ୱଚ୍ଛାସେବକ ମାନେ ବଡ ଦକ୍ଷତା ସହକାରେ କାର୍ଯ୍ୟ କୁ ପରିଚାଳନା କରିଥିଲେ। ମହାତ୍ମା ଗାନ୍ଧୀ , ଶ୍ରୀମତୀ ମୀରାବାଇ ଏବଂ ତାଙ୍କ ଦଳ ସଭାରେ ଉପସ୍ଥିତ ହେବା ମାତ୍ରେ ପଣ୍ଡିତ ଗୋଦାବରୀଶ ମିଶ୍ର ଅଭିନନ୍ଦନ ପତ୍ର ଓଡ଼ିଆରେ ପାଠ କରିଥିଲେ। ଲୋକମାନେ ମନ୍ତ୍ରମୁଗ୍ଧ ପରି ତାହା ଶୁଣିଥିଲେ। ତା ପରେ ଗୋଦାବରୀଶ ମିଶ୍ର ୧୭୦ ଟଙ୍କାର ଗୋଟିଏ ଥଳି ବାଣପୁର ବାସୀଙ୍କ ପକ୍ଷରୁ ମହାତ୍ମା ଗାନ୍ଧୀ ଙ୍କୁ ଉପହାର ଦେଇଥିଲେ । ଉପହାର ଗ୍ରହଣ କରି ମହାତ୍ମା ଗାନ୍ଧୀଜୀ ଲୋକଙ୍କ ନିର୍ଭୟ ହେବା ବିଷୟରେ କେତେକ ଉପଦେଶ ଦେଇଥିଲେ। ଗାନ୍ଧୀଜୀ ସଭାରେ କହିଥିଲେ ଯେ ଭୟ କରିବା ମହା ପାପ, ମନୁଷ୍ୟ ହୃଦୟରେ ସତ୍ୟ, ସାହାସ ନଥିଲେ ସେ ମନୁଷ୍ୟ ପଦବାଚ୍ୟ ନୁହେଁ। ମିଛରେ ପୋଲିସ ଭୟରେ ଜଡିସଢି ଯିବା ଅନ୍ୟାୟ। ଏହାଛଡ଼ା ଖଦଡ, ଅସ୍କୁଶ୍ୟତା ଏବଂ ନିଶାଦ୍ରବ୍ୟ ବର୍ଜନ ସମ୍ବନ୍ଧରେ କେତେକ କଥା ମଧ୍ୟ କହିଥିଲେ। ଗାନ୍ଧୀଜୀ ଙ୍କ ବକୃତା ପରେ ଖଦଡ ପାଣ୍ଠି ପାଇଁ ପ୍ରାୟ ସେ ସମୟରେ ୫ ଟଙ୍କା ଆଦାୟ ହୋଇଥିଲା ଏବଂ ସେ ସମୟରେ କେତେକ ହରିଜନ ଓ କନ୍ଧ ସମ୍ପ୍ରଦାୟ ର ଲୋକେ ଆଣିଥିବା ସାରୁ, ବାଇଗଣ, ଟଭା ଇତ୍ୟାଦି ସଭାରେ ନିଲାମ ହୋଇଥିଲା। ମହାତ୍ମା ଗାନ୍ଧୀ ସଭାରେ ବଡ ସନ୍ତୋଷ ଲାଭ କରିଥିଲେ। ମହାତ୍ମା ଗାନ୍ଧୀଜୀ ଗୋଦାବରୀଶ ମିଶ୍ରଙ୍କ ଘରେ ତା ପର ଦିନ ଦୁଇଟା ପର୍ଯ୍ୟନ୍ତ ରହିଥିଲେ। ୯ ତାରିଖ ଦିନ ସକାଳେ ଶ୍ରୀମତୀ ମୀରାବେନ ମଫସଲ ଗାଁ ମାନଙ୍କୁ ବୁଲିବାକୁ ଯାଇ ଅଚ୍ୟୁତରାଜପୁର ଓ ହରିଜନ ସାହି ବୁଲି ଦେଖିଥିଲେ। ବୁଲିବା ସମୟରେ ଉକ୍ତ ଗ୍ରାମର କିଛି ସ୍ତ୍ରୀ ଲୋକ ମାନଙ୍କ ସହ କଥାବାର୍ତ୍ତା କରିବା ସହ ହାତରେ ତାକୁଡି ଧରି ସୂତା କାଟୁଥାନ୍ତି ଓ ଲୋକଙ୍କୁ ନାନା ଉପଦେଶ ଦେଉଥିଲେ। ସେଦିନ ମଧ୍ୟ ଗାନ୍ଧୀଜୀ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ସହିତ ଅଚ୍ୟୁତରାଜ ପୁର ଗ୍ରାମକୁ ବୁଲିବାକୁ ଯାଇଥିଲେ। ଉକ୍ତ ଗ୍ରାମର କିଛି ଗରିବ ପରିବାର ସଦସ୍ୟ ମାନଙ୍କୁ ଭେଟି ଥିଲେ ଓ ସେମାନଙ୍କର ଖାଇବା ଠାରୁ ଶୋଇବା ପର୍ଯ୍ୟନ୍ତ ସମସ୍ତ ସୁବିଧା ଅସୁବିଧା କଥାକୁ ପଚାରି ଥିଲେ। ବର୍ତମାନ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ସୃତି କୁ ମନେ ପକେଇବା ପାଇଁ ଗୋଦାବରୀଶ ମହା ବିଦ୍ୟାଳୟ ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ଥିବା ଗାନ୍ଧୀଜୀ ଯେଉଁ ଜାଗାରେ ସଭା କରିଥିଲେ ସେହି ଜାଗାରେ ଗତଦୁଇ ବର୍ଷ ତଳେ ଏକ ଗାନ୍ଧୀମୂର୍ତ୍ତି ସ୍ଥାପନ କରାଯାଇଚି। ଏବେ ବି ବାଣପୁର ବାସି କୁହନ୍ତି ଗାନ୍ଧୀ ଆସିଥିଲେ ବାଣପୁର ।।

Leave a Reply

Your email address will not be published. Required fields are marked *