ଶିବମ ରାଜ୍ୟ ସ୍ତରୀୟ ପାଲା ପ୍ରତିଯୋଗିତା ଓ ସଂସ୍କୃତି ମହୋତ୍ସବ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଶିବମ ରାଜ୍ୟ ସ୍ତରୀୟ ପାଲା ପ୍ରତିଯୋଗିତା ଓ ସଂସ୍କୃତି ମହୋତ୍ସବରେ ଶ୍ରେଷ୍ଠ ପାଲା ଗାୟକ ଭାବରେ ତୋଫାନ ସାହୁ ଓ ଶ୍ରେଷ୍ଠ ପାଲା ଗାୟିକା ଭାବରେ ସୁଶ୍ରୀ ପ୍ରଜ୍ଞା ରାଉତଙ୍କୁ ଉତ୍କଳ ପ୍ରତିଭା ସମ୍ମାନ । ପଲ୍ଲୀ ଜୀବନକୁ ସରଳ ଓ ସାବଳୀଳ କରିବା ନିମନ୍ତେ ସାଂସ୍କୃତିକ ଜାଗରଣର ଆବଶ୍ୟକତା ରହିଛି। ପାଲା ମାଧ୍ୟମରେ ଅପରାଧ ପ୍ରବଣତାକୁ ରୋକି ହେବ ବୋଲି ଭଦ୍ରକ ଜିଲ୍ଲାର ସୋହଡା ସ୍ଥିତ ଦେବ ଗୌରେଶ୍ୱର ମନ୍ଦିର ନିକଟସ୍ଥ ଆଦିତ୍ୟ ମଞ୍ଚରେ ଜାତୀୟ ସମାଜ କଲ୍ୟାଣକାରୀ ସଂଗଠନ “ଶିବମ” ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ପାଲା ପ୍ରତିଯୋଗିତା ଓ ସଂସ୍କୃତି ମହୋତ୍ସବର ଆଲୋଚନା ସଭାରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଚିନ୍ମୟ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ସଭାରେ ଆଲୋଚକ ଭାବରେ ଶିକ୍ଷାବିତ୍ ମନୋଜ ଜେନା, ସଂଗଠକ ଦୟାନିଧି ମିଶ୍ର, ଶିକ୍ଷାବିତ୍ ତଥା ସାରସ୍ବତ ସାଧକ ଅକ୍ଷୟ କୁମାର ମିଶ୍ର ,ଅଧ୍ୟାପିକା କନକଲତା ଦାଶ, ପଣ୍ଡିତ ଗୁଣନିଧି ଦାଶ ଆଦି ଯୋଗଦାନ କରିଥିଲେ। ଶିବମ ସଂଗଠନର ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀଯୁକ୍ତ ଭୂପେଶ ମିଶ୍ର ପ୍ରାରମ୍ଭିକ ସୂଚନା ଓ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଶିଶୁ ନୃତ୍ୟଶିଳ୍ପୀ ଲକ୍ଷ୍ମୀପ୍ରିୟା ପାତ୍ର ଓ ରାନୁ ପରମାଣିକଙ୍କ ଦ୍ଵାରା ସ୍ବାଗତ ନୃତ୍ୟ ପରିବେଷଣ କରାଯାଇଥିଲା। ବିଭିନ୍ନ ପର୍ଯ୍ୟାୟରେ ଶିବମ ପକ୍ଷରୁ ୩୦ଟି ଜିଲ୍ଲାର ପାଲା ଗାୟକ ମାନଙ୍କୁ ନେଇ ଆୟୋଜିତ ପାଲା ପ୍ରତିଯୋଗିତାର ଅନ୍ତିମ ପର୍ଯ୍ୟାୟରେ ଚଳିତ ବର୍ଷର ଶ୍ରେଷ୍ଠ ପାଲା ଗାୟକ ଭାବରେ ଢେଙ୍କାନାଳ ଜିଲ୍ଲାର ତୋଫାନ ସାହୁ ଓ ଶ୍ରେଷ୍ଠ ପାଲା ଗାୟିକା ଭାବରେ ଜଗତସିଂହପୁର ଜିଲ୍ଲାର ସୁଶ୍ରୀ ପ୍ରଜ୍ଞା ରାଉତଙ୍କୁ ଉତ୍କଳ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ପୁରୁଷ ବିଭାଗ ପକ୍ଷରୁ ଶ୍ରେଷ୍ଠ ବାଦକ ଭାବରେ ଶିଶିର କୁମାର୍ ମହାରଣା, ଶ୍ରେଷ୍ଠ ଶ୍ରୀ ପାଳିଆ ଭାବରେ ନରେନ୍ଦ୍ର ଦଳାଇ, ହାସ୍ୟ ରସରେ ନଟି ଭାବରେ ରୋହିତ କୁମାର୍ ବେହେରା, ବିଦୂଷକ ଭାବରେ ଶରତ ମହାନ୍ତି, ପାଳିଆ ଭାବରେ ପ୍ରମୋଦ ଦେହୁରୀ ମହିଳା ବିଭାଗରେ ଶ୍ରେଷ୍ଠ ବାଦକ ଭାବରେ କୀର୍ତ୍ତନ ନାୟକ, ଶ୍ରୀ ପାଳିଆ ଭାବରେ ମାଧବାନନ୍ଦ ବରାଳ, ହାସ୍ୟ ରସରେ ନଟି ଭାବରେ ପଦ୍ମଲୋଚନ ମଲ୍ଲ, ବିଦୁଷକ ଭାବରେ ଲକ୍ଷ୍ମୀଧର ବେହେରା, ପାଳିଆ ଭାବରେ ହାଡୁବନ୍ଧୁ ବେହେରାଙ୍କୁ ଗୌରୀ ଶଙ୍କର ସ୍ମୃତି ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଏଥିରେ ଭବେଶ ମିଶ୍ର, ବିଶ୍ୱଜିତ୍ ଦାଶ, ବିଜୟ କୁମାର୍ ଦାଶ, ବିଶ୍ଵଜିତା ଦାଶ,ଆଦିତ୍ୟ ଭୂପେଶ୍ ମିଶ୍ର, ଶିବାଦିତ୍ୟ ଦାଶ ଆଦି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *