ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା : ଦୁର୍ଘଟଣା ଜନିତ ମୃତ୍ୟୁ ନେଇ ପତ୍ନୀଙ୍କ ଅଭିଯୋଗ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅଞ୍ଚଳର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଧୀରେ ଧୀରେ ଜଟିଳ ହେବାକୁ ଲାଗିଛି । ମୃତକ ଜଣକ ସୁକିନ୍ଦା ଥାନା ଅଧୀନ ପୁରୁଣାପାଣି ଗ୍ରାମର ପ୍ରହଲ୍ଲାଦ ନାୟକ(୪୪) ବୋଲି ଜଣାପଡିଛି । ମୃତ ପ୍ରହଲ୍ଲାଦ ଗତ ବୁଧବାର ସନ୍ଧ୍ୟାରେ ଆମ୍ପଳବା ଯାଇ ଫେରିନଥିଲେ । ଗୁରୁବାର ସକାଳେ ସୁକିନ୍ଦା ହାତିବାରୀ ରାସ୍ତାର ଆମ୍ପଳବା ନିକଟ ରାସ୍ତା କଡ଼ରେ ଜଣେ ଯୁବକ ପଡିରହିଥିବା ଖବର ପାଇ ଆମ୍ବୁଲାନ୍ସ କର୍ମଚାରୀ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ପ୍ରହଲ୍ଲାଦର ମୃତ୍ୟୁ ଘଟିଥିଲା । ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରହାଲାଦର ମୃତଦେହ ପରିବାରକୁ ହସ୍ତାନ୍ତର କରିବା ପରେ ପରିବାର ପକ୍ଷରୁ ମୃତଦେହକୁ ନେଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଏଭଳି ଏକ ମୃତ୍ୟୁ ଘଟଣାରେ ମୃତଦେହ ବ୍ୟବଚ୍ଛେଦ ନକରି ଛାଡ଼ିଦେବା ଘଟଣାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ପ୍ରହଲ୍ଲାଦ ପଡିଥିବା ସ୍ଥାନରେ ତାଙ୍କ ସାଇକେଲ ଭାଙ୍ଗି ପଡିଥିବା ଘଟଣାକୁ ନେଇ ଏହା ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ପତ୍ନୀ ଗୀତା ନାୟକ (୪୦) ଅଭିଯୋଗ କରିଛନ୍ତି । କୌଣସି ଅଜଣା ଗାଡ଼ି ବୁଧବାର ରାତିରେ ପ୍ରହଲ୍ଲାଦକୁ ଧକ୍କା ଦେଇ ଘଟାଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ସହ ରାତିସାରା ପ୍ରବଳ ଥଣ୍ଡାରେ ପଡ଼ିରହି ପ୍ରହଲ୍ଲାଦ ଗୁରୁତର ହୋଇଥିବା ହିଁ ମୃତ୍ୟୁର କାରଣ ବୋଲି ଗୀତା ଅଭିଯୋଗ କରିଛନ୍ତି । ତେବେ ଏଭଳି ଘଟଣାରେ ମୃତଦେହ ବ୍ୟବଚ୍ଛେଦ ନକରି ସ୍ୱାସ୍ଥ୍ୟକେନ୍ଦ୍ରରୁ ଛାଡ଼ିଦେବା ଓ ପୋଲିସ ନିକଟରେ ଏହି ଘଟଣାର ସୂଚନା ଥାଇ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ ନକରିବା ଘଟଣାକୁ ସନ୍ଦେହ ଭିତରକୁ ଠେଲି ଦେଇଛି । ମୃତଦେହର ବ୍ୟବଚ୍ଛେଦ ହୋଇ ପୋଲିସ ଘଟଣାର ତଦନ୍ତ କରିଥିଲେ ପ୍ରହଲ୍ଲାଦ ମୃତ୍ୟୁର ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇ ପାରିଥାନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି । ପରିବାରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିବାରୁ ପ୍ରହଲ୍ଲାଦର ଏକମାତ୍ର ପୁଅ ଦୀପକ (୨୨) କେରଳରେ ଦାଦନ ଶ୍ରମିକ । ସଂପୃକ୍ତ ପରିବାର ରହୁଥିବା ପଲ୍ଲାକୁ ଦେଖିଲେ ଯେକେହି ଧର୍ଯ୍ୟ ଧରି ପାରିବନାହିଁ । ସଂପୃକ୍ତ ପରିବାର ରହୁଥିବା ସ୍ଥାନ ଦେଖିଲେ ଅନେକ ସରୀସୃପଙ୍କ ସହ ଜୀବନ ଅତିବାହିତ କରୁଥିବା ସନ୍ଦେହ କରାଯାଉଛି । ଏଭଳି ପରିସ୍ଥିତିରେ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି କୁ ହରାଇ ପତ୍ନୀ ଗୀତା ଧର୍ଯ୍ୟହରା । ସ୍ଵାମୀଙ୍କ ମୃତ୍ୟୁକୁ ନେଇ ସନ୍ଦେହରେ ଥିବା ଗୀତା ଏହି ଘଟଣାର ତଦନ୍ତ କରିବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ସଂପୃକ୍ତ ପରିବାର ପଲ୍ଲାରେ ରହୁଥିବା ଖବର ପାଇ ସୁକିନ୍ଦା ତହସିଲଦାର ଦମୟନ୍ତୀ ସାହୁ ସହଯୋଗ ଯୋଗାଇ ଦେଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *